Odia News Portal

କରୋନା ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ଜୋରଦାର ପ୍ରସ୍ତୁତି,ଟିକା ନେବା ପରେ ମିଳିବ ସାର୍ଟିଫିକେଟ୍

କରୋନା ଟିକାକରଣ ନେଇ ରାଜ୍ୟ ସରକାର ଆରମ୍ଭ କରି ଦେଇଛନ୍ତି ଜୋରଦାର ପ୍ରସ୍ତୁତି । ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଦିଆଯିବ ଟିକା। ଏ ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଟିକା ଦେବାକୁ ଆଗୁଆ ନିଜ ନାମକୁ ପଞ୍ଜୀକରଣ କରିବାକୁ ପଡିବ । ସ୍ପଟ ପଞ୍ଜିକରଣ ହେବ ନାହିଁ। କେବଳ ପୋର୍ଟାଲରେ ପଞ୍ଜୀକରଣ ହେବ।କେନ୍ଦ୍ର ସରକାର ଜାରି କରିଥିବା ନିୟମ ଅନୁଯାୟୀ, ପରିଚୟ ପତ୍ର ଦେଇ ପଞ୍ଜୀକରଣ କରିବାକୁ ପଡିବ । ଗୋଟିଏ କେନ୍ଦ୍ରରେ ଶହେରୁ ୨ଶହ ଲୋକଙ୍କୁ ଟୀକା ଦିଆଯିବ । ଟୀକାକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟସ୍ତରରୁ ବ୍ଳକସ୍ତର ପର୍ଯ୍ୟନ୍ତ ଟାସ୍କଫୋର୍ସ ଗଠନ କରାଯାଇଛି ।

ଟୀକାକରଣର ପ୍ରଥମ ପର୍ୟ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଦିଆଯିବା ବେଳେ, ୨ ଲକ୍ଷ ୯ ହଜାର ୨୭୬ ଟୀକାକରଣ ସ୍ଥାନ ଚିହ୍ନଟ ହୋଇଛି । ଏଥିପାଇଁ ୮, ୨୭୬ ଟିକାକର୍ମୀ ନିୟୋଜିତ ହେବେ । ୧ ହଜାର ୨୨୨ କୋଲଡ ଚେନ ରହିଛି । ଟୀକା ନେବା ଆଣିବା ପାଇଁ ଆଇଏଲଆର ୧୭୯୬, ଡିଫ୍ରିଜର ୧୭୭୧ ରହିଛି । ଗୋଟିଏ ରାଜ୍ୟ ସ୍ତରୀୟ ଷ୍ଟୋର ଥିବା ବେଳେ ୯ ଟି ଆଞ୍ଚଳିକ ଓ ୩୨ ଟି ଜିଲ୍ଲା ସ୍ତରୀୟ ଟିକାକରଣ ଷ୍ଟୋର ରହିଛି ।

ପ୍ରତି ଟିକାକରଣ କେନ୍ଦ୍ରରେ ୫ ଜଣଙ୍କୁ ନିୟୋଜିତ କରାଯିବ । ଜଣେ ଭ୍ୟାକ୍ସିନେଟର ଓ ଜଣେ ଭ୍ୟାକ୍ସିନେସନ ଅଧିକାରୀ ରହିବେ । ଜଣେ ଭେରିଫାୟର ଓ ୨ ଜଣ ସୁପରଭାଇଜର ରହିବେ ।ଟିକାକରଣ ସ୍ଥାନରେ ୩ଟି ରୁମ ରହିବ । ପ୍ରେକ୍ଷାଳୟ, ନିରୀକ୍ଷଣ ଓ ଟିକାକରଣ ରୁମ ରହିବ । ଟିକାକରଣ ସରିବା ପରେ ୩୦ ମିନିଟ ନିରୀକ୍ଷଣରେ ରଖାଯିବ। ଟୀକାକରଣ ପରେ ସାର୍ଟିଫିକେଟ ଦିଆଯିବ ବୋଲି କୁହାଯାଇଛି ।