Odia News Portal

ଅଶୋକଙ୍କୁ କାହିଁକି ଲାଗୁଛି ସେ ଚଣ୍ତାଶୋକ !

ଭୁବନେଶ୍ବର : ୧୧୪ ନମ୍ବର ଏକାମ୍ର ଭୁବନେଶ୍ବର ବିଧାୟକଙ୍କୁ ଲାଗୁଛି ସେ ଚଣ୍ଡାଶୋକ । ଏହା ସ୍ବାଧିକାରର ମତ ନୁହେଁ । ଏହା ମନ୍ତ୍ରୀଙ୍କ ଅନୁମାନ, ଯାହାକୁ ସେ ଏକ ଓକିଲ ନୋଟିସ ମାଧ୍ୟମରେ ଜଣାଇଛନ୍ତି । ସ୍ବାଧିକାର ଏକ ଦାୟିତ୍ବ ସମ୍ପନ୍ନ ଗଣମାଧ୍ୟମ ସଂସ୍ଥା ଭାବରେ ଖବର ପ୍ରକାଶନରେ ସାମ୍ବାଦିକତାର ମୂଲ୍ୟବୋଧ ଓ ନୀତିକୁ ଅଗ୍ରାଧିକାର ଦେଇଥାଏ । ଏକ ନିରପେକ୍ଷ ଦୈନିକ ଭାବରେ ସ୍ବାଧିକାରର ସାମାଜିକ ଉତ୍ତର ଦାୟିତ୍ବ ରହିଛି । ରାଜ୍ୟର ବା ସମାଜର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସାଲିସ ବିହୀନ ଖବର ପ୍ରସାରଣ କରିବା ଆମର ପ୍ରାଥମିକ ଦାୟିତ୍ବ ।

ସେ ଦୃଷ୍ଟିରୁ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ମନରେ ଚଣ୍ଡାଶୋକ ହେଡଲାଇନ ସମ୍ପର୍କିତ ଖବରକୁ ନେଇ ଯେଉଁ ବିଶାଦ ବା ସନ୍ଦେହ ଉପୁଜିଛି ଯେ ସମ୍ପୃକ୍ତ ଖବର ତାଙ୍କ ଉଦ୍ଦେଶ୍ୟରେ ଓ ସେଥିରେ ଲିଖିତ ଚଣ୍ଡାଶୋକ ଚରିତ୍ରଟି ହେଉଛନ୍ତି ସେ ନିଜେ, ଏହା କେବଳ ତାଙ୍କର ବ୍ୟକ୍ତିଗତ ଚିନ୍ତା ବା ଆକଳନ । ଯେଉଁଥିରେ ସ୍ବାଧିକାରର କୌଣସି ଭୂମୀକା ନାହିଁ ।

ତାରିଖ ୩୦ ଅକ୍ଟୋବର ୨୦୧୯ର ଯେଉଁ ଓକିଲ ନୋଟିସଟିକୁ ଅଶୋକ ପଣ୍ଡା ଓକିଲଙ୍କ ଜରିଆରେ ସ୍ବାଧିକାରକୁ ପଠାଇଛନ୍ତି ସେଥିରେ ବିଷୟବସ୍ତରେ ଏଭଳି କିଛି ଭାଷା ଓ ପ୍ରସଙ୍ଗ ଉଲ୍ଲେଖ କରାଯାଇଛି ତାକୁ ଯିଏ ପଢିବ ତା ଭିତରେ ଅଶୋକ ପଣ୍ଡାଙ୍କ ଭଳି ବରିଷ୍ଠ ବିଜେଡି ନେତା, ବିଧାୟକ ଓ ମନ୍ତ୍ରୀ ଭାବେ ତାଙ୍କର ଚିନ୍ତାଧାରା, ରାଜନୈତିକ ଓ ପ୍ରଶାସନିକ ମୂଲ୍ୟବୋଧ ଉପରେ ତାଙ୍କ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ । କାରଣ ସେଥିରେ ଅନେକ ଯାଗାରେ ତାଙ୍କର ଓକିଲ ବନ୍ଧୁ ସ୍ବାଧିକାରରେ ବିଭିନ୍ନ ସମୟରେ ପ୍ରକାଶିତ କେତେକ ଖବରକୁ ଉଦ୍ଧୃତ କରି ପ୍ରତ୍ୟକ୍ଷ ଓ ପରୋକ୍ଷରେ ମାଲି ମକଦ୍ଦମାର ଧମକ ମଧ୍ୟ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଯେଉଁ ଖବରଗୁଡିକୁ ଅଭିଯୋଗର ଆଧାର ଭାବେ ଗ୍ରହଣ କରିଛନ୍ତି, ସମ୍ପୃକ୍ତ କୌଣସି ଗୋଟିଏ ଖବରରେ ଅଶୋକ ପଣ୍ଡାଙ୍କ ନାମ ଓ ପଦବୀକୁ ନିଆଯାଇ ତାଙ୍କର ପ୍ରତିଷ୍ଠା ଓ ଚରିତ୍ରକୁ ହାନି ପହଁଚାଇଲା ଭଳି ଧାଡିଟିଏ ମାତ୍ର ସ୍ବାଧିକାର ପକ୍ଷରୁ ଲେଖାଯାଇନାହିଁ । ହେଲେ ଆଶ୍ଚର୍ଯ୍ୟର କଥା, କେଉଁ ଉଦ୍ଦେଶ୍ୟରେ କାହାର ସ୍ବାର୍ଥ ପାଇଁ ମାନ୍ୟବର ମନ୍ତ୍ରୀ କଣ୍ଟା ବାଡରେ ଲୁଗା ପକାଇ ଝଗଡା କରିବା ସ୍ଥିତିକୁ ଆପଣେଇଛନ୍ତି ଜଣାପଡୁନାହିଁ । ଖାଲି ସେତିକି ନୁହେଁ, ଯଦିଓ କୌଣସି ଫ୍ରଣ୍ଟଲାଇନ ବା ମେନଷ୍ଟ୍ରିମ ମିଡିଆରେ ଅଶୋକ ବାବୁ ସମ୍ବାଦିକତା କରିନାହାଁନ୍ତି (ଦୂରଦର୍ଶନରେ କାର୍ଯ୍ୟ କରିଛନ୍ତି) ତେବେ ନିଜକୁ ସେ ଅନେକ ଯାଗାରେ ସାମ୍ବାଦିକ ବୋଲି ପରିଚୟ ଦିଅନ୍ତି । ତେଣୁ ସ୍ବାଭାବିକ ଭାବରେ ଯେକେହି ବି ଆଶା କରିବେ ଯେ, ଏଭଳି ବ୍ୟକ୍ତି ବିନା ଆଧାରରେ, ବିନା ତଥ୍ୟରେ ଏକ ନିର୍ଦ୍ଧିଷ୍ଟ ଖବରକାଗଜ ବା ଗଣମାଧ୍ୟମ ସଂସ୍ଥା ବିରୋଧରେ ମାଲି ମକଦ୍ଦମାର ଧମକ ଦେବ ।

ଏଥିରୁ ଆଶଙ୍କା ହେଉଛି, ଆଇନ କାନୁନର ଭୟ ଦେଖାଇ ସ୍ବାଧିକାରର ଲୋକପ୍ରିୟତା ଓ ବିଶ୍ବାସନିୟତାକୁ ପ୍ରଭାବିତ କରିବାକୁ ଏହା ଏକ ହୀନ ପ୍ରୟାସ । ଯଦିଓ ଏ ମାମଲାକୁ ଅକାରଣେ ବିକୃତ କରିବା ଆଉ ବ୍ୟକ୍ତିଗତ ସ୍ତରକୁ ଯାଇ ସମାଲୋଚନା କରିବା ସ୍ବାଧିକାରର ଆଦର୍ଶ ଓ ଉଦ୍ଦେଶ୍ୟ ନୁହେଁ, କିନ୍ତୁ ଓକିଲ ନୋଟିସରେ ଯେଭଳି ଶବ୍ଦ ଓ ଭାଷାରେ ସ୍ବାଧିକାରକୁ ବଦନାମ ଓ ଭୟଭିତ କରିବାକୁ ପ୍ରୟାସ କରାଯାଇଛି, ସେଥିପାଇଁ ସ୍ବାଧିକାର ପକ୍ଷରୁ ପଣ୍ଡାଙ୍କ ପକ୍ଷରୁ ପାଲଟା ମାନହାନୀ ମକଦ୍ଦମା କରାଯିବା କଥା । ଗୋଟିଏ ଖବରକାଗଜରେ ଛୋଡବଡ ମିଶାଇ ୧୦୦ରୁ ଅଧିକ ଖବର ପ୍ରକାଶ ପାଏ । କିନ୍ତୁ ଯେତେବେଳେ ତାଙ୍କର ନାଁ, ପଦବୀ, ଠିକଣା ଉଲ୍ଲେଖ ନକରାଯାଇ ଯେଉଁ ଖବରଗୁଡିକ ପ୍ରକାଶ କରାଯାଉଛି, ଜୋରଜବରଦସ୍ତ ତାହା ତାଙ୍କ ଉଦ୍ଦେଶ୍ୟରେ ପ୍ରକାଶିତ ହୋଇଛି କହି ନିଜେ ଆତଙ୍କିତ ହେବା ଏବଂ ସମ୍ପୃକ୍ତ ଖବରକାଗଡକୁ ଅଭିଯୁକ୍ତ କରିବାକୁ ପ୍ରୟାସ କରିବା ତାଙ୍କର ମନ୍ଦ ଉଦ୍ଦେଶ୍ୟ ଆଡକୁ ଅଙ୍ଗୁଳି ଦେଖାଉଛି ।

ଶ୍ରୀଯୁକ୍ତ ପଣ୍ଡାଙ୍କ ଏତାଦୃଶ ବ୍ୟବହାରକୁ ନେଇ ସ୍ବାଧିକାର ପକ୍ଷରୁ ଶ୍ରୀଯୁକ୍ତ ପଣ୍ଡା ଓ ତାଙ୍କ ଓକିଲ ବନ୍ଧୁଙ୍କୁ ପ୍ରଶ୍ନ । କାରଣ ଓକିଲ ନୋଟିସରେ ଯାହା ଦେଇଛନ୍ତି ତାହା ପର୍ଯ୍ୟାପ୍ତ ଓ ସମ୍ପୁର୍ଣ୍ଣ ନୁହେଁ । ୧- ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ କାହିଁକି ଲାଗୁଛି କି ଚଣ୍ଡାଶୋକ ଶବ୍ଦ ଲେଖାଯିବା ଅର୍ଥ ଏହା ତାଙ୍କ ଉଦ୍ଦେଶ୍ୟରେ ପ୍ରଣୋଦିତ ?

୨- ଯେହେତୁ ତାଙ୍କ ନାଁ ଅଶୋକ, ସେ ନିଜକୁ ଧର୍ମାଶୋକ କାହିଁକି ଭାବୁନାହାଁନ୍ତି ?

୩- ଯେଉଁ ଖବରଗୁଡିକୁ ସେ ଆଧାର ଭାବେ ନେଇଛନ୍ତି ସେଥିରେ ଲିକ୍ଷିତ ଅନ୍ୟାନ ତଥ୍ୟ ଗୁଡିକ ସେ ନିଜେ ନା ଆଉ କିଏ?

ବିଭିନ୍ନ ସମୟରେ ମାନ୍ୟବର ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ବହୁ ମାନହାନୀ ମାମଲାର ବିଚାରରେ ରାୟ ଦେଇ ଲେଖିଛନ୍ତି ଯେ, ମାନହାନୀ ଆଇନକୁ ଆୟୁଧ କରି ପ୍ରେସ ଏବଂ ମିଡିଆକୁ ଚୁପ କରାଯାଇପାରିବ ନାହିଁ । ନିକଟରେ ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ରାଜୀବ ସହାୟ ଏକ ମାନହାନୀ ମକଦ୍ଦମାର ବିଚାର କରି କହିଛନ୍ତି ଯେ “ it cannot be forgotten that the law of defamation has potential to be an unreasonable restriction on the freedom of speech and expression guaranteed by the constitution and the courts owe the duty to ensure that the defamation law is not exploited” । ସ୍ବାଧିକାରର ଆଶଙ୍କା ଯେ, ଅଶୋକ ପଣ୍ଡା ମାନହାନୀ ଆଇନକୁ ଆୟୁଧ କରି ପ୍ରେସ ଓ ମିଡିଆର କଣ୍ଠରୋଧ କରିବାକୁ ପ୍ରୟାସ କରୁଛନ୍ତି ।