ଭୁବନେଶ୍ୱର : ଆସନ୍ତା ଏପ୍ରିଲ ମାସରେ ଖାଲି ହେଉଥିବା ୩ଟି ରାଜ୍ୟସଭା ଆସନ ପାଇଁ ଏବେ ଆଶାୟୀଙ୍କ ସଂଖ୍ୟା ଲମ୍ବିବାରେ ଲାଗିଛି । ଏହି ତିନିଟି ଆସନ ମଧ୍ୟରୁ ଦୁଇଟିରେ ବିଜେଡି ସାଂସଦଥିବାବେଳେ ଗୋଟିଏରେ କଂଗ୍ରେସ ସାଂସଦ ଅଛନ୍ତି । ଯଦିଓ ତିନିଟି ଆସନ ପାଇଁ ପ୍ରାର୍ଥୀ ପଠାଇବାର ସଂଖ୍ୟା ବିଜେଡି ନିକଟରେ ରହିଛି ତଥାପି ଏଥର କିଏ ରାଜ୍ୟସଭା ଯିବେ ତାହାକୁ ନେଇ ରାଜନୈତିକ ମହଲରେ ଧାଁ ଦଉଡ ଆରମ୍ଭ ହୋଇଯାଇଛି । ଆସନ୍ତା ଏପ୍ରିଲ ମାସରେ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁ, ସରୋଜିନୀ ହେମ୍ବ୍ରମ ଓ କଂଗ୍ରେସ ସାଂସଦ ରଞ୍ଜୀବ ବିଶ୍ୱାଳଙ୍କ କାର୍ଯ୍ୟକାଳ ସରୁଛି । ରାଜ୍ୟସଭାରେ କଂଗ୍ରେସର ଜଣେ ମାତ୍ର ସାଂସଦ ଥିବାବେଳେ ଏହା ପରଠାରୁ କଂଗ୍ରେସର ଓଡିଶାରୁ ରାଜ୍ୟସଭା ରେ ଆଉ କେହି ରହିବେନାହିଁ ।
ସେହିଭଳି ବିଜେଡିର ଖାଲି ପଡିଥିବା ଦୁଇଟି ଆସନ ମଧ୍ୟରୁ ଗୋଟିଏ ଆସନରେ ମହିଳା ସାଂସଦ ରହିଥିବାବେଳେ ଅନ୍ୟଟି ଆସନଟିରେ ନରେନ୍ଦ୍ର ସ୍ୱାଇଁ ମାତ୍ର ୫ବର୍ଷ ପାଇଁ ସାଂସଦ ହୋଇଛନ୍ତି । ଏହି ତିନିଟି ଆସନ ଉପରେ ଏବେ ଅନେକ ଆଖି ପହଁରିବାରେ ଲାଗିଛି । ନବିଶେଷକରି ନିକଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ନବୀନଙ୍କ କାର୍ଯ୍ୟକୁ ଖୋଲା ମଞ୍ଚରେ ଭୁରି ଭୁରି ପ୍ରଶଂସା କରିବା ଏବେ ଏହି ଆଶାୟୀ ଗଣିତକୁ ବଢାଇ ଦେଇଛି । ଗତବର୍ଷ ହୋଇଥିବା ରାଜ୍ୟସଭା ନିର୍ବାଚନ ସମୟରେ ଦିଲ୍ଲୀପଙ୍କ ନାଁ ଚର୍ଚ୍ଚାରେ ରହିଥିଲା । ବିଜେପିକୁ ମାତ୍ ଦେବାପାଇଁ ନବୀନ ଦିଲ୍ଲୀପଙ୍କୁ ରାଜ୍ୟସଭା ପଠାଇବେ ବୋଲି ଜୋରଦାର ହେଉଥିବା ଚର୍ଚ୍ଚାର ସେତେବେଳେ ଯବନିକା ପଡିଥିଲା ଯେତେବେଳେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ବିଜେଡି ପ୍ରାର୍ଥୀଙ୍କ ସମର୍ଥନରେ ରାଜ୍ୟସଭାକୁ ଯାଇଥିଲେ ।
ଏହି ଘଟଣାରେ ପ୍ରଧାନମବୀ ସିଧାସଳଖ ଭାବେ ଅଶ୍ୱିନୀଙ୍କ ପାଇଁ ନବୀନଙ୍କୁ ଅନୁରୋଧ କରିଥିଲେ । ଏଥର ପୁଣିଥରେ ଦିଲ୍ଲୀପଙ୍କ ନାମ ଚର୍ଚ୍ଚାର ପରିସରକୁ ଆସିଛି । ସେପଟେ ଦିଲ୍ଲୀପଙ୍କ ଘନିଷ୍ଠ କୁହାଯାଉଥିବା ବିଜୟ ବିଜେପି ରାଜନୀତିର ମଙ୍ଗ ଧରିବା ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ଏକଦା ଗତ ନିର୍ବାଚନ ପୂର୍ବରୁ ଉଭୟ ବିଜେପି ଓ ଦିଲ୍ଲୀପ ବିଜେଡିରେ ମିଶିବେ ବୋଲି ଆଲୋଚନା ଚାଲିଥିଲା । ଦିଲ୍ଲୀପ ମଧ୍ୟ ରାତିଅଧିଆ ଭାବେ ନବୀନ ନିବାସ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଏହା
ଚର୍ଚ୍ଚାକୁ ଅଧିକ ଖେରାକ ଯୋଗାଇଥିବାବେଳେ ଶେଷ ମୂହୂର୍ତ୍ତରେ କିନ୍ତୁ ସେଭଳି କିଛି ହୋଇନଥିଲା । ବିଜୟ ପୁଣି ବିଜେପିକୁ ଘରବାହୁଡା କରିଥିବାବେଳେ ଦିଲ୍ଲୀପ କିନ୍ତୁ ଏବେ କେଉଁ ଦଳରେ ନାହାନ୍ତି । ତେବେ ରାଜ୍ୟସଭା ପୂର୍ବରୁ ଦିଲ୍ଲୀପ ନବୀନଙ୍କୁ ଭୁରି ଭୁରି ପ୍ରଶଂସାରେ ପୋତିଥିବାବେଳେ ପୁରୀ ଓ ଲିଙ୍ଗରାଜ କ୍ଷେତ୍ରର ସୌନ୍ଦର୍ଯ୍ୟକରଣରେ ଦିଲ୍ଲୀପଙ୍କ ପ୍ରଚ୍ଛନ୍ନ ହାତ ରହିଥିବା କୁହାଯାଉଛି ।
ତେଣୁ ଦିଲ୍ଲୀପ ଏବେ ବି ନବୀନଙ୍କ ନିକଟତର ତାଲିକାରେ ଅଛନ୍ତି । ଯଦି ଗତ ଥର ଭଳି ବିଜେପି ପ୍ରାର୍ଥୀ ଦେଇ ନବୀନଙ୍କୁ ଅନୁରୋଧ ନକରେ ତେବେ ବିଜେଡି ୩ଜଣ ପ୍ରାର୍ଥୀଙ୍କୁ ରାଜ୍ୟସଭା ପଠାଇବାରେ ସକ୍ଷମ ହେବ । ହେଲେ ଅଶ୍ୱିନୀ ବୈଷ୍ଣବଙ୍କ ଭଳି ପରିସ୍ଥିତି ଉପୁଜିଲେ ବିଜେପିଖାତାକୁ ବି ଗୋଟିଏ ଆସନ ଯାଇପାରେ । ତେବେ ଉଭୟ ବିଜେପି-ବିଜେପି ପରସ୍ପରର ନିକଟତର ହେଉଥିବାରୁ ରାଜନୈତିକ ବିଶ୍ଳେଷକମାନେ ଏଭଳି ପରିସ୍ଥିତିକୁ ଏଡାଇ ଦେଇପାରୁନାହାନ୍ତି । କିନ୍ତୁ ଅଶ୍ୱିନୀଙ୍କୁ ରାଜ୍ୟସଭା ପଠାଇବାରେ ପରେ କଂଗ୍ରେସ ଓ ଅନ୍ୟ ଦଳମାନେ ଯେଭଳି ବିଜେଡିକୁ ଘନ ଘନ ଆକ୍ରମଣ କରୁଛନ୍ତି ତାହାକୁ ମଧ୍ୟ ଦଳ ନଜର ଅନ୍ଦାଜ କରିପାରିବ ନାହିଁ । ମୋଟାମୋଟି ଭାବେ ଖାଲି ହେବାକୁ ଯାଉଥିବା ୩ ରାଜ୍ୟସଭା ଆସନରେ କିଏ ଯିବ ତାହାର ସୁରାକ ମିଳୁନଥିବାବେଳେ ଆଶାୟୀଙ୍କ ତାଲିକା କିନ୍ତୁ ଲମ୍ବି ଲମ୍ବି ଯାଉଛି ।