Odia News Portal

ଏମ୍‌ସ ଡାକ୍ତରଙ୍କ ସହ ଆଲୋଚନା କଲେ ଏସ୍‌ସିବି ଡାକ୍ତରୀ ଟିମ୍

କଟକ : ଭଲନାହିଁ କାଳିଆର ସ୍ବାସ୍ଥାବସ୍ଥା । କଟକ ଏସସିବିରେ ଚିକିତ୍ସିତ ହେଉଛନ୍ତି ଜଗା-କାଳିଆ । ଜଗା ସୁସ୍ଥ ଥିବାବେଳେ କାଳିଆର ସ୍ବାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି । ଗତକାଲି କାଳିଆ ଅସୁସ୍ଥ ହେବାରୁ ତାକୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା । ଏସସିବିର ସ୍ବତନ୍ତ୍ର ଡାକ୍ତରୀ ଟିମ୍ କାଳିଆର ଚିକିତ୍ସାରେ ଲାଗିପଡିଛନ୍ତି ।

କାଳିଆର ସ୍ବାସ୍ଥ୍ୟାବସ୍ଥା ସ୍ଥିତିକୁ ନେଇ ଆଜି ଏସ୍‌ସିବି ଡାକ୍ତରୀ ଟିମ୍‌ ଏମ୍‌ସ ଡାକ୍ତରଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି । ସେହିପରି ଦୁଇ ଦିନ ତଳେ ବନ୍ଦ କରିଦିଆଯାଇଥିବା ଆଣ୍ଟିବାୟୋଟିକ୍‌ ଇଞ୍ଜେକସନ୍‌ ପୁଣି କାଳିଆକୁ ଦିଆଯାଉଥିବା ସୂଚନା ମିଳିଛି ।

ସୁସ୍ଥ ଥିବା କାଳିଆର ସ୍ବାସ୍ଥ୍ୟାବସ୍ଥା ହଠାତ୍‌ କ’ଣ ପାଇଁ ଖରାପ ହେଲା ସେ ସମ୍ପର୍କରେ ଜାଣିବା ପାଇଁ ଶିଶୁ ରୋଗ ବିଭାଗ, ପଲ୍‌ମୁନାରୀ ମେଡିସିନ୍‌, ନିଶ୍ଚେତନ, ନ୍ୟୁରୋ ସର୍ଜରୀ, ନ୍ୟୁରୋଲୋଜି ଆଦି ବିଭାଗ ଡାକ୍ତର, ଶିଶୁ ଭବନର ଅଧୀକ୍ଷକ ଓ ଅନ୍ୟ ଡାକ୍ତରଙ୍କୁ ନେଇ ଗତକାଲି ଏସ୍‌ସିବିରେ ଏକ ଜରୁରୀ ବୈଠକ ବସିଥିଲା ।