ଭୁବନେଶ୍ୱର : ଦିନକ ପରେ ବାରବାଟୀ ଦିନିକିଆ ମ୍ୟାଚ୍ । ସାରା ରାଜ୍ୟ ଯେମିତି ଏବେ କ୍ରିକେଟ୍ ଜ୍ୱରରେ ପୀଡ଼ିତ । ମାନେ ସମସ୍ତଙ୍କୁ ଘାରିଛି କ୍ରିକେଟ୍ ଫିଭର । କାରଣ ଉତ୍କଣ୍ଠାର ସମୟ ପାଖେଇ ଆସୁଛି ଏବଂ ଭାରତ ଏବଂ େଓ୍ଵଷ୍ଟଇଣ୍ଡିଜ୍ ଖେଳାଳିମାନେ କାଲିଠାରୁ ଆସି ଭୁବନେଶ୍ୱରରେ ଡେରା ପକାଇ ସାରିଛନ୍ତି । ତେଣୁ ଉତ୍ସାହ ରହିବା ସ୍ୱାଭାବିକ । ଆଜି ଉଭୟ ଦଳ କଟକ ଯାଇ ବାରବାଟୀ ଷ୍ଟାଡିୟମ୍ରେ ଅଭ୍ୟାସ କରିବାର ଥିଲା । ହେଲେ କାର୍ଯ୍ୟକ୍ରମରେ ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ କରାଗଲା ଏବଂ ଖେଳାଳିମାନେ ପ୍ରାକ୍ଟିସ୍ ପାଇଁ ଗଲେ ନାହିଁ । ଆସନ୍ତାକାଲି ସକାଳ ବେଳା ଇଣ୍ଡିଜ୍ ଦଳ ଏବଂ ଅପରାହ୍ନରେ ଭାରତୀୟ ଦଳ ପ୍ରାକ୍ଟିସ୍ ପାଇଁ ବାରବାଟୀକୁ ଯିବ ।
ଆଜି ଉଭୟ ଦଳ ଏଠାରେ ରହୁଥିବା ମେ ଫେୟାର ହୋଟେଲରେ ବିଶ୍ରାମ ନେଇଥିଲେ । ତେଣୁ ସକାଳୁ ହୋଟେଲ ନିକଟରେ କ୍ରିକେଟ୍ ପ୍ରେମୀଙ୍କ ପ୍ରବଳ ଭିଡ଼ ଜମିଥିଲା । ସମସ୍ତେ ଚାହୁଁଥିଲେ ଟିକେ ନିଜ ପ୍ରିୟ ଖେଳାଳିଙ୍କ ଝଲକ ଦେଖିବା ପାଇଁ । ଅବଶ୍ୟ ସମସ୍ତଙ୍କୁ ନିରାଶ ହେବାକୁ ପଡ଼ିଥିଲା । ସେପଟେ କିନ୍ତୁ ଭାରତୀୟ ଖେଳାଳିମାନେ ହୋଟେଲ ଭିତରେ ଥିବା ଛୋଟ ପଡ଼ିଆରେ କିଛି ସମୟ ଅଭ୍ୟାସ କରିବା ସହ ବେଶ୍ ମସ୍ତି କରିଥିଲେ । ବିସିସିଆଇ ଗାଇଡ୍ ଲାଇନ୍ ଅନୁସାରେ ସେମାନଙ୍କ ପାଇଁ ଆଜି ଚିକେନ୍ ଓ ମାଛ ତରକାରୀ ହୋଇଥିଲା । ସେହିପରି ଓଡ଼ିଆ ଖାଦ୍ୟ ମଧ ପରସା ଯାଇଥିଲା ।