Odia News Portal

ନିଟ୍‌ ଟପ୍ପର ହେଲେ ଓଡ଼ିଶାର ସୋଏବ୍‌

ଭୁବନେଶ୍ବର()  ନାସନାଲ୍ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଓଡ଼ିଶାର ପ୍ରଥମ ଛାତ୍ର ଭାବେ ସୋଏବ ଅଫତାବ୍‌ ନିଟ୍‌ ଟପ୍ପର ହୋଇଥିବାର ସୂଚନା ରହିଛି। ନିଟ୍‌ରେ ଶତ ପ୍ରତିଶତ ନମ୍ବର ରଖିବାରେ ସୋଏବ ହେଉଛନ୍ତି ପ୍ରଥମ । ରାଉରକେଲାର ୧୮ ବର୍ଷୀୟ ସୋଏବ ନିଟ୍‌ରେ ଶତପ୍ରତିଶତ ନମ୍ବର ରଖିଛନ୍ତି ।

ଏମବିବିଏସ ଏବଂ ବିଡିଏସ୍ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସେପ୍ଟେମ୍ବର ୧୩ ତାରିଖରେ ନିଟ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଓଡ଼ିଶାରୁ ୩୭ ହଜାର ୧୯୮ ଜଣ ଛାତ୍ରଛାତ୍ରୀ ନିଟ୍ ପାଇଁ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୩୨ ହଜାର ୮୩୩ଜଣ ପରୀକ୍ଷା ଦେଇଥିଲେ। ତେବେ ପରୀକ୍ଷା ପାଇଁ ୧୫.୯୭ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। କୋଭିଡ଼ କଟକଣା ମଧ୍ୟରେ ପରୀକ୍ଷା କରାଯାଇ ଥିଲା; କିନ୍ତୁ କରୋନା ସଂକ୍ରମିତ ଏବଂ କୋଭିଡ ଜୋନରେ ରହୁଥିବା ବିଦ୍ୟାର୍ଥୀଙ୍କୁ କେନ୍ଦ୍ର ଭିତରକୁ ପ୍ରବେଶ କରିବା ବାରଣ ଥିବାରୁ ପରୀକ୍ଷା ଦେଇ ପାରିନଥିଲେ। ଫଳ ପ୍ରକାଶ କରିବା ପୂର୍ବରୁ ସେପ୍ଟେମ୍ବର ୧୩ରେ ପରୀକ୍ଷା ଦେଇ ପାରିନଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଇ ଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ଏନ୍‌ଟିଏକୁ ପରାମର୍ଶ ଦେଇଥିଲେ। ଅକ୍ଟୋବର ୧୪ରେ ଏନ୍‌ଟିଏ ସ୍ୱତନ୍ତ୍ର ନିଟ୍ ପରୀକ୍ଷା କରାଯାଇଥିଲା ।