Odia News Portal

ପୁରୀ ଘଟଣା ପରେ ପୁଲିସ୍‍ ବାବୁ ଛାନିଆ

ଭୁବନେଶ୍ୱର()  ପୁରୀ ଜିଲ୍ଲାରେ ପୁଲିସ୍‍ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେେ ଜାତୀୟ ଓ ରାଜ୍ୟ ମାନବ ଅଧିକାର କମିଶନରେ ମାମଲା ରୁଜୁ ହେବା, ହାଇକୋର୍ଟରେ ମାମଲା ହେବା ଏବଂ ରାଜ୍ୟ ସରକାର ପୁରୀ ଏସ୍‍ପିଙ୍କୁ ରାତି ଅଧିଆ ବଦଳି କରିବାପରେ ଏବେ ସାରା ରାଜ୍ୟରେ ପୁଲିସ୍‍ ମନରେ ଛନକା ପଶିଛି । ବିଶେଷକରି ଯେଉଁଠାରେ ପୁଲିସ୍‍ବାବୁମାନେ ଆଇନ୍‍ ଶୃଙ୍ଖଳା ରକ୍ଷା ତଥା ବଦମାସଙ୍କୁ ସାବାଡ ପାଇଁ କଠୋର ହେଉଥିଲେ ସେମାନେ ଏବେ ଏକ ପ୍ରକାର ହାତ ଟେକି ଦେଲେଣି ।

ପୁରୀ ସହରର ବାସେଳି ସାହି ଥାନା ଭିତରେ ଯୁବକଙ୍କ ମୃତୁ୍ୟ, ପିପିଲି ଓ ପୁରୀ ଟାଉନ୍‍ ଥାନାରେ ପୁଲିସ୍‍ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାରେ ଜାତୀୟ ମାନବ ଅଧିକାର କମିଶନରେ ଏକାଧିକ ପିଟିସନ ପଡିଥିବାବେଳେ କମିଶନ ବି ତଦନ୍ତ ଆରମ୍ଭ କରିଛନ୍ତି । ରାଜ୍ୟ ମାନବ ଅଧିକାର କମିଶନ ଓ ଓଡିଶା ହାଇକୋର୍ଟ ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ତଲବ କରିଛନ୍ତି । ଘଟଣା ଆଗକୁ କି ମୋଡ ନେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର ।

ବିଧାନସଭାରେ ଏହି ପ୍ରସଙ୍ଗ ଉଠିବା ଏବଂ ସରକାରଙ୍କ ଉପରେ ଚାପ ବଢିବାପରେ ପୁରୀ ଏସ୍‍ପିଙ୍କୁ ରାତି ଅଧିଆ ବଦଳି କରାଯାଇଛି । ବାସେଳିସାହି ଥାନାର ଦୁଇ ପୁଲିସ୍‍ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ପିପିଲି ଓ ପୁରୀ ଟାଉନଥାନା ଘଟଣାରେ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କୁ ତଦନ୍ତ ଭାର ଦିଆଯାଇଛି । ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ବିରୋଧିଦଳ ଏହାକୁ ପ୍ରସଙ୍ଗ କରିଛନ୍ତି । ସରକାରଙ୍କ ଠାରୁ ଆରମ୍ଭକରି ଆଇନ୍‍ ଅଦାଲତ ଓ କମିଶନଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଓ ଜବାବ ତଲବ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେଇଥିବାବେଳେ ପୁଲିସ୍‍ର ମନୋବଳ କିନ୍ତୁ ଦୁର୍ବଳ ହେଉଥିବା ଲକ୍ଷ୍ୟ କରାଯାଉଛି ।

ବିଶେଷକରି ଯେଉଁ ପୁଲିସ୍‍ ବାବୁମାନେ ଅପରାଧିଙ୍କୁ ସାବାଡ କରିବାପାଇଁ କଠୋର ହେଉଥିଲେ ସେମାନେ ଏବେ ଏକ ପ୍ରକାର ହାତଟେକି ଦେଲେଣି । ଏହାର ପ୍ରଭାବ ଖୋଦ ରାଜଧାନୀରେ ଦେଖିବାକୁ ମିଳୁଛି । ପୂର୍ବରୁ ଯେଭଳି ସ୍ୱତବ ପୁଲିସ୍‍ ବଳ ଅପରାଧିଙ୍କୁ ଉଠାଇ ଜେରା କରି ସତଓଗାଳୁଥିଲା ପୁରୀ ଘଟଣା ପରେ ପୁଲିସ୍‍ ବାବୁମାନେ ଏଥିପ୍ରତି ଭୟ କରୁଥିବା କିଛି ପୁଲିସ୍‍ କର୍ମଚାରୀ ପ୍ରକାଶ କରିଛନ୍ତି । କଠୋର ହେଲେ ଯଦି ଚାକିରି ଉପରେ ଆଞ୍ଚ ଆସୁଛି ତେବେ ଏଥିରୁ ଦୂରେଇ ରହିବା ବରଂ ଭଲ ବୋଲି କହୁଛନ୍ତି ।

ପୁଲିସ୍‍ର ଏଭଳି ଅବସ୍ଥା ଦେଖି ଅପରାଧି କିନ୍ତୁ ପୂରା ଖୁସି । ବିଶେଷକରି ପିପିଲି ଓ ପୁରୀ ଟାଉନ୍‍ ଥାନା ଘଟଣା ଯେଭଳି ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଛାଇ ଯାଇଛି ତାହା ଅପରାଧିଙ୍କୁ ବେଶ୍‍ ଉସôାହିତ କରିଥିବା ଲକ୍ଷ୍ୟ କରାଯାଉଛି । ଆଗାମୀ ଦିନରେ ଯଦି ପୁଲିସ୍‍ କୌଣସି ଠାରେ ଏବେ ଜଣାଶୁଣା ଅପରାଧିଙ୍କ ଦେହରେ ହାତ ଦିଏ ତେବେ ଅନୁରୂପ ଭାବେ ପୁଲିସ୍‍ ବିରୁଦ୍ଧରେ ପ୍ରଚାର ଲାଗି କିଛି ଅପରାଧି ସଜବାଜ ବି ହେଲେଣି । ତେଣୁ ଏଭଳି ସ୍ଥିତିରେ ଆଗାମୀ ଦିନରେ କିଭଳି ପୁଲିସ୍‍ ଅପରାଧି ଦମନ କରିବ ତାହା ବଡ ପ୍ରଶ୍ନବାଚୀ ହେଲାଣି । ଅତି କମ୍‍ରେ ପୁରୀ ଘଟଣା ଥଣ୍ଡା ନପଡିବା ପର୍ଯ୍ୟନ୍ତ ପୁଲିସ୍‍ମାନେ ବାଡି ଉଠାଇବାକୁ ରାଜି ନଥିବା ଲକ୍ଷ୍ୟ କରାଯାଉଛି ।