ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବୌଦ୍ଧ ଏବଂ ଭଂଜନଗରରେ ଏକାଧିକ ଜନକଲ୍ୟାଣକାରୀ ଯୋଜନାର ଉଦଘାଟନ କରିବା ସହ ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବୌଦ୍ଧରେ ମୁଖ୍ୟମନ୍ତ୍ରୀ 192 କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିଥିବା ବେଳେ 777.59 କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେହିଭଳି ଭଂଜନଗରରେ ମୁଖ୍ୟମନ୍ତ୍ରୀ 21.26 କୋଟି ଟଙ୍କର ପ୍ରକଳ୍ପକୁ ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିବା ବେଳେ 86.69 କୋଟି ଟଙ୍କାର 24ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।ବୌଦ୍ଧର କଣ୍ଟାମାଳ ବ୍ଲକରେ ମୁଖ୍ୟମନ୍ତ୍ରୀ 4ଟି ହାଇଲେବୁଲ ବ୍ରିଜ ସହ 6ଟି ରାସ୍ତା ପ୍ରକଳ୍ପ ଓ 4ଟି 100 ସଯ୍ୟା ବିଶିଷ୍ଟ ବାଳିକା ଛାତ୍ରୀନିବାସ ଏମିତି ମୋଟ 45ଟି ପ୍ରକଳ୍ପର ଶୁଭ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରିଥିଲେ । ଏଥିସହିତ କାଳିଆ ଯୋଜନାରୁ ଯେପରି ଜଣେ ବି ଯୋଗ୍ୟ ହିତାଧିକାରୀ ବାଦ ନପଡନ୍ତି ସେନେଇ ସରକାର ଯଥେଷ୍ଟ ସଚେତନ ଥିବା ସେ କହିଛନ୍ତି । ଆଜି ଉଦଘାଟିତ ହୋଇଥିବା ହୋଇଥିବା ଭିତ୍ତିପ୍ରସ୍ତର ପଡିଥିବା ନୂଆ ପ୍ରକଳ୍ପ ଆଗାମୀ ଦିନରେ ବୌଦ୍ଧ ଜିଲ୍ଲାରେ ସଡକ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ସାଙ୍ଗକୁ ପାନୀୟ ଜଳ ଯୋଗାଣ ଏବଂ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବ ।
ସେହିଭଳି ମୁଖ୍ୟମନ୍ତ୍ରୀ ଭଂଜନଗରରେ ଏକ ନୂଆ ବସଷ୍ଟାଣ୍ଡ, ସ୍ବତନ୍ତ୍ର ସବଜେଲ ଓ ଟାଉନ ହଲର ଉଦଘାଟନ କରିଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀ ଭଂଜନଗର ଆରଏମସି ପଡିଆରେ ପ୍ରାୟ 30ହଜାରରୁ ଅଧିକ ଲୋକଙ୍କ ସମ୍ବୋଧିତ କରିଥିଲେ । ଭତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ପ୍ରକଳ୍ପଗୁଡିକ ଆଗାମୀ ଦିନରେ ଭଂଜନଗରର ସଡକ ଯୋଗାଯୋଗ ଏବଂ ବନ୍ୟା ମୁକାବିଲାକୁ ସୁଦୃଢ କରିବ ।
