Odia News Portal

ଆମେରିକା ବାସୀଙ୍କୁ ଭୁମିକମ୍ପ ଝଟକା

ଆମେରିକାରେ ସେଠାକାର ସମୟ ଅନୁସାରେ ସୋମବାର ମଧ୍ୟାହ୍ନ ୧୨ଟାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୂମିକମ୍ପର କେନ୍ଦ୍ର ସାନ ଫ୍ରାନ୍ସିସ୍କୋ ସହରଠାରୁ ଉତ୍ତର-ପଶ୍ଚିମ ଦିଗରେ ପ୍ରାୟ ୩୩୭ କିଲୋମିଟର ଦୂରରେ ଥିଲା। ଭୂମିକମ୍ପର ଝଟକା ପାଖାପାଖି ୨୦ ସେକେଣ୍ଡ ଧରି ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ଥିଲା ୬.୨। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣରେ କୁହାଯାଇଛି କି, ସାକ୍ରାମେଣ୍ଟୋ ଏବଂ ସାନ ଫ୍ରାନ୍ସିସ୍କୋ ଉପସାଗର ଅଞ୍ଚଳର ବାସିନ୍ଦା ଏହି ଭୂମିକମ୍ପ ବିଷୟରେ ସୂଚନା ଦେଇଥିଲେ। ଯଦିଓ ଏ ପର୍ୟ୍ୟନ୍ତ ଭୂମିକମ୍ପରେ କୌଣସି ଜୀବନ ହାନି ହୋଇଥିବା ନେଇ ଖବର ନାହିଁ। ତେବେ ଭୂମିକମ୍ପ ଯୋଗୁ ଘର ଭିତରର ଜିନିଷପତ୍ର ସବୁ ଛାରଖାର ହୋଇ ଯାଇଛି।
୨୦୧୦ ମସିହା ପରେ ଆସିଲା ଭୂମିକମ୍ପ ଝଟକା
ହମ୍ବୋଲଟ କାଉଣ୍ଟି ଶେରିଫ୍ ୱିଲିୟମ୍ ହୋନ୍ସଲ୍ କହିଛନ୍ତି ଯେ ସେ ୨୦୧୦ ପରେ ଏହିଭଳି ଝଟକା ଅନୁଭବ କରିଛନ୍ତି। ଆମେରିକୀୟ ଗଣମାଧ୍ୟମ ଅନୁସାରେ, ଉତ୍ତର କାଲିଫର୍ନିଆରେ ୬.୨ ତୀବ୍ରତାର ଭୂମିକମ୍ପ ଯୋଗୁ କବାଟ, ଝରକାଗୁଡ଼ିକ ଭାଙ୍ଗିରୁଜି ଯାଇଛି। ଜିନିଷପତ୍ର ତଳେ ପଡ଼ି ନଷ୍ଟ ହୋଇ ଯାଇଛି। ଏହି ସମୟରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ। United States Geological Service ସୋମବାର କହିଛି ଯେ ଉତ୍ତର କାଲିଫର୍ନିଆର କେପ ମେଣ୍ଡୋକିନୋ ଅଞ୍ଚଳରେ ୬.୨ ତୀବ୍ରତାର ଭୂମିକମ୍ପ ଆସିଥିଲା, ଯେଉଁଥିରେ କବାଟ, ଝରକା ସବୁ ଭାଙ୍ଗି ଯାଇଛି। ଏହି ସମୟରେ ପ୍ରଭାବିତ ଲୋକଙ୍କୁ ଘର ବାହାରକୁ ପଠାଇ ଦିଆ ଯାଇଥିଲା। ଭୂମିକମ୍ପର କେନ୍ଦ୍ର ପ୍ରଶାନ୍ତ ମହାସାଗରର ୯ କିଲୋମିଟର ଗଭୀରତାରେ ଆସିଥିଲା। ଏହାର ଝଟକା ସାନ ଫ୍ରାନ୍ସିସ୍କୋର ଦକ୍ଷିଣରେ ଏବଂ ମେଡଫୋର୍ଡର ଉତ୍ତରରେ ଲୋକମାନେ ଅନୁଭବ କରିଥିଲେ।
୧୦ ମିଲିୟନ ଡଲାରର କ୍ଷତି
ଭୂମିକମ୍ପ ବିଜ୍ଞାନୀ ଲୁସି ଜୋନ୍ସ ଟ୍ୱିଟରରେ ପୋଷ୍ଟ କରିଛନ୍ତି କି, ଯଦିଓ ଏହା ସୁନାମି ଚେତାବନୀ ଦେଇ ନାହିଁ। ମଧ୍ୟାହ୍ନ ୧୨ଟା ୧୦ରେ ଆସିଥିବା ଭୂମିକମ୍ପର ତୁରନ୍ତ ପରେ କେହି ମୃତାହତ ହୋଇଥିବା ନେଇ ଖବର ଆସି ନାହିଁ। ତେବେ ରାସ୍ତା କ୍ଷୟକ୍ଷତିର ଯାଞ୍ଚ ପାଇଁ ଶ୍ରମିକ ଏବଂ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି ଏବଂ କମ୍ପନ ଯୋଗୁ ହୋଇଥିବା ଫାଟ କାରଣରୁ ଦୁଇଟି ରାସ୍ତାକୁ ବନ୍ଦ କରି ଦିଆଯାଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଆକଳନ କରିଛି ଯେ ୧୦ ମିଲିୟନ ଡଲାରରୁ କମ୍ ଆର୍ଥିକ କ୍ଷୟକ୍ଷତି ଘଟିଛି।