ରାଞ୍ଚି : ଆଜି ରାଞ୍ଚିରେ ଖେଳାଯିବ ଭାରତ ବନାମ ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ ମ୍ୟାଚ୍ । ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଭାରତ ୨-୦ରେ ଆଗୁଆ ରହିଛି । ତେଣୁ ଏହି ମ୍ୟାଚ୍ ଅଷ୍ଟ୍ରେଲିଆ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । କାରଣ ଉଭୟ ଥର ସେମାନେ ପାଖାପାଖି ଆସି ହାରି ଯାଇଛନ୍ତି । ଏଥର ପୂରା ଦମ୍ରେ ଖେଳିବେ । ଅନ୍ୟପକ୍ଷରେ ଭାରତ ଏଠି ସିରିଜ୍ କବ୍ଜା କରିବା ଲକ୍ଷ୍ୟରେ ରହିଛି । ଆହୁରି ମଧ୍ୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କର ନିଜ ହୋମ୍ ଗ୍ରାଉଣ୍ଡରେ ଏହା ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ହେବ । ତେଣୁ ଭାରତ ତାଙ୍କୁ ଏକ ବିଜୟ ଭେଟିଦେବାକୁ ଚେଷ୍ଟା କରିବ । ଧୋନି ନେଟ୍ସରେ ଜୋରଦାର ଅଭ୍ୟାସ କରିଥିଲେ । ଉଭୟ ପେସ୍ ଓ ସ୍ପିନ୍ ଆକ୍ରମଣର ସାମନା କରିଥିଲେ । ଏହା ସହିତ ଫ୍ୟାନ୍ମାନଙ୍କୁ ଅଟୋଗ୍ରାଫ୍ ମଧ୍ୟ ଦେଇଥିଲେ । ତେବେ ଏସବୁ ଭିତରେ ପେସ୍ ବୋଲର୍ ଭୁବନେଶ୍ୱର କୁମାର ଭାରତୀୟ ଦଳକୁ ଫେରିଛନ୍ତି । ତାଙ୍କୁ କାଲିର ଦିବାରାତ୍ର ମ୍ୟାଚ୍ରେ ଯଦି ଖେଳାଯାଏ ତେବେ ସାମି କିମ୍ବା ବୁମରାଙ୍କୁ ବିଶ୍ରାମ ଦିଆଯିବ । ତୃତୀୟ ଦିନିକିଆ ଅପରାହ୍ନ ୧.୩୦ରେ ଆରମ୍ଭ ହେବ ।