Odia News Portal

‘ସାରେଗାମାପା’ର ବିଜେତା ଇଶିତା

ଜି ଟିଭିରେ ପ୍ରସାରିତ ଲୋକପ୍ରିୟ ସିଙ୍ଗିଙ୍ଗ୍ ରିଆଲିଟି ଶୋ’ ସାରେଗାମାପାର ଗ୍ରାଣ୍ଡ୍ ଫିନାଲେ ରବିବାର ସରିଯାଇଛି। ଗ୍ରାଣ୍ଡ୍ ଫିନାଲେରେ ଶେଷ ୬ ଜଣଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିବା ବେଳେ ବାଜି ମାରି ନେଇଛନ୍ତି ଜବଲପୁରର ଇଶିତା ବିଶ୍ୱକର୍ମା। ସେ ଶୋ’ର ବିଜେତା ସାଜି ଟ୍ରଫି ହାତେଇଛନ୍ତି। ଏହାସହ ତାଙ୍କୁ ମିଳିଛି ୫ ଲକ୍ଷ ଟଙ୍କା ଓ ଏକ ହୁଣ୍ଡାଇ କାର । ଶୋ’ରେ ସବୁଠୁ ଛୋଟ ପ୍ରତିଯୋଗୀ ହୋଇ ବି ଦର୍ଶକଙ୍କ ଖୁବ୍ ଭଲ ପାଇବା ପାଇଥିଲେ ଇଶିତା। ସେ ସାରେଗାମାପା ପୂର୍ବରୁ ଅନେକ ରିଆଲିଟି ଶୋ’ରେ ଅଂଶ ଗ୍ରହଣ କରିସାରିଛନ୍ତି। ସେ କେବଳ ସଙ୍ଗୀତ କ୍ଷେତ୍ରରେ ନୁହେଁ ଜବଲପୁରରେ ବାଲ୍ୟ ବିବାହ ବିପକ୍ଷରେ ମହିଳାଙ୍କୁ ସଶକ୍ତ କରିବାକୁ ସଂଘର୍ଷ ଚଳାଇଛନ୍ତି।
ଫାଇନାଲ୍ରେ ପହଞ୍ଚିଥିବା ସେହି ୬ ପ୍ରତିଯୋଗୀଙ୍କ ମଧ୍ୟରେ ଥିଲେ ଅସଲମ୍ ମାଜୀଦ, ଐଶ୍ୱର୍ୟ୍ୟା ପଣ୍ଡିତ, ସାହିଲ୍ ସୋଲଙ୍କି, ସୋନୁ ଗିଲ୍, ତନ୍ମୟ ଚତୁର୍ବେଦୀ, ଓ ଇଶିତା ବିଶ୍ୱକର୍ମା। ତନ୍ମୟ ଚତୁର୍ବେଦୀ ପ୍ରଥମ ରନର୍ସ ଅପ୍ ହୋଇଥିବା ବେଳେ ଦ୍ୱିତୀୟ ରନର୍ସ ଅପ୍ ହୋଇଛନ୍ତି ସୋନୁ ।