ଭୁବନେଶ୍ବର () : ସ୍ମାର୍ଟ ସିଟିରେ ଡକାୟତ, ଲୁଟେରା ଓ ଚୋରମାନେ କମିଶନରେଟ ପୁଲିସ୍କୁ ରାସ୍ତାଘାଟରେ ଖୋଲା ଚ୍ୟାଲେଞ୍ଜ କରୁଥିବାବେଳେ ସେମାନଙ୍କୁ କାବୁ କରିବା ବଦଳରେ କିଛି ଛାତ୍ରନେତାଙ୍କୁ ବାନ୍ଧି ପୁଲିସ୍ ବାବୁମାନେ ଯେଭଳି ବାହାବା ନେବାରେ ଲାଗିଛନ୍ତି ଲୋକେ ତାହାକୁ ସନ୍ଦେହ ଚକ୍ଷୁରେ ଦେଖିଲେଣି । ଅବସ୍ଥା ଏଭଳି ହେଲାଣି ଯେ ସଞ୍ଜ ତ ଦୂରରକଥା ଦିନବେଳା ଲୋକେ ଘରୁ ବାହାରିଲେ ସୁରକ୍ଷିତ ଫେରିବ କି ନାହିଁ ଜାଣିପାରୁ ନାହାନ୍ତି ।
କେୟାର-ଉଇ ଡେୟାର ସ୍ଲୋଗାନ ଦେଇ ତାହାକୁ ଗଣମାଧ୍ୟମରେ ପ୍ରଚାର କରୁଥିବା କମିଶନରେଟ ପୁଲିସ୍ ସତେ ଯେମିତି ଅସୁସ୍ଥ । କାହାରି ସାଙ୍ଗରେ କାହାର ତାଳ ମେଳ ରହୁନାହିଁ । ନିଜ ନିଜର ଟେଲିଫୋନ୍ ନମ୍ବର ଦେବାକୁ ଥାନା ବାବୁମାନେ ପଛାଉଛନ୍ତି । ବଡ ବାବୁମାନେ ଫୋନ ଧରିଲେ ତଳିଆ ବାବୁଙ୍କୁ ଦାୟିତ୍ବ ଦେଇ ନିଜର ପାଇଟି ସାରି ଦେଉଛନ୍ତି । ଯେଉଁ ଚୋରି ଡକାୟତି କିମ୍ବା ଲୁଟ୍ ହେଉଛି, ସେଠାରେ ତୁରନ୍ତ ପୁଲିସ୍ ବାବୁମାନେ ପହଞ୍ଚି କାହାକୁ ଛାଡିବୁ ନାହିଁ ବୋଲି ବୀର ଦର୍ପରେ ବାଇଟ୍ ଦେଇ ନିଜର ପାଇଟି ସାରୁଛନ୍ତି । ଏହାପରେ ତଦନ୍ତ କୁଆଡେ ଯାଉଛି ତାହା କେହି ଜାଣିପାରୁ ନାହାନ୍ତି ।
ରାଜଧାନୀବାସୀ ଯେ କେତେ ଅସୁରକ୍ଷିତ ନିକଟରେ ଘଟିଥିବା କେତୋଟି ଘଟଣାରୁ ତାହା ଜଳ ଜଳ ହୋଇ ଦିଶୁଛି । ଦୁଇଦିନ ତଳେ ନିଳାଦ୍ରୀବିହାର ଅଞ୍ଚଳରେ ମୋଟର ସାଇକେଲର ଲୁଟେରାମାନେ କଟୁରୀରେ ଦମ୍ପତିଙ୍କୁ ହାଣି ପକାଇଛନ୍ତି । ଏଠାରେ ପୁଲିସ୍କୁ ଏକ ପ୍ରକାର ଖୋଲା ଆହ୍ବାନ । ପୂର୍ବରୁ ସେହି ଅଞ୍ଚଳରୁ କିଛି ଡକାୟତ ଜଣେ ବ୍ୟକ୍ତିଙ୍କ ଘରେ ପଶି ଛୋଟ ପିଲା ବେକରେ ଅସ୍ତ୍ର ଲଗାଇ ସର୍ବଶ୍ବ ଲୁଟିନେଲେ । ସହିଦନଗର, ଜିଜିପି କଲୋନୀ ଆଦି ଅଞ୍ଚଳରୁ ମହିଳାଙ୍କ ବେକରୁ ଚେନ୍ ଲୁଟ୍ ହୋଇଥିବାବେଳେ ମଞ୍ଚେଶ୍ବରରେ ଜଣେ ପୁଲିସ୍ ବାବୁଙ୍କ ଘରୁ ବି ଲୁଟେରାମାନେ ସିନ୍ଧିଚୋରି କରି ନେଇଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ରାଜଭବନ ଛକରୁ ବି ଲୁଟେରାମାନେ ଆକ୍ରମଣ କରି ଟ୍ରକ ଛଡାଇ ନେବାକୁ ଉଦ୍ୟମ କରିଥିବାର ନଜିର ରହିଛି । ଏହିସବୁ ଘଟଣାରେ କେବଳ ପୁଲିସ୍ର ତଦନ୍ତ ଚାଲିଛି । କେବେ ସରିବ ଜଣାନାହିଁ ।
କମିଶନରେଟ ପୁଲିସର ଅବସ୍ଥା ଦିନକୁ ଦିନ ଏଭଳି ହେଉଥିବାବେଳେ ପୁଲିସ୍ ବାବୁମାନେ କିନ୍ତୁ ଯେଉଁଠୁ କିଛି ସାବାସୀ ମିଳିବ ସେଠାରେ ଲାଗି ପଡୁଛନ୍ତି । ସରକାର ବାହାଦୂରଙ୍କୁ ଖୁସ୍ କରିବାପାଇଁ ଦିନରାତି ଏକ କରି ଦେଉଛନ୍ତି । ନିକଟରେ ସହିଦନଗର ଥାନା ଗଣ୍ଡଗୋଳରେ ଯେମିତି ବିରୋଧିଦଳ ଚାପ ପକାଇଲେ ସେଥିରୁ ସରକାରଙ୍କୁ ରକ୍ଷା କରିବାପାଇଁ ଦିନରାତି ଏକ କରିଦେଲେ । ହେଲେ ନିଜ ସୀମା ବାହାରକୁ ଯାଇ ଛାତ୍ରନେତାଙ୍କ ହାତରେ ସିଲଟ ଧରାଇ ଏବେ ହରଡଘଣାରେ ପଡିଛନ୍ତି । ଏଭଳି ଘଟଣା ପାଇଁ ଚାରିଆଡୁ ଲୋକେ ପୁଲିସକୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି ।
ସବୁଠାରୁ ବଡ କଥା ହେଲା ଦୀର୍ଘଦିନ ଧରି ରାଜଧାନୀରେ ଗାଦିମାଡି ବସିଥିବା କିଛି ପୁଲିସ୍ ବାବୁ ଓ ସେମାନଙ୍କ ଚେଲାଚାମୁଣ୍ଡାମାନଙ୍କ ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ପ୍ରତି ଥାନା ଅଞ୍ଚଳରେ ପୁଲିସ୍ର ଖବରୀ ନାଁରେ କିଛି ଗୁଣ୍ଡାଶ୍ରେଣୀୟ ବ୍ୟକ୍ତିଙ୍କୁ ଏମାନେ ପାଳୁଛନ୍ତି । ଅଳ୍ପଦିନ ତଳେ ଖଣ୍ଡଗିରି ଥାନା ଅଞ୍ଚଳରେ ଏଭଳି କାଣ୍ଡ ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ କିଛି ପୁଲିସ୍ କର୍ମଚାରୀ ଏବେ ରାଜଧାନୀରେ ଜମି ବେପାର ସହିତ ଜମି ଜବଦରଦଖଲ କାମରେ ମାତିଛନ୍ତି । ଏଥିଯୋଗୁଁ ଅପରାଧିମାନେ ଆଉ ଖାକି ପୋଷାକୁ ଡରିବା ବଦଳରେ ସେଥିରୁ ତାରା ଛିଣ୍ଡାଇବା ପାଇଁ ସାହସ କଲେଣି ।