Odia News Portal

ଗୁରୁଡିଝାଟିଆ ଥାନାର କ୍ରିକେଟ ଷ୍ଟାଡିୟମ ଓ ସ୍ପୋର୍ଟସ ସ୍କୁଲକୁ ଉଦଘାଟନ କରିବେ ସୁରେଶ ରାଇନା

୫ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଗୁରୁଡିଝାଟିଆ ଥାନାର କପୁରସିଂ ନିକଟରେ ୩୦ ଏକର ଜାଗାରେ ନିର୍ମିତ ହୋଇଛି କ୍ରିକେଟ ଷ୍ଟାଡିୟମ ଓ ସ୍ପୋର୍ଟସ ସ୍କୁଲ । ଜାତୀୟ କ୍ରିକେଟ ଏକାଡେମୀ ଢାଞ୍ଚାରେ ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଆଯାଇ ଉତ୍ତମ କ୍ରୀଡା ବ୍ୟକ୍ତିତ୍ୱ ସୃଷ୍ଟି କରି ଆନ୍ତର୍ଜାତୀୟ ସ୍ତରରେ ଖେଳିବାର ସୁଯୋଗ ପ୍ରଦାନ କରାଯିବ। ଆଜି ଆନ୍ତର୍ଜାତିକ କ୍ରିକେଟର ସୁରେଶ ରାଇନା କ୍ରିକେଟ ଷ୍ଟାଡିୟମ ଓ ସ୍ପୋର୍ଟସ ସ୍କୁଲକୁ ଉଦଘାଟନ କରିବେ। ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେବାର ସ୍ଥିତିକୃତ ହୋଇଥିବା ବେଳେ କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ,ବିଧାୟକ ତଥା ଓଡିଶା କ୍ରିକେଟ ଆସୋସିଏସନର ସଭାପତି ପ୍ରଣବ ପ୍ରକାଶ ଦାସ ଅନ୍ୟତମ ଆନ୍ତର୍ଜାତୀୟ କ୍ରିକେଟର ପ୍ରଜ୍ଞାନ ଓଝା, ଓଡିଶା ଫୁଟବଲ ଆସୋସିଏସନ ଏବଂ ଓଡିଶା କ୍ରୀଡା ଆସୋସିଏସନର ସଂପାଦକ ଆଶୀର୍ବାଦ ବେହେରା, ଓଡିଶା କ୍ରିକେଟ ଆସୋସିଏସନ ସଂପାଦକ ସଂଜୟ ବେହେରା ପ୍ରମୁଖ ଅତିଥି ଭାବରେ ଉଦଘାଟନ ଉତ୍ସବରେ ଯୋଗଦେବେ।
ଏହି ଅବସରରେ ଓଡିଶା ଓ ଛତିଶଗଡ ବରିଷ୍ଠ କ୍ରିକେଟଦଳ ପକ୍ଷରୁ ୨୦/୨୦ ଓଭର କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବ । କ୍ରୀଡା ବିଦ୍ୟାଳୟ ଓ କ୍ରିକେଟ ଷ୍ଟାଡିୟମ ପାଇଁ ୪୦କୋଟି ଟଙ୍କା ବିନିଯୋଗ ହେବାର ରହିଥିବା ବେଳେ ଅଧିୁନା ୧୬କୋଟି ଟଙ୍କା ଖର୍ଚ୍ଚ ହୋଇଛି । କ୍ରିକେଟ ସହିତ ଅନ୍ୟାନ୍ୟ କ୍ରୀଡା ଓ ବୈଷୟିକ କ୍ରୀଡା ପାଠ୍ୟକ୍ରମ ମଧ୍ୟ ପ୍ରଚଳିତ ହେବ। ପ୍ରଶିକ୍ଷଣ ନେବାପାଇଁ ଆସିଥିବା ଖେଳାଳିଙ୍କୁ ଏମଜିଏମ ଗ୍ରୁପ ଅଫ କମ୍ପାନୀ ସମସ୍ତ ପ୍ରକାର ଖର୍ଚ୍ଚ, ଖାଦ୍ୟପେୟ, ପ୍ରଶିକ୍ଷଣ ଆଦି ପ୍ରଦାନ କରିବେ। ରାଜ୍ୟ ସରକାର ଓ ଓଡିଶା କ୍ରିକେଟ ଆସୋସିଏସନର ସହଯୋଗରେ ସମସ୍ତ କାର୍ୟ୍ୟ ଅନୁଷ୍ଠିତ ହେବ ବୋଲି ଏମଜିଏମ ସ୍କୁଲ ଅଫ ସ୍ପୋର୍ଟସର ନିର୍ଦେଶକ ତଥା ଓଡିଶା କ୍ରିକେଟ ଆସୋସିଏସନର ଉପସଭାପତି ପଙ୍କଜଲୋଚନ ମହାନ୍ତି କହିବା ସହ ରାଜ୍ୟରେ କ୍ରୀଡାକୁ ବିଶ୍ୱଦରବାରରେ ପହଞ୍ଚାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟ ଓ ଦୂରଦୃଷ୍ଟି ପାଇଁ ଖୁବ୍ ନିକଟରେ ଏମଜିଏମ ସ୍କୁଲ ଅଫ ସ୍ପୋର୍ଟସ ଓ କ୍ରିକେଟ ଉକ୍ରର୍ଷ କେନ୍ଦ୍ର କ୍ରୀଡାର ହବ ପାଲଟିବ ବୋଲି ପ୍ରକାଶ କରିଛନ୍ତି । ପ୍ରକାଶଯୋଗ୍ୟ ଏମଜିଏମ ଗ୍ରୁପ ଅଫ କମ୍ପାନୀ ରାଜ୍ୟରେ ଶିଳ୍ପ ମାନଚିତ୍ରକୁ ପରିବୃଦ୍ଧି କରିବା ଓ ଉତ୍କତା ପ୍ରଦାନ କ୍ଷେତ୍ରରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।