Odia News Portal

ନବନିର୍ମାଣ କୃଷକ ସଂଗଠନ ରାଜନୈତିକ ଦଳର ଅସ୍ତ୍ର

ନବ ନିର୍ମାଣ କୃଷକ ସଂଗଠନ ପ୍ରକୃତରେ କୃଷକ ମାନଙ୍କ ସ୍ୱାର୍ଥ ପାଇଁ ଲଢୁଛି ନା କିଛି ରାଜନୈତିକ ଦଳର ଅସ୍ତ୍ରଭାବେ କାର୍ଯ୍ୟକରୁଛି ସେ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । କୃଷକ ମାନଙ୍କ ପାଇଁ ରାଜ୍ୟ ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇ କାଳିଆ ଯୋଜନା ଭଳି ଏକ ସର୍ବଜନାଦୃତ ଯୋଜନା କରିବା ପରେ ନବନିର୍ମାଣ କୃଷକ ସଂଗଠନର ଆନେ୍ଦାଳନ ଏକ ପ୍ରହସନରେ ପରିଣତ ହୋଇଛି । ସମଗ୍ର ଦେଶରେ କାଳିଆ ଯୋଜନାକୁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ଏଭଳି ଆନେ୍ଦାଳନକୁ ଲୋକେ ଆଉ ଗ୍ରହଣ କରିବା ଅବସ୍ଥାରେ ନାହାନ୍ତି । ନବନିର୍ମାଣ କୃଷକ ସଂଗଠନ ଆସନ୍ତାକାଲି ୨୧ତାରିଖ ଓଡିଶା ବନ୍ଦ ପାଇଁ ଆହ୍ୱାନ ଦେଇଛି ।

ଆସନ୍ତା ୨୨ ତାରିଖରେ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଥିବା ଜାଣି ୨୧ ତାରିଖରେ କୃଷକ ସଂଗଠନର ବନ୍ଦ ଡାକରା ଦେବା ନେଇ ତୀବ୍ର ପ୍ରତିକି୍ରୟା ଦେଖାଦେଲାଣି । ନିଜର ସ୍ୱାର୍ଥସାଧନ ନାଁରେ ଆନେ୍ଦାଳନ କରି ନବନିର୍ମାଣ କୃଷକ ସଙ୍ଗଠନ ହାଜାର ହଜାର ପିଲାଙ୍କ ଭିବଷ୍ୟତକୁ କାହିଁକି ଅନ୍ଧରାକୁ ଠେଲିବାକୁ ଯାଉଛି? କେବଳ ଏତିକି ନୁହେଁ, ରାଜ୍ୟର ତଥାକଥିତ ଦାୟିତ୍ବସଂପନ୍ନ ଦୁଇ ଜାତୀୟ ଦଳ ମଧ୍ୟ ବନ୍ଦକୁ କେଉଁ ସ୍ବାର୍ଥରେ ସମର୍ଥନ କରୁଛନ୍ତି । ରାଜ୍ୟ ସରକାରଙ୍କ ବାରମ୍ବାର ଅପିଲ ପରେ ମଧ୍ୟ ମାଟ୍ରିକ ପରୀକ୍ଷା ପୂର୍ବ ଦିନ ଓଡିଶା ବନ୍ଦ ଡାକରା ପରେ ସାଧାରଣରେ ଏହି ପ୍ରଶ୍ନ ଉଠିବା ସ୍ବାଭାବିକ ।

ରାଜ୍ୟର ପ୍ରାୟ ୬ ଲକ୍ଷ ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ବାଜିରେ ଲାଗାଇଛି ନବ ନିର୍ମାଣ କୃଷକ ସଂଗଠନ । ଏହି ବନ୍ଦ ଡାକରା କୃଷକଙ୍କ ମଙ୍ଗଳ ପାଇଁ ନା ପିଲାଙ୍କ ଭବିଷ୍ୟତ ବିଗାଡିବା ପାଇଁ । ଏନେଇ ଏବେ ସବୁ ମହଲରେ ପ୍ରଶ୍ନ ଉଠିଲାଣି । କାରଣ ୨୨ ତାରିଖରୁ ମଟ୍ରିକ ପରୀକ୍ଷା ନେଇ ବହୁ ପୂର୍ବରୁ ସମୟ ନିର୍ଘଣ୍ଟ ସରିଛି। ହେଲେ ନବ ନିର୍ମାଣ କୃଷକ ସଙ୍ଗଠନ ମାଟ୍ରିକ ପରୀକ୍ଷାର ଠିକ୍ ପୂର୍ବ ଦିନ ଅର୍ଥାତ ୨୧ ତାରିଖରେ ବନ୍ଦ ଡକରା ଦେଇଛି। ସେହିଦିନ ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର, ଉତ୍ତରଖାତା ଆଦି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାର ଅଛି । ଯେଉଁଥିରେ ବାଧା ଉପୁଯିବା ନିଶ୍ଚିତ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଥା ଚିନ୍ତା ନକରି ଏପରି ବନ୍ଦ ଡାକରାକୁ ନେଇ ନାନା ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି ।

ଦୁଇ ଦିନ ଧରି କ୍ରମାଗତ ଭାବେ ରାଜ୍ୟ ସରକାର ଅପିଲ କରିବା ପରେ ମଧ୍ୟ ନବ ନିର୍ମାଣ କୃଷକ ସଂଗଠନ ଆସନ୍ତା କାଲି ଓଡିଶା ବନ୍ଦ ଡାକରାକୁ କାର୍ୟ୍ୟକାରୀ କରିବ । ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର । ମାଟ୍ରିକ ପରୀକ୍ଷାକୁ ଦୃଷ୍ଟିରେ ରଖି ବନ୍ଦ ଡାକରା ପ୍ରତ୍ୟାହାର ପାଇଁ ରାଜ୍ୟ ସରକାର ଅନୁରୋଧ କରିବାପରେ ଅକ୍ଷୟ କୁମାର ଆଜି ଏଠାରେ ଏହି ସୂଚନା ଦେଇଛନ୍ତି ।