ଭୁବନେଶ୍ୱର : ‘ଆପଣମାନେ ଖୁସି ତ..? ମୁଁ ଖୁସି ।’-ସୁନ୍ଦରଗଡ଼ରୁ ଗଜପତି, ଖୋର୍ଦ୍ଧାରୁ ମୟୂରଭଞ୍ଜ । ଗୋଟିଏ ପରେ ଗୋଟିଏ ସମାବେଶ । କେଉଁଠି ମିଶନ ଶକ୍ତି, କେଉଁଠି କାଳିଆ, ଆଉ କେଉଁଠି ଯୁବ ସମାବେଶ । ହାତଗଣତି ୩/୪ଟି ଜିଲ୍ଲାକୁ ଛାଡ଼ିଦେଲେ ସବୁ ଜିଲ୍ଲା ଖେଦି ସାରିଲେଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୋଟ ପୂର୍ବରୁ ଆରମ୍ଭ କରିଛନ୍ତି ମାରାଥନ ଭୋଟ ପ୍ରଚାର । ସରକାରଙ୍କ ସଫଳତାକୁ ଲୋକଙ୍କ ଆଗରେ ରଖୁଛନ୍ତି । କେନ୍ଦ୍ରର ବିଫଳତାକୁ ମଧ୍ୟ ଟାର୍ଗେଟ୍ କରୁଛନ୍ତି । ବିଜେଡି ସରକାରର ଜନକଲ୍ୟାଣ କାର୍ଯ୍ୟକ୍ରମ ସଂପର୍କରେ ବଖାଣିବା ପରେ ପଚାରୁଛନ୍ତି ଆପଣ ଖୁସି ତ…? ଉପସ୍ଥିତ ଜନତା ହାତ ହଲାଇ ଏକସ୍ୱରରେ କହୁଛନ୍ତି ହଁ… । ନବୀନଙ୍କ ଏ ଭାଷଣର ଟ୍ୟାଗ୍ ଲାଇନ୍ ଏବେ ସୋସିଆଲ ମିଡିଆରେ ବେଶ୍ ଟ୍ରେଣ୍ଡ କରିଛି ।
ବିରୋଧୀ କଂଗ୍ରେସ ଓ ବିଜେପି କେନ୍ଦ୍ରୀୟ ନେତାଙ୍କୁ ଆଣି ପ୍ରଚାର ଅଭିଯାନ ଜାରି ରଖିଛନ୍ତି । ଶାସକ ବିଜୁ ଜନତା ଦଳ ପାଇଁ କିନ୍ତୁ ନବୀନ ସବୁଠାରୁ ବଡ଼ ପୁଞ୍ଜି ଭାବେ ପ୍ରଚାରର ମଙ୍ଗ ଯେ ଧରିବେ ତାହା ଜଳଜଳ । ନବୀନଙ୍କ ସ୍ୱଛ ଭାବମୂର୍ତ୍ତି ସହ କିଛି ଜନକଲ୍ୟାଣ ଯୋଜନାକୁ ଅସ୍ତ୍ର ଭାବେ ଧରି ବିଜେଡି ଭୋଟ ରଣାଙ୍ଗନକୁ ଓହ୍ଲାଇବ । ବିଜେପି ଓ କଂଗ୍ରେସ ନିଜ ଅଭିଯାନକୁ ଜୋରଦାର କରିବା ପୂର୍ବରୁ ସାରା ଓଡ଼ିଶା ଚକ୍କର କାଟିଛନ୍ତି ମୁଖ୍ୟମନ୍ତ୍ରୀ । କେବଳ ମାଲକାନଗିରି, ଦେବଗଡ଼, ଭଦ୍ରକ ଭଳି ହାତଗଣତି ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ପ୍ରାୟ ସବୁ ଜିଲ୍ଲା ନବୀନ ଘୂରି ସାରିଲେଣି । ଲୋକଙ୍କ ନିକଟତର ହେବାକୁ ସେ ନୂଆ ରଣକୌଶଳ ଆଦରିଥିଲା ବେଳେ ଜିଲ୍ଲା ଗସ୍ତ କରି ଦଳୀୟ କର୍ମୀ ମହଲକୁ ୱାର୍ମଅପ୍ ମଧ୍ୟ କରିଛନ୍ତି । ଆଉ ଚାରି/ପାଞ୍ଚ ଦିନ ମଧ୍ୟରେ ଭୋଟ ବିଜ୍ଞପ୍ତି ଜାରି ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ବଳକା ଜିଲ୍ଲା ଗସ୍ତ ସାରି ଭୋଟ ପ୍ରଚାର କରିବେ ବୋଲି ସୂଚନା ମିଳିଛି ।
ଜାନୁଆରୀ ୨୪ ବଲାଙ୍ଗୀର ଯୁବ ସମାବେଶରୁ ମୁଖ୍ୟମନ୍ତ୍ରୀ ବିଜେଡି ପ୍ରଚାରର ଶୁଭାରମ୍ଭ କରିଥିଲେ । ପରେ ପୁରୀରେ ‘କାଳିଆ’ ମହାସମାବେଶ । ବାରିପଦାରେ ‘ମିଶନ ଶକ୍ତି’ ସମାବେଶ ଅନୁଷ୍ଠିତ ହେଲା । ପରେ ନିୟମିତ ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଅନୁଷ୍ଠିତ ହୋଇଛି ସମାବେଶ । ଏହି ବିଶାଳ ସମାବେଶଗୁଡ଼ିକରେ ମୁଖ୍ୟମନ୍ତ୍ରୀ ଶହ ଶହ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିବା ସହ ଉଦ୍ଘାଟନ କରିଛନ୍ତି । ରାଜ୍ୟ ପାଇଁ ବିଜେଡି ସରକାର ନେଇଥିବା ପଦକ୍ଷେପ ସଂପର୍କରେ କହି ଭୋଟବ୍ୟାଙ୍କକୁ ସୁରକ୍ଷିତ ରଖିବାର ସବୁପ୍ରକାର ଉଦ୍ୟମ କରିଛନ୍ତି ।
ସମାବେଶଗୁଡ଼ିକରେ ମୁଖ୍ୟମନ୍ତ୍ରୀ ନୂଆ କୌଶଳ ମଧ୍ୟ ଆପଣାଇଛନ୍ତି । ସଭା ହେଉ ଅବା ସମାବେଶ ନବୀନ ଯେଉଁଠି ଉପସ୍ଥିତ ରହୁଛନ୍ତି, ସେଠି ମଞ୍ଚରେ ଅନ୍ୟ ନେତା ବସୁନାହାନ୍ତି । ସାଧାରଣ ଲୋକ, ସଫଳ ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ କିମ୍ବା ବିଜୁ ଯୁବ ବାହିନୀର ସଦସ୍ୟମାନେ ନବୀନଙ୍କ ନିକଟରେ ବସୁଛନ୍ତି । କେବଳ ବସୁନାହାନ୍ତି, ସରକାରୀ ଯୋଜନା ନେଇ ଆପତ୍ତି, ଅଭିଯୋଗ ସହ ନୂଆ ପରାମର୍ଶ ଦେଉଛନ୍ତି । ଏପରିକି ନିଜ ସଫଳତାର କାହାଣୀ ମଧ୍ୟ ଶୁଣାଉଛନ୍ତି, ସେଲ୍ଫି ମଧ୍ୟ ନେଉଛନ୍ତି । ଅନ୍ୟ ନେତାଙ୍କ ଭାଷଣ ବଦଳରେ ନବୀନ ଏବେ ସାଧାରଣ ଲୋକଙ୍କ କାହାଣୀ ଶୁଣୁଛନ୍ତି ।
ବିଜେପି ମିଶନ ୧୨୦ ଲକ୍ଷ୍ୟରେ କ୍ଷେତ୍ର ପ୍ରସ୍ତୁତ କରୁଛି । ଦଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋର୍ଦ୍ଧା, ବାରିପଦା ଓ ବଲାଙ୍ଗୀର ଗସ୍ତ କରି ବହୁ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ପୁରୀ, ସାଲେପୁର ଓ ସମ୍ବଲପୁର ଗସ୍ତରେ ଆସି ନବୀନ ସରକାର ଉପରେ ବର୍ଷି ଦଳୀୟ କର୍ମୀଙ୍କ ମନୋବଳ ବଢ଼ାଇଥିଲା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ବିଭିନ୍ନ ଅଞ୍ଚଳ ଘନ ଘନ ଗସ୍ତ କରୁଛନ୍ତି । ଏହାଛଡ଼ା ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ରାମକୃପାଳ ଯାଦବ, ମନୋଜ ସିହ୍ନା, ଜୟନ୍ତ ସିହ୍ନା ପ୍ରମୁଖ ଓଡ଼ିଶା ଗସ୍ତରେ ଆସି ଭୋଟରଙ୍କ ନିକଟତର ହେଉଥିଲା ବେଳେ କଂଗ୍ରେସ ପାଇଁ ରାହୁଲ ଗାନ୍ଧି ଆସି ଭୋଟ ପ୍ରଚାରର ଭିତ୍ତି ପକାଇଛନ୍ତି ।
ବିଜେଡି ପାଇଁ ନବୀନ କିନ୍ତୁ ଏକମାତ୍ର ଲକି ମାସ୍କଟ ଭାବେ ଇତିମଧ୍ୟରେ ପ୍ରାୟ ସବୁ ଜିଲ୍ଲାକୁ ଛୁଇଁ ସାରିଛନ୍ତି । ଭୋଟ ବିଜ୍ଞପ୍ତି ପରେ ପୁଣି ସବୁ ଜିଲ୍ଲା ଗସ୍ତ କରିବେ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି । ଯେଉଁଠି ଦଳର ସ୍ଥିତି ଅପେକ୍ଷାକୃତ ଦୁର୍ବଳ ବୋଲି ରିପୋର୍ଟ ଆସିବ, ଦଳ ସେଠି ନବୀନଙ୍କୁ ପୁଣି ନେଇ ନିଜ ବିଜୟ ସମ୍ଭାବନାକୁ ସୁଦୃଢ଼ କରିବ । ନବୀନଙ୍କ ଏ ମାରାଥନ୍ ଜିଲ୍ଲା ଗସ୍ତ ବିରୋଧୀ କ୍ୟାମ୍ପର ନିଦ ହଜାଇ ଦେଇଛି ।