Odia News Portal

‘ମେ ତେରା ତୁ ମେରୀ ଜାନେ ସାରା ହିନ୍ଦୁସ୍ତାନ’ : ହାର୍ଦ୍ଦିକ ପାଣ୍ଡ୍ୟା

ଭାରତୀୟ କ୍ରିକେଟ୍‌ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପଡ଼ିଆ ଭିତରେ ଏବଂ ପଡ଼ିଆ ବାହାରେ ତାଙ୍କର କାରନାମା ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ଏବେ ସେ ଦଳରେ ନାହାନ୍ତି । କାରଣ ଆହତ ହୋଇଥିବାରୁ ତାଙ୍କୁ ବିଶ୍ରାମ ଦିଆଯାଇଛି । ତଥାପି ସେ ଗଣମାଧ୍ୟମ ନଜରରେ ରହିଛନ୍ତି । ତେବେ ସେ ଆଜି ଏମିତି କାମ କରିଛନ୍ତି ଯେ ସବୁ ଗଣମାଧ୍ୟମରେ ଛାଇ ଯାଇଛନ୍ତି । ଅବଶ୍ୟ ପାଣ୍ଡ୍ୟା କେଉଁ ମ୍ୟାଚ୍‌ରେ ଛକା ଚୌକା ମାରି ସେଞ୍ଚୁରୀ ପିଟି ନାହାନ୍ତି କି ବୋଲିଂରେ ହ୍ୟାଟ୍ରିକ୍‌ କରି ନାହାନ୍ତି । ସେ ଆଜି ସମୁଦ୍ର ଭିତରେ ରହି ନିଜ ପ୍ରେମିକା ସହ ନିର୍ବନ୍ଧ କରିଛନ୍ତି ।

ଅନେକ ଦିନ ଧରି ତାଙ୍କର ବାନ୍ଧବୀ ନତାଶା ଷ୍ଟାନକୋଭିକ୍‌ଙ୍କ ସହିତ ପୂରା ଷ୍ଟାଇଲ୍‌ରେ ନିର୍ବନ୍ଧ କରିଛନ୍ତି । ନିର୍ବନ୍ଧର ଫଟୋ ସେ ନିଜ ଇନଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି । ପାଣ୍ଡ୍ୟା ଓ ମଡେଲ୍‌ ନତାଶା ଅଛନ୍ତି । ନତାଶାଙ୍କ ହାତରେ ନିର୍ବନ୍ଧ ମୁଦି ରହିଛି । ଏଥିରେ ପାଣ୍ଡ୍ୟା ଲେଖିଛନ୍ତି ‘ମେ ତେରା ତୁ ମେରୀ ଜାନେ ସାରା ହିନ୍ଦୁସ୍ତାନ’ । ଇଏ ହେଉଛି ବଲିଉଡ୍‌ ହିଟ୍‌ ଫିଲ୍ମ ‘ଶାନ୍‌’ର ଏକ ଗୀତର ପଦଟିଏ ।
ଫଟୋରେ ପାଣ୍ଡ୍ୟା ଓ ନତାଶା ଏକ ସମୁଦ୍ର କୂଳରେ ବସିଥିବା ଦେଖାଯାଉଛି । ଫଟୋ ସହିତ ଏକ ଭିଡିଓ ମଧ୍ୟ ସେ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ ଦୁହେଁ ଏକ କ୍ରୁଜ୍‌ ଉପରେ ଡ୍ୟାନ୍ସ କରୁଛନ୍ତି ଏବଂ ପୂରା ଫିଲ୍ମି ଷ୍ଟାଇଲ୍‌ରେ ହାର୍ଦ୍ଦିକ ପ୍ରେମିକା ନତାଶାଙ୍କୁ ପ୍ରପୋଜ୍‌ କରୁଛନ୍ତି ।

ନତାଶା ହେଉଛନ୍ତି ସର୍ବିୟାର ଜଣେ ମଡେଲ୍‌ । ସେ ବିଗ୍‌ବସ୍‌ ସିଜିନ୍‌-୮ରେ ଟେଲିଭିଜନ୍‌ ପରଦାକୁ ଆସିଥିଲେ । ପୁଣି ‘ନାଚ୍‌ ବଲିୟେ’ରେ ମଧ୍ୟ ତାଙ୍କ ଡ୍ୟାନ୍ସ ଧମାକା ଦେଖିବାକୁ ମିଳିଥିଲା । ଅନେକ ଦିନ ହେଲା ପାଣ୍ଡ୍ୟାଙ୍କ ସହ ତାଙ୍କର ସମ୍ପର୍କ ରହିଛି ବୋଲି ଗୁଞ୍ଜରଣ ଉଠିଥିଲା । ଏବେ ଶେଷରେ ଠିକ୍‌ ନୂଆବର୍ଷରେ ପାଣ୍ଡ୍ୟା ନିଜ ସମ୍ପର୍କ ନେଇ ପୂରା ଦେଶକୁ ଜଣାଇ ଦେଇଛନ୍ତି ।