Odia News Portal

ଆଜି ଶ୍ରୀଦେବୀଙ୍କ ଜନ୍ମଦିନ

ଆଜି ଦିବଙ୍ଗତ ସୁପରଷ୍ଟାର୍ ଶ୍ରୀଦେବୀଙ୍କ ଜନ୍ମଦିନ। ୧୩ ଅଗଷ୍ଟ ୧୯୬୩ ଶିବକାଶୀରେ ଅଭିନେତ୍ରୀ ଶ୍ରୀଦେବୀଙ୍କ ଜନ୍ମ ହୋଇଥିଲା। ତାଙ୍କ ପିତା ତାମିଲ ହୋଇଥିବା ବେଳେ ମା’ ତେଲଗୁ ଥିଲେ। ଶ୍ରୀଙ୍କ ପିତା ଜଣେ ଭଲ ଓକିଲ ଥିଲେ। ୯୦ ଦଶକରେ ଫିଲ୍ମ ହିଟ୍ ହେବା ପାଇଁ କୌଣସି ପୁରୁଷ ସୁପରଷ୍ଟାରଙ୍କ ଠାରୁ ଅଧିକ ଫିଲ୍ମରେ ଶ୍ରୀଦେବୀଙ୍କ ରହିବା ଜରୁରୀ ମନେକରାଯାଉଥିଲା। ସେହି ସମୟରେ ଦର୍ଶକ ଶ୍ରୀଙ୍କୁ ବେଶ୍ ପସନ୍ଦ କରୁଥିଲେ। ଶ୍ରୀ ମାତ୍ର ୪ ବର୍ଷ ବୟସରୁ ଚାଇଲ୍ଡ ଆର୍ଟିଷ୍ଟ ଭାବେ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ମାତ୍ର ୧୩ ବର୍ଷ ବୟସରେ ସେ ବଡ଼ ପରଦାରେ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ମା’ ଚରିତ୍ରରେ ନଜର ଆସିଥିଲେ। ୧୯୯୬ରେ ଶ୍ରୀ ପ୍ରଯୋଜକ ବୋନି କପୁରଙ୍କୁ ବିବାହ କରିବା ପରେ କିଛି ସମୟ ପାଇଁ ସେ ଲାଇମ ଲାଇଟ୍ରୁ ଦୂରେଇ ଯାଇଥିଲେ। ହେଲେ ୨୦୧୨ରେ ଫିଲ୍ମ ‘ଇଂଲିଶ ଭିଙ୍ଗଲିଶ୍’ରେ ବଲିଉଡ୍ ଚାନ୍ଦନୀଙ୍କ ପୁଣି ଥରେ ଦମ୍ଦାର ଏଣ୍ଟ୍ରି ହୋଇଥିଲା। ଏହି ଫିଲ୍ମ ବେଶ୍ ଲୋକପ୍ରିୟ ହୋଇଥିବା ବେଳେ ଶ୍ରୀଦେବୀଙ୍କ ଅଭିନୟକୁ ବେଶ୍ ପ୍ରଶଂସା କରାଯାଇଥିଲା। ତେବେ ୨୦୧୭ରେ ତାଙ୍କର ଶେଷ ଫିଲ୍ମ ‘ମମ୍’ ହୋଇଥିବା ବେଳେ ୨୦୧୮ ଫେବୃୟାରୀ ୨୪ରେ ତାଙ୍କର ଆକସ୍ମିକ ଭାବେ ମୃତ୍ୟୁ ହୋଇଥିଲା।