ଭୁବନେଶ୍ବର(Swadhikar News): ଟାଟା ପାୱାରରେ କାମ କରୁଥିବା ଠିକା ବିଦ୍ୟୁତ କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଆଶ୍ୱସ୍ତିକର ଖବର। କର୍ମଚାରୀମାନେ ଆଉ ଛଟେଇ ହେବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଛଟେଇ ଉପରେ ରୋକ ଲାଗିଛି। ଲୋୟାର ପିଏମଜିରେ ଗତ ୧୩ ଦିନ ଧରି ଭାରତୀୟ ମଜଦୂର ସଂଘ ପକ୍ଷରୁ ଚାଲିଥିବା ଧାରଣା ଶେଷରେ ଫଳପ୍ରଦ ହୋଇଛି। ଗତକାଲି ଏହି ପ୍ରସଙ୍ଗରେ ପ୍ରାଥମିକ ଆଲୋଚନା ହେବା ପରେ, ଆଜି ମୁଖ୍ୟମନ୍ତ୍ରୀ ୫ ଜଣ ବିଧାୟକଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ।
ବୈଠକରେ ଟାଟା ପାୱାର ଠିକା କର୍ମଚାରୀଙ୍କ ଛଟେଇ ଉପରେ ତୁରନ୍ତ ରୋକ ଲଗାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମଜଦୂର ସଂଘର ଅନ୍ୟାନ୍ୟ ସମସ୍ୟା ଏବଂ ଦାବି ଗୁଡ଼ିକ ଉପରେ ଆଲୋଚନା କରି ସମାଧାନର ବାଟ ବାହାର କରିବାକୁ ସେ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଏବଂ ମହାକାଳପଡ଼ା ବିଧାୟକ ଦୁର୍ଗାପ୍ରସାଦ ନାୟକ ଲୋୟାର ପିଏମଜି ସ୍ଥିତ ଧାରଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ସେମାନେ ଆନ୍ଦୋଳନରତ ଭାରତୀୟ ମଜଦୂର ସଂଘର ପ୍ରତିନିଧିମାନଙ୍କୁ ଭେଟିବା ସହ ସେମାନଙ୍କର ବିଭିନ୍ନ ଦାବି ସମ୍ପର୍କରେ ସବିଶେଷ ଆଲୋଚନା କରିଛନ୍ତି। ସରକାରଙ୍କ ଏହି ସକାରାତ୍ମକ ପଦକ୍ଷେପ ପରେ ଠିକା କର୍ମଚାରୀଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି।
