ଭୁବନେଶ୍ୱର : ରାଜ୍ୟର କେତେକ ମନ୍ତ୍ରୀଙ୍କ ଆଚରଣରେ ଏବେ ପ୍ରଶାସନିକ ଅଧିକାରୀମାନେ ଅସନ୍ତୁଷ୍ଟ । କିଛି ବିଭାଗୀୟ ସଚିବ ନିଜଆଡୁ ବଦଳି ପାଇଁ ଲାଗିଥିବା ଜଣାପଡିବା ପରେ ଏହି ଘଟଣା ପଦାକୁ ଆସିଛି । ତେବେ ମନ୍ତ୍ରୀ କିମ୍ବା ସଚିବ କେହି ଏ ସଂକ୍ରାନ୍ତରେ ମୁହଁ ଖୋଲୁ ନାହାନ୍ତି । ଲୋକସଭା ଭବନରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ନୂଆକରି ମନ୍ତ୍ରୀପଦ ପାଇଥିବା ଜଣେ ଦୁଇଜଣ ଏବେ ପୂରା ରାଜଭୀୟ ଢଙ୍ଗରେ କାମ ଆରମ୍ଭ କରିଛନ୍ତି ।
ଯୁଆଡେ ଯାଉଛନ୍ତି ସାଙ୍ଗରେ ଥାଟ ବାଟ ଧରି ବୁଲୁଛନ୍ତି । ଲୋକସେବା ଭବନର ଦପ୍ତରକୁ ବି ଆସିଲା ବେଳକୁ ସାଙ୍ଗରେ ଜଣେ ଦୁଇଜଣ ଆସି ବସି ରହୁଛନ୍ତି । ଏ କ୍ଷେତ୍ରରେ ପଶ୍ଚିମଓଡିଶାର ଜଣେ ମନ୍ତ୍ରୀ ସବୁଠାରୁ ଆଗରେ ଅଛନ୍ତି । ତାଙ୍କ ନିକଟରେ ଥିବା ଜଣେ ଦୁଇଜଣ ବ୍ୟକ୍ତି ଏବେ ମନ୍ତ୍ରୀଙ୍କ ଟପିଗଲେଣି । ଅବସ୍ଥା ଏଭଳି ହେଲାଣି ଯେ ବିଭାଗୀୟ ସମୀକ୍ଷା ବୈଠକରେ ବି ଏମାନେ ମନ୍ତ୍ରୀଙ୍କ ନିକଟରେ ବସୁଛନ୍ତି । ସୌଜନ୍ୟତା ଦୃଷ୍ଟିରୁ ସଚିବ ଓ ଅତିରିକ୍ତ ସଚିବମାନେ ବେଳେ ବେଳେ ଚଉକି ଛାଡି ଦେଉଥିବା ଦେଖିବାକୁ ମିଳୁଛି ।
ମନ୍ତ୍ରୀମାନେ ଆବାସିକ ଦପ୍ତରରେ କାହାକୁ ପାଖରେ ବସାଇଲେ ବା ନବସାଇଲେ ସେଥିରେ କାହାର କିଛି କହିବାର ନାହିଁ । ହେଲେ ଲୋକସେବା ଭବନକୁ ଆସିବା ସହିତ ସମୀକ୍ଷା ବୈଠକରେ ଏହି ଲୋକଙ୍କୁ ପାଖରେ ବସାଇବା ଏବେ ଅନେକଙ୍କୁ ଆଚାର୍ଯ୍ଯ କରିଛି । ଉକ୍ତ ମନ୍ତ୍ରୀଙ୍କ ନିକଟରେ ଥିବା ଜଣେ ଭୃତ୍ୟ ତ ଏବେ ତାଙ୍କ ବିଭାଗର ସଚିବଙ୍କୁ ନିର୍ଦ୍ଦେଶ ଦେବା ଆରମ୍ଭ କରିଦେଇଛନ୍ତି । ଯେହେତୁ ସିଏ ମନ୍ତ୍ରୀଙ୍କ ସହ ଛାଇ ହୋଇ ବୁଲୁଛନ୍ତି ତେଣୁ ସଚିବ ମହାଶୟ ସାହସ କରି କିଛି କହିପାରୁ ନାହାନ୍ତି । ଫଳରେ ଏବେ ପାଖଲୋକ ବୋଲାଉଥିବା ଭୃତ୍ୟମାନଙ୍କର ସାହସ ଦିନକୁ ଦିନ ବଢିବାରେ ଲାଗିଛି ।
ଉପକୂଳ ଓଡିଶାରୁ ବି ଜଣେ ନୂଆମନ୍ତ୍ରୀଙ୍କର ସମାନ ଅବସ୍ଥା । ମନ୍ତ୍ରୀଙ୍କ ସହିତ ଘୂରି ବୁଲୁଥିବା ଏହି ବ୍ୟକ୍ତିମାନେ ଧିରେ ଧିରେ ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କ ଉପରେ ମନ୍ତ୍ରୀଙ୍କ ଷ୍ଟାଇଲରେ କଥାବାର୍ତ୍ତା କରୁଥିବାରୁ ଜଣେ ଦୁଇଜଣ ସଚିବ ଓ ନିର୍ଦ୍ଦେଶକ ପାହ୍ୟାର ଅଫିସର ଏବେ ବିଭାଗ ଛାଡିବାକୁ ମନ ବଳାଇଲେଣି । ଦରକାର ପଡିଲେ ଲୋକସେବାଭବନ ଛାଡିଦେବେ ବୋଲି ସୂଚନା ବି ଦେଲେଣି । ମନ୍ତ୍ରୀଙ୍କ ପାଖରେ ରହୁଥିବା ଏହି ଚୁଗୁଲିଆମାନେ ଦିନକୁ ଦିନ ଲୋକସେବା ଭବନରେ ଆଧିପତ୍ୟ ବିସ୍ତାର ସହିତ ବିଭିନ୍ନ ବଦଳି ଓ ନିଯୁକ୍ତିରେ ଧିରେ ଧିରେ ମୁଣ୍ଡ ପୂରାଉଥିବା ଲକ୍ଷ୍ୟ କରାଯାଉଛି ।
କିଛି ମନ୍ତ୍ରୀ ବି ଧିରେ ଧିରେ ନିଜେ ଫୋନ୍ ଧରିବା ଅପେକ୍ଷା ଏହି ଚୁଗୁଲିଆଙ୍କ ହାତରେ ବ୍ୟକ୍ତିଗତ ଫୋନ୍ଟି ଧରାଇ ଦେଉଥିବାରୁ ସଚିବ କିମ୍ବା ସେହି ପାହ୍ୟାର କୌଣସି ଅଧିକାରୀ ଜରୁରୀ ସମୟରେ ମନ୍ତ୍ରୀ ଙ୍କୁ ଖୋଜିଲେ ଏହି ବେସରକାରୀ ବ୍ୟକ୍ତିଙ୍କୁ ଆଜ୍ଞା ଆପଣ କହିବାକୁ ବାଧ୍ୟ ହେଉଛନ୍ତି । ଏଥିରେ ଏବେ ଅନେକ ଅଧିକାରୀ ଅତିଷ୍ଠ । ମୁଖ୍ୟମନ୍ତ୍ରୀଙ୍କ ସରଳ ଜୀବନ ଯାପନ ଓ ୫-ଟି କୁ କାହିଁକି ଏହି ମନ୍ତ୍ରୀ ମାନେ ଏଭଳି ଅଣଦେଖା କରୁଛନ୍ତି ତାହାର ଅର୍ଥ ଅନେକ ବୁଝିପାରୁ ନାହାନ୍ତି ।
( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )