Odia News Portal

ଦେଶର ଟପ୍‌ ଟେନ୍‌ ମଡେଲ୍‌ଙ୍କ ମଧ୍ୟରେ ସମ୍ୱଲପୁରର ଅଭିଷେକ

ସମ୍ବଲପୁର : ସମ୍ବଲପୁର ମାଟିର ସନ୍ତାନ ଅଭିଷେକ ଚଇନି । ବର୍ତ୍ତମାନ ଦେଶର ମଡେଲିଂ ଦୁନିଆରେ ଏକ ସ୍ପର୍ଦ୍ଦିତ ଉଚ୍ଚାରଣ । କୁନାଲ୍‌ ରାଓଲ୍‌, ରକି ଷ୍ଟାର୍‌, ନରେନ୍ଦ୍ର କୁମାର, କେନ୍‌ ଫରନ୍ସ, ବିକ୍ରମ୍‌ ଫାଣ୍ଡିସ୍‌, ଶ୍ରବଣ କୁମାର, ଅର୍ଜୁନ୍‌ ଖାନ୍‌ଙ୍କ ଭଳି ଫେସନ୍‌ ଡିଜାଇନରଙ୍କ ପାଇଁ କାମ କରିସାରିଛନ୍ତି । ଦେଶର ଟପ୍‌ ଫେସନ୍‌ ସୋ’ ଲେକ୍‌ମି ଫେସନ୍‌ ସୋ’, ବମ୍ବେ ଟାଇମ୍ସ ଫେସନ୍‌ ୱିକ, ଗୋଆ ବିଚ୍‌ ଫେସନ୍‌ ୱିକ୍‌,ବାଙ୍ଗାଲୁରୁ ଫେସନ୍‌ ୱିକ, ଏଫଡିସିଆଇ ଫେସନ୍‌ ସୋ’ ଭଳି ଦେଶର ନାମୀଦାମୀ ସୋ’ରେ ଭାଗ ନେଇ ସାରିଲେଣି । ବର୍ତ୍ତମାନ ସାରା ଦେଶରେ ଟପ୍‌ ଟେନ ଫେସନ୍‌ ମଡେଲ୍‌ଙ୍କ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ସମ୍ବଲପୁର ମାଟିକୁ ଗୌରବାନ୍ୱିତ କରିପାରିଛନ୍ତି ଅଭିଷେକ ।

ଫାଟକ ଅଞ୍ଚଳସ୍ଥ ଲକ୍ଷ୍ମୀନାରାୟଣ ଲେନ୍‌ ବାସିନ୍ଦା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବୁଢ଼ାରଜା ଚଇନି ଏବଂ ମାତା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ପଦ୍ମାସିନୀ ମିଶ୍ରଙ୍କ ପୁଅ ଅଭିଷେକ । ସିଦ୍ଦେଶ୍ୱରବେର୍ଣ୍ଣା ସରସ୍ୱତୀ ଶିଶୁ ମନ୍ଦିର ଏବ ବୁଢ଼ାରଜା ସ୍କୁଲରୁ ସ୍କୁଲ ଶିକ୍ଷା, ନ୍ୟୁଟନ୍‌ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ିବା ପରେ ଭୁବନେଶ୍ୱର ସ୍ଥିତ ସରକାରୀ କଲେଜରେ ଫେସନ୍‌ ଡିଜାଇନିଂ କରିଥିଲେ । ଅଭିଷେକ କୁହନ୍ତି ‘ଛୋଟ ବେଳେ ଇଛାଥିଲା ଗେମ୍‌ ଡେଭଲପର୍‌ ହେବାକୁ । ଏନିମେସନ୍‌ କୋର୍ସ କରି ଭିଡିଓ ଗେମ୍‌ ଡେଭଲପ୍‌ କରିବା ପାଇଁ ଆଗ୍ରହ ଥିଲା । କିନ୍ତୁ କଲେଜରେ ପଢ଼ିବା ବେଳେ ରୁଚି ବଦଳିଗଲା । ମଡେଲିଂ ପ୍ରତି ମନ ବଳିଲା । ତେଣୁ ଫେସନ୍‌ ଇଂଜିନିୟରିଂ ପାଠ ପଢ଼ିଲି । ସାଢ଼େ ୬ଫୁଟ ଉଚ୍ଚତା ସହ ପତଳା ଶରୀର ଥିଲା । ତେଣୁ କଲେଜରେ ପଢ଼ିଲା ବେଳୁ ଭୁବନେଶ୍ୱରେ ହିଁ ଅନେକ ପେଡ୍‌ ଫେସନ୍‌ ସୋ’ରେ ଭାଗ ନେବାର ସୁଯୋଗ ମିଳିଯାଉଥିଲା ।

ଇଂଜିନିୟରିଂ ପରେ ବାଙ୍ଗାଲୁରୁରେ ଆଇଟି ସେକ୍ଟରରେ ଚାକିରି ବି ପାଇଥିଲି । ହେଲେ ସେହି ଚାକିରି ଆତ୍ମ ସନ୍ତୋଷ ଦେଇନଥିଲା । ତେଣୁ ମୁମ୍ବାଇରେ ରହି ଫେସନ୍‌ ମଡେଲିଂରେ କ୍ୟାରିୟର୍‌ ଗଢ଼ିବାକୁ ଆଗ୍ରହ କଲି । ଏକ୍ସିସ୍‌ ବ୍ୟାଙ୍କ ପ୍ରିଣ୍ଟ କ୍ୟାମ୍ପେନ୍‌ ସୁଟ୍‌, ମାନ୍ୟବର, ଜାହାଁପନା, କବଚ ଭଳି ଏଥ୍‌ନିକ୍‌ ବ୍ରାଣ୍ଡର ସୁଟ୍‌ ସହ ସିନ୍‌ ଡେନିମ୍‌, ପେପେ ଜିନ୍ସ, ବ୍ଲାକବେରି, ଇଣ୍ଡିଗୋ ନେସନ୍‌ ଆଦି ବ୍ରାଣ୍ଡର ସୁଟ୍‌ କରି ପ୍ରଡକ୍ଟ ପ୍ରୋମଟ୍‌ କରିଛନ୍ତି । ପରିବାର ପକ୍ଷରୁ ବାପାମା ସମସ୍ତଙ୍କ ଠୁ ପୂର୍ଣ୍ଣ ସହଯୋଗ ମିଳୁଛି ।

ଏହା ତ କ୍ୟାରିଆରର ଆରମ୍ଭ ମାତ୍ର । ଆଗକୁ ବହୁତ କିଛି କରିବା ଲକ୍ଷ୍ୟ ରଖିଛି । ଆନ୍ତର୍ଜାତୀୟ ଫେସନ୍‌ ମଡେଲିଂ ସୋ’ର ଭାଗ ନେବା ସବୁଠୁ ସ୍ୱପ୍ନ । ଏଥିସହ ସମ୍ବଲପୁରୀ ବସ୍ତ୍ରକୁ ହାଏ ଫେସନ୍‌ ଡିଜାଇନିଂରେ ପହଞ୍ଚାଇବି । ସାଧାରଣତଃ ସମ୍ବଲପୁରୀ ବସ୍ତ୍ର ପାରମ୍ପରିକ ବସ୍ତ୍ର ଭାବେ ପରିଚିତ । ସମ୍ବଲପୁରୀ ଏବଂ ଆଧୁନିକ ଡିଜାଇନିଂର ଫ୍ୟୁଜନ୍‌ କରି ନୂଆ ଡିଜାଇନ୍‌ ପ୍ରସ୍ତୁତ କରିବି । ଯେମିତିକି ବର୍ତ୍ତମାନର ଯୁବ ପିଢ଼ି ମଧ୍ୟ ସମ୍ବଲପୁରୀ ପିନ୍ଧିବାର ଆଗ୍ରହ ପ୍ରକାଶ କରିବେ । ଏଭଳି କହିଛନ୍ତି ଫେସନ୍‌ ମଡେଲ୍‌ ତଥା ଫେସନ୍‌ ଡିଜାଇନର୍‌ ଅଭିଷେକ ଚଇନି ।