Odia News Portal

ବାତ୍ୟା ୟାସ୍ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜାତିସଂଘର ପ୍ରଶଂସା

ଭୁବନେଶ୍ୱର: ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜାତିସଂଘର ପ୍ରଶଂସା । ବିପର୍ଯ୍ୟୟ ମୁକାବିଲା ପାଇଁ କେମିତି ସଠିକ ପରିଚାଳନା, ସୁଚିନ୍ତିତ ଯୋଜନା ଏବଂ ପୂର୍ବ ପ୍ରସ୍ତୁତି କରାଯାଏ ନବୀନ ପଟ୍ଟନାୟକଙ୍କ ସରକାର ଠାରୁ ଶିଖିବାର ଆବଶ୍ୟକତା ରହିଛି ବୋଲି ମିଳିତ ଜାତିସଂଘର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ସୂଚନା ଅନୁଯାୟୀ, ଜାତିସଂଘ ମୁଖ୍ୟ ମାମି ମିଜୁଟୋରି କହିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପଦକୁ ବୁଝିବା ସହ ତାହାର ସାମ୍ନା କରିବାକୁ କିଭଳି ଦୃଢ ପଦକ୍ଷେପ ଗ୍ରହଣ କରାଯିବ, ପ୍ରାକ୍ ପ୍ରସ୍ତୁତି ଉପରେ କିଭଳି ଅଧିକ ଗୁରୁତ୍ବ ଦିଆଯିବ ସେ ଦିଗରେ ଓଡିଶା ଉଦାହରଣ ସୃଷ୍ଟି କରିଛି । ସମ୍ବଳର ସୁବିନିଯୋଗ ଏବଂ ସଠିକ୍ ପରିଚାଳନା ଯୋଗୁଁ ବାତ୍ୟା ଭଳି ବିପର୍ଯ୍ୟୟକୁ ସଠିକ ଢ଼ଙ୍ଗରେ ମୁକାବିଲା କରିପାରିଛନ୍ତି ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ୧୯୯୯ ମହାବାତ୍ୟା ପରେ କ୍ଷମତାକୁ ଆସିଥିବା ନବୀନ ସରକାର ବିପର୍ଯ୍ୟୟ ମୁକାବିଲା ଦିଗରେ ନେଇଥିବା ପଦକ୍ଷେପ ବଡ଼ ଧରଣର କ୍ଷୟକ୍ଷତିକୁ ରୋକି ପାରିଛି । ଏହା ପୂର୍ବରୁ ୨୦୧୩ ମସିହାରେ ଫାଇଲିନ ବାତ୍ୟା ସମୟରେ ମଧ୍ୟ ସମାନ ଢ଼ଙ୍ଗରେ ଜାତିସଂଘ ଓଡ଼ିଶାକୁ ପ୍ରଶଂସା କରିଥିଲା । ମହାବାତ୍ୟା ଭଳି ଫାଇଲିନ ବାତ୍ୟା ମଧ୍ୟ ବେଶ ଭୟଙ୍କର ଥିଲା । କିନ୍ତୁ ଓଡ଼ିଶା ସରକାର ଧନ ଜୀବନ ରକ୍ଷା କରିବାରେ ସଫଳ ହୋଇଥିଲେ । କିନ୍ତୁ ୧୯୯୯ ମହାବାତ୍ୟା ସମୟରେ ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ବୋଲି ଜାତିସଂଘ ଅଧିକାରୀ କହିଛନ୍ତି ।