Odia News Portal

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ ରଦ୍ଦ

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ପାଇଁ ବିସିସିଆଇ ସବୁ କିଛି କରିବାକୁ ପ୍ରସ୍ତୁତ। କାରଣ ବାଜିରେ ଲାଗି ଯାଇଛି ବୋର୍ଡର ୨୫୦୦ କୋଟି ଟଙ୍କା। ଆଇପିଏଲର ବଳକା ମ୍ୟାଚ୍ ନହେଲେ ପୂରା  ଘାଟାରେ ପଡିଯିବ ବିସିସିଆଇ। ତେଣୁ ଯେମିତି ହେଉ ପଛେ ଆଇପିଏଲ ଆୟୋଜନ ପାଇଁ ବିସିସିଆଇ ଅଣ୍ଟା ଭିଡିଛି। ଏବେ ଆଇପିଏଲ ପାଇଁ ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ ବଳି ଚଢିପାରେ।

ମିଡିଆ ରିପୋର୍ଟ ଅନୁଯାୟୀ ଆଇପିଏଲ ୨୦୨୧ର ବଳକା ମ୍ୟାଚ୍ ସେପ୍ଟେମ୍ବରରେ ଆୟୋଜନ ହୋଇପାରେ। ଏହି କାରଣରୁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ ସିରିଜ୍ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟି-୨୦ ସିରିଜ୍ ଟି-୨୦ ବିଶ୍ଵ କପ ପୂର୍ବରୁ ଭାରତୀୟ ଦଳର ପ୍ରସ୍ତୁତି ପାଇଁ ରଖାଯାଇଥିଲା। କିନ୍ତୁ ଏବେ ଆଇପିଏଲର ବାକି ଥିବା ୩୧ ମ୍ୟାଚ୍ ସେପ୍ଟେମ୍ବରରେ ଖେଳାଯିବ। ଯାହା ବିସିସିଆଇ ଏବଂ ଖେଳାଳିଙ୍କ ବିଶ୍ଵ କପ୍ ପ୍ରସ୍ତୁତି ଦୃଷ୍ଟିରୁ ଗୁରୁତ୍ଵପୂର୍ଣ୍ଣ।

ବିସିସିଆଇ ସୂତ୍ର ଅନୁଯାୟୀ, ସେମିତିରେ ବି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ୍ ହେବାର ନଥିଲା। କିନ୍ତୁ ଟି-୨୦ ବିଶ୍ଵ କପ୍ର ପ୍ରସ୍ତୁତି ପାଇଁ ଆଇପିଏଲଠୁ ଭଲ ଆଉ କିଛି ହୋଇନପାରେ। ଖବର ଏହା ମଧ୍ୟ ରହିଛି ଯେ, ଆଇପିଏଲର ଆୟୋଜନ ୟୁଏଇରେ ହେବ। ଏହାର ଆରମ୍ଭ ସେପ୍ଟେମ୍ବର ୧୯ କିମ୍ବା ୨୦ ତାରିଖରେ ହୋଇପାରେ। ଫାଇନାଲ ମୁକାବିଲା ଅକ୍ଟୋବର ୧୦ରେ ଖେଳାଯାଇପାରେ। ଏହା ପରେ ପରେ ଅକ୍ଟୋବର ୧୮ରୁ ଟି-୨୦ ବିଶ୍ଵ କପ୍ ଆରମ୍ଭ ହେଉଛି। ଏମିତିରେ ଦକ୍ଷିଣ ଆଫ୍ରିକା ସିରିଜ୍ ଆୟୋଜନ ଅସମ୍ଭବ। କିନ୍ତୁ ବିସିସିଆଇ ପକ୍ଷରୁ ଏ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। ଯଦି ଦକ୍ଷିଣ ଆଫ୍ରିକା ସହ ଟି-୨୦ ସିରିଜ୍ ରଦ୍ଦ ହୁଏ ତେବେ ଭାରତୀୟ ଦଳକୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଧିକ ମ୍ୟାଚ୍ ଖେଳିବାକୁ ପଡିପାରେ।