ଭୁବନେଶ୍ବର : ଭାରତୀୟ ବୋଲିଂ ସଂଘ (ବିଏଫଆଇ) ଅଧିନରେ ପରିଚାଳିତ ଖେଳ ‘ଲନ୍ ବଲ୍’ ପ୍ରଥମ ଥର ପାଇଁ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ସାମିଲ ହୋଇଛି। ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ତୃତୀୟ ସଂସ୍କରଣ ଆସାମର ଗୌହାଟୀରେ ଆସନ୍ତା ଜାନୁଆରି ୧୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି। ଓଡ଼ିଶା ପାଇଁ ଏହା ଅପୂର୍ବ ସୁଯୋଗ ଆଣି ଦେଇଛି। ଓଡ଼ିଶା ଲନ୍ ବଲ୍ ଦଳ ଏହି ବାର୍ଷିକ ଯୁବ ତଥା ତୂଣମୂଳସ୍ତରୀୟ ପ୍ରତିଯୋଗିତାରେ ପଦାର୍ପଣ କରିବାକୁ ଯାଉଛି। ଓଡ଼ିଶାର ଏକ ୧୦ ଜଣିଆ ଦଳ ଭାଗନେବାକୁ ମନୋନୀତ ହୋଇଛି। ବିଗତ ୨ ବର୍ଷ ହେବ ରାଜ୍ୟରେ ଏହି ଖେଳ ନିଜ କାୟା ବିସ୍ତାର କରିବାକୁ ଚେଷ୍ଟା କରି ଆସିଛି। ଖେଲୋ ଇଣ୍ଡିଆରେ ଓଡ଼ିଶାର ଖେଳାଳିମାନେ ଉନ୍ନତ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ଆମେ ଆଶା ରଖିଛୁ ବୋଲି ଶୁକ୍ରବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଓଡ଼ିଶା ରାଜ୍ୟ ବୋଲିଂ ଆସୋସିଏସନ୍ (ଓଏସ୍ବିଏ)ର ସଭାପତି ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂହଦେଓ।
ରାଜ୍ୟ ସରକାର ଏହି ଖେଳକୁ ସ୍ବୀକୃତି ପ୍ରଦାନ ସହ ଭିତ୍ତିଭୂମି ଯୋଗାଇଦେଲେ ରାଜ୍ୟ ପାଇଁ ଅନେକ ଗୌରବ ଆସିପାରିବ ବୋଲି ପ୍ରକାଶ କରିଥିଲେ ଶ୍ରୀ ସିଂହଦେଓ. “ଖେଲୋ ଇଣ୍ଡିଆରେ ଏହି ଖେଳକୁ ସାମିଲ କରାଯିବା ପରେ ଆମେ ବଡ଼ ଉତ୍ସାହିତ ହୋଇପଡିଛୁ। ଗତ ବର୍ଷ ଜାତୀୟ ପ୍ରତିଯୋଗିତାରେ ପଦକ ଜିତିଥିବା ଆରିଫା ବେଗମ୍ ଓଡ଼ିଶା ଦଳରେ ଗୌହାଟୀ ଗସ୍ତ କରୁଥିବାରୁ ଓଡ଼ିଶା ପାଇଁ ସୁଯୋଗ ରହିଛି” ବୋଲି ପ୍ରକାଶ କରିଛନ୍ତି ଓଏସ୍ବିଏର ସମ୍ପାଦକ ସୁମିତ ରଂଜନ ପୁରୋହିତ। ଭବିଷ୍ୟତରେ ଏହି ଖେଳକୁ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ପ୍ରାସାରିତ କରାଯିବ ବୋଲି ମଧ୍ୟ ଶ୍ରୀ ପୁରୋହିତ ପ୍ରକାଶ କରିଥିଲେ। ଏହି ଅବସରରେ ଗତ ଜାତୀୟ ପ୍ରତିଯୋଗିତା ପଦକ ବିଜୟୀ ଆରିଫା ବେଗମ ଓ କୈଳାଶ ମାଝୀଙ୍କୁ ଶ୍ରୀ ସିଂହଦେଓ ସମ୍ବର୍ଧିତ କରିଥିଲେ ।
ଓଡ଼ିଶା ଦଳ: ଆକାଶ ମାଝୀ, ଜଗା ମହାକୁଡ଼, ଚିନ୍ମୟ ତ୍ରିପାଠୀ, ବିଶ୍ବରାଜ ସାହୁ, ସୌମ୍ୟ ମହାପାତ୍ର, ସଞ୍ଜନା ମେହେର, ପ୍ରିୟଙ୍କା କୁମ୍ଭାର, ଆରିଫା ବେଗମ୍, ଶ୍ବେତଲାନା ବକ୍ସି, ସାଇନା ନାଏକ।
ପ୍ରଶିକ୍ଷକ: ସୁକାନ୍ତ ସେଠ୍, ରଶ୍ମିତା ପୁରୋହିତ, ସୁମିତ ରଂଜନ ପୁରୋହିତ।