ବିଜେପିର ୨୦୧୪ ପ୍ରତିଶ୍ରୁତି ଗଲା କୁଆଡ଼େ ?
ପ୍ରତିଶ୍ରୃତି ସମାବେଶକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟର୍ଗେଟ କରିଛି ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ଅଭିଯୋଗ କରିଛି, ଧର୍ମେନ୍ଦ୍ର ହେଉଛନ୍ତି ଅଭ୍ୟାସଗତ ମିଛୁଆ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ୨୦୧୪ରେ ଦେଇଥିବା ପ୍ରତିଶୃତି ପାଳନ ନ କରି ଏବେ ସମାବେଶ କରୁଛନ୍ତି । ପ୍ରଥମେ ଦେଇଥିବା ପ୍ରତିଶ୍ରୃତି କେବେ ପାଳନ କରିବେ ବୋଲି ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛି ବିଜେଡି । କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇ ବିଜେପି ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ଦଳ। ତାସହ ବିଜେପିକୁ ୩ଟି ପ୍ରଶ୍ନ ପଚାରିଛି ବିଜେଡି ।
ଦଳ ଅଭିଯୋଗ କରିଛି, ୨୦୧୪ ନିର୍ବାଚନୀ ଇସ୍ତାହାରରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କଥା ଉଲ୍ଲେଖ କରିଥିଲା। ୫ବର୍ଷ ବିତିବାକୁ ବସିଥିଲେ ବି ଏଦିଗରେ ବିଜେପି ନିରବ ରହିବା ଦୁର୍ଭାଗ୍ୟଜନକ। ଏବେ ପୁଣି ପ୍ରତିଶ୍ରୁତି ଦେବାକୁ କଡ଼ା ସମାଲୋଚନା କରିଛି ବିଜେଡି। ସେହିପରି ଧାନ ଏମଏସପିକୁ ଦେଢ଼ ଗୁଣା ବୃଦ୍ଧି ପାଇଁ ୨୦୧୪ରେ ପ୍ରତିଶ୍ରୁତି ଦେଇଥିଲା ବିଜେପି। କିନ୍ତୁ କ୍ୱିଣ୍ଟାଲ ପିଛା କେବଳ ୨ଶହ ଟଙ୍କା ବୃଦ୍ଧି କରିଥିଲେ। ବିଜେଡି ପ୍ରଶ୍ନ କରିଛି, ଚାଷୀ କୂଳ ପ୍ରତି ବିଜେପି ପ୍ରତିଶ୍ରୁତିବଦ୍ଧ ଥିଲା ନା ଆକ୍ରୋଶମୂଳକ ପ୍ରତାରଣା? ସେହିପରି ନିଯୁକ୍ତି ଓ ଜନଧନ ଯୋଜନା ପ୍ରସଙ୍ଗରେ ବି କେନ୍ଦ୍ର ସରକାର ଉପରେ ବର୍ଷିଛି ବିଜେଡି। ୨୦୧୪ରେ ବିଜେପି କହିଥିଲା ସରକାରକୁ ଆସିଲେ ବର୍ଷକୁ ୨ କୋଟି ଲୋକଙ୍କୁ ନିଯୁକ୍ତି ଦେବ। ସେହି ଅନୁପାତରେ ୫ବର୍ଷରେ ଓଡ଼ିଶାରେ ୩୬ ଲକ୍ଷ ଚାକିରି ପ୍ରଦାନ କରିବା କଥା। କିନ୍ତୁ ବାସ୍ତବତା କଣ ବୋଲି ଦଳ ପ୍ରଶ୍ନ କରିଛି।
ଏହି ସମାବେଶରେ ବିଜେଡି କୃଷକ ସେଲର ସେକ୍ରେଟାରଜେନେରାଲ ତଥା ମନ୍ତ୍ରୀ ପ୍ରତାପ ଜେନା, ବିଜେଡି ସାଧାରାଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା, ବିଜେଡି ମିଡିଆ କୋଅର୍ଡିନେଟର ତଥା ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ , ବିଜେଡି ମୁଖପାତ୍ର ସସ୍ମିତ ପାତ୍ର , ଓ ବିଜେଡି ସମ୍ପାଦକ ବିଜୟ ନାୟକ ପ୍ରମୁ୍ଖ ଉପସ୍ଥିତ ଥିଲେ ।
