Odia News Portal

ରାସ୍ତା କଡ଼ରେ ରୋଗୀ ସେବା, ଦୋକାନ ବାରଣ୍ଡାରେ ଦିଆଯାଉଛି ସାଲାଇନ

କେନ୍ଦୁଝର : ରାସ୍ତା କଡ଼ ଦୋକାନ ବାରଣ୍ଡାରେ ରୋଗୀଙ୍କୁ ଦିଆଯାଉଛି ସାଲାଇନ। ଦୋକାନ ସଟରରେ ଟଙ୍ଗାଯାଇଥିବା ଦଉଡ଼ିରେ ଝୁଲାଇ ଦିଆଯାଇଛି ସାଲାଇନ ବୋତଲ। ତଳେ ପଡ଼ିଥିବା ବେଞ୍ଚ୍  ଉପରେ ଶୋଇଛନ୍ତି ରୋଗୀ। ପାଖରେ ସଂପର୍କୀୟ। ଏମିତି ଚାଲିଛି ରୋଗୀ ଚିକିତ୍ସା।

କେନ୍ଦୁଝର ତେଲକୋଇ ବଜାରରେ ସ୍ବାସ୍ଥ୍ୟସେବାର ଏଭଳି ବିକଳ ଚିତ୍ର ସାମନାକୁ ଆସିଛି। ଗତ ଗୁରୁବାର କମଳାଙ୍ଗ ଗାଁର ନବ ମୁଣ୍ଡା ଅସୁସ୍ଥ ଥିବାରୁ ତେଲକୋଇ ଆସିଥିଲେ। ଡାକ୍ତରଖାନାରେ ଡାକ୍ତର ନ ଥିବାରୁ ଚିକିତ୍ସା ହୋଇପାରି ନଥିଲେ। ଶେଷରେ ସେ ନିକଟସ୍ଥ ଜଣେ ବ୍ୟକ୍ତିଙ୍କ ଦୋକାନରୁ ଔଷଧ ନେଇଥିଲେ। ସଂପୃକ୍ତ ଦୋକାନୀ ତାଙ୍କୁ ରାସ୍ତା କଡ଼ ଦୋକାନ ପିଣ୍ଡାରେ ଶୁଆଇ ସାଲାଇନ ଲଗାଇ ଦେଇଥିଲେ।

ଦୀର୍ଘ ସମୟ ଧରି ଏଭଳି ଚିକିତ୍ସା ଚାଲିଥିଲା। ଖାଲି ନବ ମୁଣ୍ଡା ନୁହନ୍ତି, ତେଲକୋଇର ଏହା ଏକ ସବୁଦିନିଆ ଘଟଣା । ଡାକ୍ତରଖାନାରେ ଉପଯୁକ୍ତ ସ୍ବାସ୍ଥ୍ୟସେବା ଅଭାବରୁ ଗ୍ରାମାଞ୍ଚଳରୁ ଆସୁଥିବା ଗରିବ ରୋଗୀମାନେ ବିଭିନ୍ନ ମେଡିସିନ ଷ୍ଟୋର ରେ ଅନଭିଜ୍ଞ ବ୍ୟକ୍ତିଙ୍କ ହାତରେ ଚିକିତ୍ସିତ ହେଉଛନ୍ତି । ନିଜକୁ ଡାକ୍ତର ଭାବେ ପରିଚୟ ଦେଉଥିବା ଏହି କ୍ବାକ୍ ମାନଙ୍କୁ ଏ ବିଷୟରେ ସ୍ଥାନୀୟ ଲୋକେ ପଚାରିବାରୁ ଓଲଟା ଧମକଚମକ ମିଳୁଛି।