Odia News Portal

ହରିହର ସିଂହଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଖଣ୍ଡପଡା : ରାଜବାଟୀ ପରିସରରେ ସ୍ବର୍ଗତ ରାଜସାହେବଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ଏହି ଉନ୍ମୋଚନ ଉତ୍ସବରେ ସ୍ଵର୍ଗତ ହରିହର ସିଂହ ମର୍ଦ୍ଦରାଜଙ୍କ ପୁତ୍ର ଖଣ୍ଡପଡାର ରାଜାସାହେବ । ପୂର୍ବତନ ମନ୍ତ୍ରୀ ଓ ବିଧାୟକ ଶ୍ରୀ ବିଭୁତି ଭୂଷଣ ସିଂହ ମର୍ଦ୍ଦରାଜ, ଓ ପୌତ୍ର ତଥା ଖଣ୍ଡପଡାର ପୂର୍ବତନ ବିଧାୟକ ଶ୍ରୀ ସିଦ୍ଧାର୍ଥ ଶେଖର ସିଂହ ଉପସ୍ଥିତ ରହି ଉନ୍ମୋଚନ ପୂଜା ଓ ହୋମ କାର୍ଯ୍ୟ ସମ୍ପାଦନା କରିଥିଲେ ।

ସିଦ୍ଧାର୍ଥଙ୍କ ପୁଅ ଜୟ ବର୍ଦ୍ଧନ ସିଂହ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା. ଖଣ୍ଡପଡା ରାଜପରିବାର ସମେତ ଖଣ୍ଡପଡା ଜନସାଧାରଣ ସ୍ବର୍ଗତ ରାଜାସାହେବଙ୍କୁ ଏହି ଅବସରରେ ରାଜବାଟୀ ପରିସରରେ ପ୍ରତିମୂର୍ତ୍ତି ନିକଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ହୋମ ଯଜ୍ଞ ଏବଂ ସଂକୀର୍ତନ ମଧ୍ୟ କରାଯାଇଥିଲା ।

୧୯୧୪ ମସିହାରେ ଜନ୍ମିତ ହରିହର ସିଂହ ଖଣ୍ଡପଡା ଗଡଜାତ ର ଅନ୍ତିମ ରାଜା ଥିଲେ । ୧୯୫୧ ମସିହାରେ ସେ ପ୍ରଥମଥର ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ଖଣ୍ଡପଡା ବିଧାନସଭା ଆସନରୁ ବିଜୟୀ ହୋଇଥିଲେ । ୧୯୫୨ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସ ରେ ଯୋଗ ଦେଇଥିଲେ । ସେହିପରି ୧୯୫୭, ୧୯୬୧ ଓ ୧୯୬୭ ରେ ସେ ଖଣ୍ଡପଡାରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ । ଲଗାତାର ଚାରିଥର ବିଧାୟକ ହୋଇଥିବା ହରିହର ସିଂହ ୧୯୬୧ ରୁ ୧୯୬୪ ମସିହା ମଧ୍ୟରେ ଦୁଇ ଦୁଇ ଥର ସ୍ବର୍ଗତ ବିଜୁ ପଟ୍ଟନାୟକ ଓ ବିରେନ ମିତ୍ରଙ୍କ ମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀପଦ ଅଳଙ୍କୃତ କରିଥିଲେ । ୱାର୍କ୍ସ ଆଣ୍ଡ ଟ୍ରାନ୍ସପୋର୍ଟ ଓ ରୋଡ଼ସ ଆଣ୍ଡ ବିଲଡିଂ ଭଳି ଦୁଇଟି ଗୁରୁତ୍ୱପୂର୍ଣ ବିଭାଗର ମନ୍ତ୍ରୀ ଥିଲେ ସ୍ବର୍ଗତ ସିଂହ ।

ଜଣେ ଖୁବ ଭଲ ପାଇଲଟ ଥିଲେ ହରିହର ସିଂହ । ଅଲ ଇଣ୍ଡିଆ ଓ ବେଙ୍ଗଲ ଫ୍ଲାଇଙ୍ଗ କ୍ଲବର ସଦସ୍ୟ ଏବଂ ଓଡିଶା ଫ୍ଲାଇଙ୍ଗ କ୍ଲବର ସମ୍ପାଦକ ଥିଲେ ସ୍ବର୍ଗତ ସିଂହ । ପାଇଲଟ ଭାବେ ବିଜୁ ବାବୁଙ୍କର ସେ ଘନିଷ୍ଠ ବନ୍ଧୁ ଥିଲେ । ସଂଗୀତରେ ସେ ଖୁବ ରୁଚି ରଖିଥିଲେ. ଖଣ୍ଡପଡା ରେ ଧୂମ୍ପା ସଂଗୀତର ଉନ୍ନତି ତାଙ୍କରି ଦ୍ୱାରା ହିଁ ହୋଇଥିଲା । ଖଣ୍ଡପଡାଗଡ଼ ର ସ୍ବର୍ଗତ ରାଜାସାହେବ ନିଜ ଅଂଚଳର ଉନ୍ନତି ନେଇ ଅନେକ ଗଠନମୂଳକ କାର୍ଯ୍ୟ କରିଥିଲେ ।