Odia News Portal

ବିଜେପିର ଟଙ୍କିକିଆ ସ୍କିମ୍ ପ୍ରହସନ; ମିଛରେ ଚନ୍ଦ୍ରପୃଷ୍ଠକୁ ବି ନେଇଯିବେ

ଭୁବନେଶ୍ବର (): ଓଡ଼ିଶାବାସୀଙ୍କୁ ଟଙ୍କାକରେ ୫ କେଜି ଚାଉଳ, ଅଧ କିଲୋ ଡାଲି ଏବଂ ଲୁଣ ଦେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିଶ୍ରୁତିର ଗୁମର ଖୋଲିଛି ବିଜୁ ଜନତା ଦଳ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି, ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ବିଜେପି ଛାନିଆଁ ହୋଇଯାଇଛନ୍ତି । ଫଳାଫଳ ଦୁର୍ବିସହ ଜାଣିଯିବା ପରେ ସବୁଠାରୁ ଅଧିକ ଭୟଭୀତ ହୋଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟବାସୀଙ୍କୁ ଟଙ୍କିକିଆ ଚାଉଳ, ଡାଲି ଏବଂ ଲୁଣ ଦେଖାଇ ସବୁଠାରୁ ବଡ଼ ଜୁମଲାର ଆଶ୍ରୟ ନେଇଛନ୍ତି । ତେବେ ଓଡ଼ିଶାବାସୀଙ୍କୁ ବିଜେପିର ଏହି ଜୁମଲା ପ୍ରଭାବିତ କରିପାରିବ ନାହିଁ ଏବଂ ସେମାନେ ଉଚିତ୍ ଜବାବ ଦେବେ ।

ଓଡ଼ିଶାବାସୀଙ୍କୁ ଜୁମଲା ଦେଖାଇବାକୁ ଧର୍ମେନ୍ଦ୍ର ପ୍ରଧାନ ବୁଦ୍ଧି କୋଉଠୁ ଓ କିଭଳି ପାଇଲେ ସାମ୍ବାଦିକ ସମ୍ମିଳନୀରେ ତାହାର ଅବତାରଣା କରିଛନ୍ତି ବିଜେଡ଼ି ନେତାମାନେ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଲା ପରେ ଦଳର ଫଳାଫଳକୁ ନେଇ ବିଜେପି ଶିବିରରେ ଆତଙ୍କ ଖେଳିଗଲା । ଆଗକୁ ଆଉ ତିନୋଟି ପର୍ଯ୍ୟାୟ ନିର୍ବାଚନ ଥିବାରୁ ରଣନୀତି ଖୋଜା ଚାଲିଲା । ଚିନ୍ତାରେ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କର ଜଣେ ସହଯୋଗୀ ଏକ ଉପାୟ ବତାଇଲେ । ରାଜ୍ୟ ସରକାର ଗରିବଙ୍କ ପାଇଁ ବହୁତ ଗୁଡ଼ାଏ କାର୍ଯ୍ୟକ୍ରମ କରିଛନ୍ତି । ସେଥିମଧ୍ୟରୁ ଟଙ୍କିକିଆ ଚାଉଳ ଏକ ସଫଳ କାର୍ଯ୍ୟକ୍ରମ । ତେଣୁ ବିଜେପି କାହିଁକି ସେଇ ବାଟ ଧରିବନି । ଏଥିରେ ଉତ୍ସାହିତ ଅନ୍ୟ ଜଣେ ସହଯୋଗୀ କହିଲେ, ଦେଖନ୍ତୁ ଆମେ ଅଭ୍ୟାସଗତ ମିଛୁଆ ବୋଲି ଟ୍ୟାଗ୍ ଲାଗିଗଲାଣି । ୨୦୧୪ ରେ ପ୍ରତି ବ୍ୟାଙ୍କ ଆକାଉଣ୍ଟରେ ୧୫ ଲକ୍ଷ, ବାର୍ଷିକ ୨ କୋଟି ଚାକିରି ଏବଂ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା କଥା କହି କିଛି କରିନେ । ଏବେ ସେଥିରେ ଆଉ ଗୋଟିଏ ମିଛ ଯୋଡିଦେଲେ ଆମର କ୍ଷତି କ’ଣ ? ଆମେ ତ ଏଠି ସରକାର କରିପାରିବା ନାହିଁ । ପୁଣି ମିଛ ପ୍ରତିଶ୍ରୁତି ଦେଇଦେଲେ କ୍ଷତି କ’ଣ ? ତେଣୁ ନବୀନ ବାବୁ ଟଙ୍କାକରେ କେଜିଏ ଚାଉଳ ଦେଉଛନ୍ତି ତ, ଚାଲ ଆମେ ଟଙ୍କାକରେ ୫ କେଜି ଚାଉଳର ପ୍ରତିଶ୍ରୁତି ଦେଇଦେବା ।

ଦୁଇ ସହଯୋଗୀଙ୍କ କଥା ଧର୍ମେନ୍ଦ୍ରଙ୍କ ମନକୁ ଛୁଇଁଲା । ସେ କହିଲେ, ତେବେ ଖାଲି ୫ କେଜି ଚାଉଳ କାହିଁକି? ସେଥିରେ ଅଧକିଲୋ ଡାଲି ଏବଂ ଅଧକିଲୋ ଲୁଣ ମିଶାଇ ଦେବା । କିଏ ପଚାରୁଛି । ଆମେ ଜାଣିଛେ, କୌଣସି ହାଲତରେ କ୍ଷମତାକୁ ଆସିବାର ନାହିଁ କି ପ୍ରତିଶ୍ରୁତି ପାଳିବାର ନାହିଁ ।

ଆମ ପାଖରେ ଜୁମଲାବାଜିର ଲମ୍ବା ତାଲିକା ଅଛି । ତାଲିକାରେ ଆଉ ଗୋଟେ ଯୋଡି ହେବ । ନିର୍ବାଚନ ପୂର୍ବରୁ ଲୋକଙ୍କୁ ଦେଉଥିବା ପ୍ରତିଶ୍ରୁତି ନିର୍ବାଚନ ପରେ ଭୁଲିଯିବାର ଅଛି । ଅସୁବିଧା କ’ଣ ? ଧର୍ମେନ୍ଦ୍ରଙ୍କ ଏଭଳି ମନଖୋଲା କଥାରେ ସହଯୋଗୀ ଖୁସି ହୋଇଯାଇଥିଲେ ବି ଟିକେ ବ୍ରେକ୍ ଦେବାକୁ ଚାହିଁଲେ । କହିଲେ, ଆମେ ଗତ ୫ବର୍ଷରେ ୨୨ଟି ରାଜ୍ୟରେ ଶାସନ କରୁଛେ । ସେଠି ଟଙ୍କିକିଆ ଚାଉଳ, ଡାଲି, ଲୁଣ ସ୍କିମ୍ କରିନେ । ଏଠି କହିଲେ ଲୋକେ ଆମକୁ ବିଶ୍ବାସ କରିବେ ତ? ଧର୍ମେନ୍ଦ୍ର କହିଲେ, ବ୍ୟସ୍ତ ହେବାର ନାହିଁ । ଆମକୁ ଏହା ଏତେ ଜୋର୍ ରେ କହିବାକୁ ହେବ ଯେ ଯେମିତି ଲୋକ ବିଶ୍ବାସ କରିବାକୁ ବାଧ୍ୟ ହେବେ ।

ଏହିଭଳି ଭାବେ ଟଙ୍କାକରେ ୫ କେଜି ଚାଉଳ, ଅଧ କିଲୋ ଡାଲି ଏବଂ ଅଧ କିଲୋ ଲୁଣ ପ୍ରତିଶ୍ରୁତି ଦେଇ ବିଜେପି ଓଡ଼ିଶାବାସୀଙ୍କୁ ଆଉ ଏକ ମିଛ ଏବଂ ଜୁମଲାର ଉପହାର ଦେଇଛି ବୋଲି ବିଜେଡ଼ି ନେତାମାନେ କହିଛନ୍ତି । ଯଦି ପ୍ରଥମ ପର୍ଯ୍ୟାୟ ଭୋଟ ପରେ ଯଦି ଏତିକି ତେବେ ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ବେଳକୁ ତାହା କେତେ ହେବ ଏଥିରୁ ଓଡ଼ିଶାବାସୀ ଅନୁମାନ କରନ୍ତୁ । ବିଜେପିର ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ମୋଟରସାଇକେଲରେ ସୀମିତ ଅଛି । ଦ୍ବିତୀୟ ପର୍ଯ୍ୟାୟର ବିପର୍ଯ୍ୟସ୍ତ ପରେ ସେମାନେ ଲୋକଙ୍କୁ କାର୍ ଦେବାର ପ୍ରତିଶ୍ରୁତି ଦେବେ । ତୃତୀୟ ପର୍ଯ୍ୟାୟ ବିଫଳତା ପରେ ଲୋକଙ୍କୁ ହେଲିକପ୍ଟର ଏବଂ ଏରୋପ୍ଲେନ୍ ର ପ୍ରତିଶ୍ରୁତି ଦେବେ । ଚତୁର୍ଥ ପର୍ଯ୍ୟାୟ ପାଖାପାଖି ବେଳକୁ ସେମାନେ ଯଦି ଲୋକଙ୍କୁ ଚନ୍ଦ୍ରପୃଷ୍ଠକୁ ନେବାର ପ୍ରତିଶ୍ରୁତି ଦେବେ ତେବେ ସେଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି କହିଛନ୍ତି ବିଜେଡ଼ି ନେତା ।

ବିଜେପି ମିଛ ଓ ଜୁମଲାବାଜି କରିବାରେ ଅଭ୍ୟସ୍ତ, କଥା ଆଜି ସମସ୍ତେ ଜାଣିସାରିଛନ୍ତି । ବିଜେପି ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହାର ଜବାବ ଦେବାକୁ ଓଡ଼ିଶାବାସୀ ପ୍ରସ୍ତୁତ ହୋଇସାରିଛନ୍ତି । ଏଥର ନିର୍ବାଚନରେ ସେମାନଙ୍କର ବିପର୍ଯ୍ୟସ୍ତ ସହ ମିଥ୍ୟା ଓ ଜୁମଲାବାଜି ଖତମ୍ ହେବ । ଯାହା ଓଡ଼ିଶାବାସୀ ଅପେକ୍ଷା କରି ରହିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକ, ମୁଖପାତ୍ର ଲେଲିନ୍ ମହାନ୍ତି, ଡ. ସସ୍ମିତ୍ ପାତ୍ର, ପ୍ରିୟଦର୍ଶୀ ମିଶ୍ର, ସୁଲତା ଦେଓ ଏବଂ ଛାତ୍ର ବିଜେଡ଼ି ସଭାପତି ରାଣା ପ୍ରତାପ ପାତ୍ର ଉପସ୍ଥିତ ଥିଲେ ।