Odia News Portal

କଂଗ୍ରେସ କ୍ଷମତାକୁ ଆସିଲେ ଲାଗୁ ହେବ ଧାରା ୩୭୦

ନୂଆଦିଲ୍ଲୀ()  ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ ପୁଣି ଥରେ ଧାରା ୩୭୦ ସମ୍ପର୍କରେ ମୁହଁ ଖୋଲିଛନ୍ତି । ଧାରା ୩୭୦ ଉଚ୍ଛେଦକୁ ଅଣ ସାମ୍ବିଧାନିକ ବୋଲି କହିବା ସହିତ ଗୁପକାର ରାଜିନାମା ପ୍ରତି ସମର୍ଥନ ଜାହିର କରିଥିଲେ । ଏହା ସହିତ କଂଗ୍ରେସ କ୍ଷମତାକୁ ଆସିଲେ ଜମ୍ମୁ କାଶ୍ମୀରରେ ଧାରା ୩୭୦ ଲାଗୁ କରିବା ସହିତ ଜମ୍ମୁ କାଶ୍ମୀର ବାସୀଙ୍କ ଅଧିକାର ତାଙ୍କୁ ଫେରାଇ ଦିଆଯିବ ବୋଲି ଚିଦାମ୍ବରମ କହିଛନ୍ତି । ବିଜେପି ଶାସିତ କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରର ଆଞ୍ଚଳିକ ଦଳଙ୍କୁ ପ୍ରାଧାନ୍ୟ ଦେବା ସହିତ ସ୍ଥାନୀୟ ବାସିନ୍ଦାଙ୍କୁ ଦେଶଦ୍ରୋହୀ ଭଳି ବ୍ୟବହାର ନକରୁ ବୋଲି ଚିଦାମ୍ବରମ ଟ୍ୱିଟ କରିଛନ୍ତି ।
ଯେଉଁଭଳି ଭାବରେ ଅଗଣତାନ୍ତ୍ରିକ ଏବଂ ଅସାମ୍ବିଧାନିକ ଉପାୟରେ ଧାରା ୩୭୦ର ଉଚ୍ଛେଦ କରାଗଲା ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ଚିଦାମ୍ବରମ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ୫, ୨୦୧୯ରେ ମୋଦି ସରକାର ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ । ଧାରା ୩୭୦ ଉଚ୍ଛେଦ କରାଯାଇ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଥିଲା । ଏହାପରେ ସମସ୍ତ ବଡ ନେତାଙ୍କୁ ଗୃହବନ୍ଦୀ ଭାବରେ ରଖାଯାଇଥିଲା । ତେବେ ନିକଟରେ ସମସ୍ତ ନେତା ମୁକ୍ତ ହେବାପରେ ଗୁପକାର ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଏହି ଚୁକ୍ତିନାମା ଅନୁଯାୟୀ ଉକ୍ତ ୫ ରାଜନୈତିକ ଦଳର ସରକାର କ୍ଷମତାକୁ ଆସିଲେ ଧାରା ୩୭୦ ପୁନର୍ବାର ଲାଗୁ କରାଯିବ । ଏହାକୁ ପୁନଃଅବସ୍ଥାପିତ କରିବା ପାଇଁ ପିଡିପିର ମେହବୁବା ମୁଫତି, ଏନସିର ଫାରୁକ ଅବଦୁଲ୍ଲା, ପିପୁଲ୍ସ କନଫରେନ୍ସର ସଜ୍ଜାଦ ଲୋନ, ଜାଭେଦ ମିର ଏବଂ ସିପିଆଇ ଏମ ନେତା ୟୁସୁଫ ଟାରିଗାମୀ ଏକତ୍ର ହୋଇ ଗୁପକାର ଚୁକ୍ତିନାମା ସ୍ୱାକ୍ଷର କରିଥିଲେ ।