Odia News Portal

ଆଜି ମୁଖ୍ୟମନ୍ତ୍ରୀ ପୁଣି ଦିନିକିଆ ବ୍ରହ୍ମପୁର ଗ୍ରସ୍ତ : ବହୁ ପ୍ରତୀକ୍ଷିତ ଜାନିବିଲି ପ୍ରକଳ୍ପର ଉଦଘାଟନ

ବ୍ରହ୍ମପୁର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଦିନିକିଆ ବ୍ରହ୍ମପୁର ଗ୍ରସ୍ତରେ ଆସୁଛନ୍ତି। ଏଥିପାଇଁ ଜିଲ୍ଲା ପ୍ରଶାସନ , ବ୍ରହ୍ମପୁର ମହାନଗର ନିଗମ ଓ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ଗସ୍ତରେ ଆସି ସ୍ଥାନୀୟ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଖେଳ ପଡିଆରେ ଆୟୋଜନ ହେଉଥିବା ଏକ ସଭାରେ ଯୋଗ ଦେବା ସହ ବ୍ରହ୍ମପୁର ମହାନଗର ସମେତ ଜିଲ୍ଲାର ବହୁ ଉନ୍ନୟନ ମୂଳକ କାର‌୍ୟ୍ୟର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ। ଏହି ଅବସରରେ ବହୁ ପ୍ରତୀକ୍ଷିତ ଜାନିବିଲି ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

 ୪୯୦ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ୨୦୧୬ ମସିହାରୁ କାର‌୍ୟ୍ୟ ଆରମ୍ଭ ହୋଇଥିବା ଏହି ପାନୀୟ ଜଳ ପ୍ରକଳ୍ପ ବର୍ତ୍ତମାନ କାର‌୍ୟ୍ୟକ୍ଷମ ହେବା ଦ୍ୱାରା ବ୍ରହ୍ମପୁର ମହାନଗର ନିଗମ ସମେତ ଗ୍ରାମାଞ୍ଚଳର ୫୪ଟି ଗାଁର ଜଳ କଷ୍ଟ ଦୂର ହେବ । ଏହା ସହ ବ୍ରହ୍ମପୁର ସହରର ୧୩ଟି ଉନ୍ନୟନ ମୁଳକ କାର‌୍ୟ୍ୟର ଶିଳାନ୍ୟାସ କରିବା ସହ ୭ଟିର ଶୁଭ ଉଦଘାନଟନ କରିବେ। ସେପଟେ ଗଞ୍ଜାମ ଜିଲ୍ଲା ଆର‌୍ୟ୍ୟପଲ୍ଲୀରେ ୨ କୋଟି ଟଙ୍କା ବ୍ୟୟରେ ଆଧୁନିକ ମାଛମରା ଜେଟି ତଥା ଫିସିଂ ହାର୍ବର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବେ । ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ଗସ୍ତ ବେଳେ ମୋଟ ୫୪୩ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ କାର‌୍ୟ୍ୟର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ। ମୁଖ୍ୟ ମନ୍ତ୍ରୀଙ୍କ ଗସ୍ତରୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ଏନେଇ ବ୍ରହ୍ମପୁର ମହାନଗ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ଓ ବ୍ରହ୍ମପୁର ମହାନଗର ନିଗମର କମିଶନର ଚକ୍ରବର୍ତ୍ତୀ ସିଂ ରାଥୋଡ୍ ସୂଚନା ଦେଇଛନ୍ତି ।