ଭୁବନେଶ୍ୱର : ଓଡିଶା ସଚିବାଳୟ ସେବା ସଂଘ (ଓସା)ହାଉସ୍ ପରିସର ଜଙ୍ଗଲ ପାଲଟିଥିବା ନେଇ ସ୍ୱାଧିକାରରେ ଖବର ପ୍ରକାଶ ପାଇବାପରେ ଏବେ ଏହାର ପ୍ରଭାବ କିଛି ଯୁବ ଅଫିସରଙ୍କ ଉପରେ ପଡିଛି । ହାତରେ କୋଦାଳ ଗଇଁତି ଧରି ସେମାନେ ଓସା ହାଉସ୍ରୁ ଅଳିଆ ହଟାଇବାରେ ଲାଗିଛନ୍ତି । ତେବେ ବରିଷ୍ଠମାନେ ସୃଷ୍ଟି କରିଥିବା ବଣକୁ କନିଷ୍ଠମାନେ ନିଜ ହାତରେ ସଫା କରିବା ଏବେ ଲୋକସେବା ଭବନରେ ଚର୍ଚ୍ଚାର ବିଷୟ ହୋଇଛି ।
ଓସା ହାଉସ୍ଟି ମୁଖ୍ୟତଃ କର୍ମଚାରୀମାନଙ୍କ ଆମୋଦ ପ୍ରମୋଦ ପାଇଁ ହୋଇଥିଲା । ଏଥି ସହିତ ଏଠାରେ କର୍ମଚାରୀମାନେ ବିଭିନ୍ନ ସଭା ସମିତି ବି କରିଥାନ୍ତି । କିନ୍ତୁ କିଛି ଦିନ ହେଲା ଖାରବେଳନଗର ଠାରେ ଥିବା ଏହି ଭବନ ଗେଟ୍ରେ ତାଲା ପଡିବା ସହିତ ଧଳା କନା ବାନ୍ଧିଦିଆଯାଇଥିଲା । ଏ ନେଇ ସ୍ୱାଧିକାରରେ ସଚିତ୍ର ଖବର ପ୍ରକାଶ ପାଇବାପରେ ଯୁବ କର୍ମଚାରୀମାନଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇଥିଲା । ତେଣୁ ସେମାନେ ଏହାକୁ ନିଜର ମର୍ଯ୍ୟାଦା ଉପରେ ଆଞ୍ଚ ଆସିଲା ବୋଲି ବିଚାରି ହାତରେ କୋଡି କୋଦାଳ ଧରି ଓସା ହାଉସ୍ ପରିସରକୁ ସଫା କରିବାରେ ଲାଗିଛନ୍ତି ।
ଉଲ୍ଲେଖନୀୟ ଯେ ସଚିବାଳୟ ସେବା ସଂଘର ସଭାପତି ଓ ସାଧାରଣଙ୍କ ସମ୍ପାଦକଙ୍କ ମଧ୍ୟରେ ବିବାଦ ଯୋଗୁଁ କର୍ମଚାରୀମାନଙ୍କ ଏହି ଭବନ ଦୀର୍ଘଦିନ ହେଲା ଭୂତକୋଠି ପାଲଟିଛି । ସଭାପତିଙ୍କ ଗୋଷ୍ଠି ଏହି ଭବନକୁ ପୂର୍ବରୁ ନିୟମିତ ଭାବେ ବିବାହ ବ୍ରତ ପାଇଁ ଭଡା ଦେବା ସହିତ ସ୍ଥାୟୀ ଟେଣ୍ଟ ବି ବାନ୍ଧି ଦେଇଥିଲେ । ହେଲେ ନିୟମ ଅନୁଯାୟୀ ନୂଆ ସାଧାରଣ ସମ୍ପାଦକ ବିବାହ ବ୍ରତ ପାଇଁ ନିଜେ ବୁକିଂ କରିବା ସହିତ ଆଦାୟ ଅର୍ଥକୁ ସଂଘ ଜମାଖାତାରେ ରଖିଥିଲେ ।
ସଭାପତି ଏବଂ ତାଙ୍କ ଗୋଷ୍ଠିଙ୍କ ହାତକୁ ଅର୍ଥ ନଯିବାରୁ ସେମାନେ ଓସା ହାଉସ୍କୁ ପୂର୍ବଭଳି ନିଜେ ବୁକିଂ କରିବାକୁ ଜିଦ୍ ଧରିଥିଲେ । ସଭାପତି ଓ ସମ୍ପାଦକଙ୍କ ଜିଦ୍ ଯୋଗୁଁ ଶେଷରେ ସଂଘ କାର୍ଯ୍ୟାଳୟରେ ସଭାପତି ତାଲା ପକାଇଥିଲେ । ଦୁଇ ନେତାଙ୍କ ଏଭଳି ଛକାପଞ୍ଝା ଭିତରେ ସଂଘ ପରିସର ଭୂତକୋଠି ପାଲଟିବା ସହିତ କର୍ମଚାରୀମାନେ ବି ନିଜ ନିଜ ପିଲାଙ୍କ ବିବାହ ବ୍ରତ ଆଦି ଏଠାରେ କରିବାରୁ ବଞ୍ଚିତ ହୋଇଥିଲେ । ଏଥି ସହିତ କର୍ମଚାରୀଙ୍କ ବୈଠକ ବି ଆଉ ଏଠାରେ ହୋଇପାରି ନଥିଲା କି କାମସାରି ଥକା ମେଣ୍ଟାଇବା ଲାଗି କର୍ମଚାରୀମାନେ ଆଉ ଏଠାକୁ ଆସିନଥିଲେ ।
ଲୋକସେବା ଭବନର ଅନତି ଦୂରରେ ରାଜ୍ୟ ପ୍ରଶାସନର ସବୁଠାରୁ ଶକ୍ତିଶାଳୀ ସଂଘ କାର୍ଯ୍ୟାଳୟରେ ତାଲା ଝୁଲିବା ଚର୍ଚ୍ଚାର ବିଷୟ ପାଲଟିଥିଲା । ଏ ସଂକ୍ରାନ୍ତରେ କେହି ଜଣେ ହେଲେ ପୁରୁଣା ସଦସ୍ୟ ପାଟି ଫିଟାଇ ନଥିବାବେଳେ ଏବେ କିନ୍ତୁ ନୂଆ ଏଏସ୍ଓମାନେ ଗତ ଶନିବାର ଠାରୁ ଅଳିଆ ହଟାଇବା କାମରେ ଲାଗିଛନ୍ତି । ତେବେ ଖାଲି ଘାସ ବଣ ସଫା କଲେ ହେବନାହିଁ, ଦୀର୍ଘଦିନରୁ ସଂଘ ଭିତରେ ଯେଉଁ ଅଳିଆ ରହିଛି ତାହା ସଫା ହେବା ସପକ୍ଷରେ ମତପ୍ରକାଶ ପାଉଛି ।
( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )