Odia News Portal

ପୁଣି ବିବାଦ ଘେରରେ କଙ୍ଗନା

ମୁମ୍ବାଇ()  ସାମ୍ବାଦିକଙ୍କୁ ପୁରୁଣାକଥା ମନେ ପକାଇ ଦୁର୍ବ୍ୟବହାର କରିଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ୍ । ଯେଉଁଥିପାଇଁ ସେ ପୁଣି ଥରେ ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି । ତାଙ୍କର ସେହି ବ୍ୟବହାର ପରେ ତାଙ୍କର ଆଗାମୀ ଫିଲ୍ମ ‘ଜଜ୍ମେଣ୍ଟାଲ୍ ହୈ କ୍ୟା’କୁ ସିନେ ସାମ୍ବାଦିକମାନେ ବୟକଟ୍ କରିଛନ୍ତି। ଏ ଫିଲ୍ମକୁ ମିଡିଆ କଭରେଜ୍ ଦିଆଯିବ ନାହିଁ ବୋଲି ‘ଏଣ୍ଟରଟେନ୍ମେଣ୍ଟ୍ ଜର୍ଣ୍ଣାଲିଷ୍ଟ୍ ଗିଲ୍ଡ ଅଫ୍ ଇଣ୍ଡିଆ’ ନିଷ୍ପତ୍ତି ନେଇଛି। ଏହା ସହ କଙ୍ଗନାଙ୍କୁ ମଧ୍ୟ ମିଡିଆ କଭରେଜ୍ ଦିଆ ନ ଯିବାକୁ ନିଷ୍ପତ୍ତି ହୋଇଛି।

ଏନେଇ ‘ଏଣ୍ଟରଟେନ୍ମେଣ୍ଟ୍ ଜର୍ଣ୍ଣାଲିଷ୍ଟ୍ ଗିଲ୍ଡ ଅଫ୍ ଇଣ୍ଡିଆ’ ପକ୍ଷରୁ ‘ଜଜ୍ମେଣ୍ଟାଲ୍ ହୈ କ୍ୟା’ର ପ୍ରଡ୍ୟୁସର ଏକତା କପୁରଙ୍କ ନିକଟକୁ ଏକ ଚିଠି ପଠାଯାଇଛି ଓ ଉକ୍ତ ଘଟଣାକୁ ନିନ୍ଦା କରି ସର୍ବସାଧାରଣଙ୍କୁ ଅବଗତ କରାଇବା ପାଇଁ ଦାବି କରାଯାଇଛି। ବିଶେଷ କରି କଙ୍ଗନାଙ୍କ ବ୍ୟବହାରକୁ ନିନ୍ଦା କରିବାକୁ ଦାବି କରାଯାଇଛି। ଏ ଘଟଣା ପାଇଁ କଙ୍ଗନା ବି କ୍ଷମା ମାଗନ୍ତୁ ବୋଲି ଦାବି କରାଯାଇଛି।

ସୂଚନାଅନୁସାରେ, ମଣିକର୍ଣ୍ଣିକା’ ଫିଲ୍ମ ରିଲିଜ୍ ବେଳେ ଉକ୍ତ ସାମ୍ବାଦିକ କଙ୍ଗନାଙ୍କ ବିଷୟରେ କିଛି କଥା ଲେଖିଥିଲେ ଯାହା ତାଙ୍କୁ ଭଲ ଲାଗି ନ ଥିଲା । ଯାହାର ସେ ରାଗ ସୁଝାଇଥିଲେ । କଙ୍ଗନା ସାମ୍ବାଦିକଙ୍କୁ ସିଧାସଳଖ କହିଥିଲେ ଯେ ତୁମେ ମୋ ବିଷୟରେ ଖରାପ ଲେଖିଥିଲ । ତୁମ ମୁଣ୍ଡରେ ଏମିତି ଖରାପ ଚିନ୍ତାଧାରା କେମିତି ଆସୁଛି ବୋଲି ପ୍ରଶ୍ନ କରିଥିଲେ । ଏହା ପରେ ଯୁକ୍ତି ତର୍କ ବଢ଼ିଥିଲା । ବାରମ୍ବାର କଙ୍ଗନା ପୁରୁଣା କଥାକୁ ଦୋହରାଇ ଥିଲେ । ଯାହାକି ସେଠାରେ ଉପସ୍ଥିତ ଅନ୍ୟ ସାମ୍ବାଦିକଙ୍କୁ ପସନ୍ଦ ନ ଆସିବାରୁ ସେମାନେ ମଧ୍ୟ ପାଟି କରିଥିଲେ ।