Odia News Portal

ମୋଦିଙ୍କ ସମ୍ପତି ବଢ଼ିଲା, କେଉଁଠି ରଖିଛନ୍ତି କେତେ ଟଙ୍କା ?

ନୂଆଦିଲ୍ଲୀ()  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପତି ସାମାନ୍ୟ ବୃଦ୍ଧି ପାଇଛି । ତେବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମ୍ପତି ହ୍ରାସ ପାଇଛି । ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନଙ୍କର ସମ୍ପତି ତାଲିକାରୁ ଏହା ଜଣାପଡ଼ିଛି । ୨୦୨୦ ଜୁନ ୩୦ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତି ମୂଲ୍ୟ ୨.୮୫ କୋଟି ଟଙ୍କା ହୋଇଛି । ଗତ ବର୍ଷ ଅପେକ୍ଷା ଏହା ସାମାନ୍ୟ ଅଧିକ । ମୋଦି ନିଜ ଦରମାରୁ ଅଧିକ ଅର୍ଥ ସଂଚୟ କରୁଛନ୍ତି । ଯେତେବେଳେକି କରୋନା ପାଇଁ ସେୟାର ବଜାର ଦୁର୍ବଳ ଥିବାରୁ ଅମିତ ଶାହାଙ୍କ ସମ୍ପତି ୩୨.୩ କୋଟିରୁ ୨୮.୬ କୋଟିକୁ ହ୍ରାସ ପାଇଛି । ମୋଦି ନିଜ ରୋଜଗାରର ବଡ଼ ଅଂଶ ଟର୍ମ ଡିପୋଜିତ ଓ ସେଭିଂସ ଆକାଉଂଟରେ ରଖୁଛନ୍ତି । ମୋଦିଙ୍କ ନିକଟରେ ୩୧୪୫୦ ଟଙ୍କା କ୍ୟାଶ ଥିବାବେଳେ ୧ କୋଟି ୭୫ ଲକ୍ଷ ୬୩୬୧୮ ଟଙ୍କାର ବ୍ୟାଙ୍କ ଜମା ରହିଛି । ଗତବର୍ଷ ତୁଳନାରେ ତାଙ୍କର ଅସ୍ଥାବର ସମ୍ପତି ମୂଲ୍ୟ ୨୬% ବୃଦ୍ଧି ପାଇଛି । ଏସବିଆଇର ଗାନ୍ଧୀ ନଗର ଶାଖାରେ ମୋଦିଙ୍କର ୧ କୋଟି ୨୭ ଲକ୍ଷ ୮୧୫୭୪ ଟଙ୍କାର ସ୍ଥାୟୀ ଜମା ଥିବାବେଳେ ଏବେ ତାହା ବୃଦ୍ଧି ପାଇ ୧ କୋଟି ୬୦ ଲକ୍ଷ ୨୮୦୩୯ରେ ପହଁଚିଛି । ଟିକସ ବଂଚାଇ ହେଉଥିବା ସ୍ଥାନରେ ମୋଦି ନିବେଶ କରୁଛନ୍ତି ।

ମୋଦିଙ୍କର ଏନଏସସି ଓ ଇନଫ୍ରା ବଣ୍ଡ ମଧ୍ୟ ରହିଛି । ଏନଏସସିରେ ୮ ଲକ୍ଷ ୪୩ ହଜାର ୧୨୪ ଟଙ୍କା ଥିବାବେଳେ ବୀମା ପ୍ରିମିୟମ ବାବଦରେ ୧ ଲକ୍ଷ ୫୦୯୫୭ ଟଙ୍କା ଯାଉଛି । ସେହିପରି ସେ ୨୦ ହଜାର ଟଙ୍କାର ଇନଫ୍ରା ବଣ୍ଡ ମଧ୍ୟ କିଣିଛନ୍ତି । ଅପରପକ୍ଷରେ ମୋଦିଙ୍କ ନାମରେ ଗାନ୍ଧୀନଗରରେ ଯେଉଁ ଘର ରହିଛି ତାହାର ମୂଲ୍ୟ ୧ କୋଟି ୧ ଲକ୍ଷ ଟଙ୍କା । ମୋଦି କେଉଁଠାରୁ ଋଣ କରିନଥିବାବେଳେ ତାଙ୍କ ପାଖରେ କାର ନାହିଁ । ତେବେ ୪ଟି ସୁନା ମୁଦି ରହିଛି ।