ନୂଆଦିଲ୍ଲୀ : ଦକ୍ଷିଣ କାଶ୍ମୀର ପୁଲଓ୍ବାମା ଜିଲ୍ଲା ତ୍ରାଲରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜୈସ୍-ଏ-ମହମ୍ମଦର ତିନି ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ଜଣେ ପାକିସ୍ତାନ ଆତଙ୍କବାଦୀର ମୃତ୍ୟୁ ହୋଇଛି । ମୃତ ଆତଙ୍କବାଦୀଙ୍କ ମଧ୍ୟରେ ରହିଛି ଆତଙ୍କବାଦୀ ସଜ୍ଜାଦ । ପୁଲଓ୍ବାମା ଯବାନଙ୍କ ଫୌଜ ଉପରେ ହୋଇଥିବା ଆତଙ୍କୀ ହମଲାରରେ ବ୍ୟବହୃତ ହୋଇଥିବା କାର୍ ସଜ୍ଜାଦର ଥିଲା । ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ସହ ବୋମା ମଧ୍ୟ ଜବତ ହୋଇଛି । ସେମାନଙ୍କ ନିକଟରୁ ମିଳିଥିବା ସାମଗ୍ରୀ ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ ସହ ଜଡିତ ଥିବା ସ୍ପଷ୍ଟ ହୋଇଛି । ସୂଚନା ଅନୁସାରେ ରବିବାର ଦକ୍ଷିଣ କାଶ୍ମୀର ପୁଲଓ୍ବାମା ଜିଲ୍ଲା ତ୍ରାଲ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ଖବର ପାଇ ସେହି ଅଞ୍ଚଳରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ । ସୁରକ୍ଷାକର୍ମୀମାନେ ମଧ୍ୟ ଜବାବ ଦେଇ ଗୁଳିଚାଳନା କରିଥିଲେ । ଗୁଳି ବିନିମୟ ଫଳରେ ତିନି ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । ଆତଙ୍କବାଦୀ ଲୁଚି ଥିବା ଘରକୁ ମଧ୍ୟ ସୁରକ୍ଷାକର୍ମୀମାନେ ବୋମା ପକାଇ ଧ୍ବଂସ କରିଦେଇଥିଲେ । ଗୁଳବିନିମୟ ବେଳେ ଘଟଣାସ୍ଥଳରେ ସ୍ଥାନୀୟ ଯୁବକମାନେ ଏକଜୁଟ୍ ହୋଇ ସୁରକ୍ଷାକର୍ମୀଙ୍କ ଉପରକୁ ପଥର ଫିଙ୍ଗିବାକୁ ଲାଗିଥିଲେ । ସୁରକ୍ଷାକର୍ମୀମାନେ କୌଣସି ମତେ ସେଠାରୁ ତାଙ୍କ ହଠାଇ ଦେଇଥିଲେ । ଏବେବି ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ସଂପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ କରିଦିଆଯାଇଛି ।