Odia News Portal

ସୁନା କି ଚାନ୍ଦି ନୁହେଁ, ଝଲସିବ ଜରି ମେଢ଼

କଟକ() ମା’ଙ୍କ ଗହଣାଠୁ ନେଇ ସାଜସଜ୍ଜା । ସବୁଥିରେ ଜରି, ସୋଲ କାରୁକାର୍ୟ୍ୟ ଦେଖିବାକୁ ମିଳିବ । ଦୂରରୁ ଦେଖିଲେ ଏହା ସୁନା, ରୁପା ଅଳଙ୍କାରର ଭ୍ରମ ସୃଷ୍ଟି କରିବ । କରୋନା କଟକଣା କାରଣରୁ ପ୍ରାୟ ସବୁ ମଣ୍ଡପରେ ମା’ଙ୍କ ପ୍ରତିମା ସୁନା, ରୁପା ଅଳଙ୍କାର ବଦଳରେ ପିନ୍ଧିବେ ମାଟି, ଜରିର ସୂକ୍ଷ୍ମ କାରୁକାର୍ୟ୍ୟ ସଂପନ୍ନ ଗହଣା । ଏପରିକି ଏଥର ବହୁ ମଣ୍ଡପରେ ଜରି ମେଢ଼ ହେବାର ସମ୍ଭାବନା ରହିଛି । କରୋନା ଯୋଗୁଁ ଦୀର୍ଘ ଦିନ ଧରି ହାତବାନ୍ଧି ବସିଥିବା କାରିଗର ମଧ୍ୟ ଭଲ ଦି’ ପଇସା ପାଇବେ । ଏପରି ସଙ୍କଟ ସମୟରେ ଏହା ଏକ ପ୍ରକାରରେ ସେମାନଙ୍କୁ ଆଶ୍ୱସ୍ତି ଦେଇଛି । ଏଭଳି ପରିସ୍ଥିତିରେ ଜରି ମେଢ଼ କରୁଥିବା କାରିଗରଙ୍କ ବେଶ ଡିମାଣ୍ଡ ରହିଛି । ଚଳିତ ବର୍ଷ କରୋନା କଟକଣା ପାଇଁ ଛୋଟ ମୂର୍ତ୍ତି ତିଆରି ଚାଲିଥିଲାବେଳେ ଏଥିରେ ଜରି ମେଢ଼ର ବେଶ ଚାହିଦା ରହିଛି । ଫଳରେ ଚଳିତ ବର୍ଷ ବହୁ ସଂଖ୍ୟକ ପୂଜା ମଣ୍ଡପରେ ଝଲସିବ ଜରି ତିଆରି ଅଳଙ୍କାର ଓ ମେଢ଼ ।

ପ୍ରତ୍ୟେକ ବର୍ଷ ଦଶହରାରେ କଟକରେ ସୁନା, ରୁପା ତାରକସି କାମକୁ ନେଇ ବିଭିନ୍ନ ପୂଜା ମଣ୍ଡପ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଥାଏ । ପୂଜା ମଣ୍ଡପରେ ଲକ୍ଷାଧିକ ମୂଲ୍ୟର ଅଳଙ୍କାର ଓ ମେଢ଼ ରାଜ୍ୟବାସୀଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ଚଳିତ ବର୍ଷ ଆକର୍ଷଣ ପାଲଟିଛି ମେଢ଼ରେ ହେଉଥିବା ଜରି କାରୁକାର୍ୟ୍ୟ । ମା’ଙ୍କ ହାର, ମୁକୁଟ, ଅଣ୍ଟାପଟି, କାନର, ବାଜୁ, ଚୁଡି, ପାଉଁଜି, କିରିଟି ଆଦି ୫୦ରୁ ଅଧିକ ଅଳଙ୍କାର ଜରିରେ ତିଆରି କରାଯାଉଛି । ତା’ ସହିତ କାଗଜ, ମହମ, ଜରିର ଆକର୍ଷଣୀୟ କାରିଗରୀ ମେଢ଼କୁ ଆହୁରି ଆକର୍ଷଣୀୟ କରିଛି । ସେହିପରି ଚଳିତ ବର୍ଷ ଆଶାଠାରୁ ଅଧିକ ଜରି ମେଢ଼ର ଡିମାଣ୍ଡ୍‌ ଦେଖିବାକୁ ମିଳିଛି । ନିୟମାନୁସାରେ ସହରରେ ଛୋଟ ମୂର୍ତ୍ତି ପୂଜା ପାଇବାକୁ ଥିବାରୁ ସୁନା, ଚାନ୍ଦି ବଦଳରେ ଜରି, ସୋଲର ଅଳଙ୍କାର ବହୁଳ ମାତ୍ରାରେ ବ୍ୟବହାର ହେବାର ସମ୍ଭାବନା ରହିଛି । ସହରରେ ବାଙ୍କା ବଜାର, ବଢେଇ ସାହି ଆଦି ଅନେକ ପୂଜା ମଣ୍ଡପରେ ଏବେ ମଧ୍ୟ ଜରି ମେଢ଼ ପରମ୍ପରା ରହିଥିବାର ଦେଖିବାକୁ ମିଳୁଛି । ଦଶହରାକୁ ଆଉ ଅଳ୍ପ କେଇଟା ଦିନ ଥିଲାବେଳେ ଏବେ ସବୁ କାମ ପ୍ରାୟ ଶେଷ ହୋଇଯାଇଛି । କେବଳ ଶେଷ ସ୍ପର୍ଶ ଦିଆଯାଉଛି ବୋଲି ମେଢ଼ କାରିଗର କହିଛନ୍ତି ।