ଭୁବନେଶ୍ୱର : କିଛିଦିନ ହେଲା ରାଜ୍ୟ ବିଜେପି ନେତାମାନେ କଥା କଥାରେ ସରକାରଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତିା ଆଇନ୍ ଶୃଙ୍ଖଳା ହେଉ କିମ୍ବା ଖୋଦ୍ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପୁରସ୍କୃତ କରିବା ହେଉ, ରାଜ୍ୟ ବିଜେପି ନେତାମାନେ ଯେଭଳି ସମାଲୋଚନା ଛକି ବସିଛନ୍ତି । ହେଲେ କେନ୍ଦ୍ରୀୟ ବିଜେପି ନେତାମାନେ ଓଡିଶା ପ୍ରତି ନିରବ ରହୁଥିବାରୁ ରାଜ୍ୟ ବିଜେପି ନେତାମାନେ ଏକ ପ୍ରକାର ଅପମାନିତ ହେଉଛନ୍ତି । ଗତକାଲି ପ୍ରଧାନମବୀ ନରେନ୍ଦ୍ର ମୋଦି ଓଡିଶାକୁ କୃଷି କର୍ମଣ ପୁରସ୍କାର ଦେଇଥିଲେ । ରାଜ୍ୟ କୃଷି ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ହେଲେ ଆଜି ରାଜ୍ୟ ବିଜେପି ଏଭଳି ପୁରସ୍କାରକୁ ସମାଲୋଚନା କରିଛି । ରାଜ୍ୟ ସରକାର ଭୁଲ୍ ତଥ୍ୟ ଦେଇ ପୁରସ୍କାର ନେଇ ଆସିଥିବା କହିଛି ।
ତେବେ ରାଜ୍ୟ ସରକାର ଦେଇଥିବା ଭୁଲ୍ ତଥ୍ୟକୁ କିଭଳି କେନ୍ଦ୍ରୀ ସରକାର ଧରିପାରିଲେ ନାହିଁ ଓ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଲ୍ ତଥ୍ୟ ଉପରେ ମୋହର ମାରିଲେ ତାହା କିନ୍ତୁ ବିଜେପି କହିନାହିଁ । ରାଜ୍ୟ ବିଜେପି ନେତାମାନଙ୍କ ଏଭଳି ବୟାନ କେବଳ ଦଳ ପାଇଁ ବୁମେରାଂ ହୋଇନାହିଁ ବରଂ ଖୋଦ୍ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ଲଗାଇ ଦେଇଛି । ସେଭଳି ଗତ କିଛିଦିନ ହେଲା ରାଜ୍ୟ ବିଜେପି ପକ୍ଷରୁ ମହିଳା ଦୁଷ୍କର୍ମ ଭଳି ଘଟଣାକୁ ବାରମ୍ବାର ଉଠାଯାଉଛି । ଏହାର ଜବାବରେ ସରକାରୀଦଳ କହୁଛି ଯେ ଯଦି ପ୍ରମାଣ ଅଛି ତେବେ ପୁଲିସ୍ କିମ୍ବା ଅଦାଲତକୁ ଦିଅ । ଯଦି ଏହି ଦୁଇ ସଂସ୍ଥାକୁ ନଦେଉଛ ତେବେ ସର୍ବସାଧାରଣରେ ପ୍ରକାଶ କର । ହେଲେ ରାଜ୍ୟ ବିଜେପି ତାହା କରୁନାହିଁ । ଓଲଟା ମହିଳା ପ୍ରସଙ୍ଗକୁ ବାରମ୍ବାର ଉଠାଇବାରେ ଲାଗିଛି । ତେବେ ସବୁଠାରୁ ବଡ କଥା ହେଉଛି ଯେ ଗତ କିଛିଦିନ ତଳେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା ହିଂସା ପ୍ରସଙ୍ଗକୁ ନେଇ ରାଜନୀତି ନକରିବାପାଇଁ କହିଥିଲେ । ହେଲେ ରାଜ୍ୟ ବିଜେପି ନେତାମାନେ ତାହାକୁ ଶୁଣୁନାହାନ୍ତି । ଏହା ଏବେ କେନ୍ଦ୍ରୀୟ ବିଜେପି ନେତାଙ୍କୁ ଅକଳରେ ପକାଇବାରେ ଲାଗିଛି । ଏପରିକି ରାଜ୍ୟ ବିଜେପିକୁ ଜବାବ ଦେବାପାଇଁ ବିଜେଡି ସମେତ କଂଗ୍ରେସ ବି ଚିନ୍ମୟାନନ୍ଦ ଠାରୁ ଆରମ୍ଭ କରି ଉନ୍ନାଓ ଘଟଣାକୁ ଉଖାରିବା ଲାଗି ଉଦ୍ୟମ ଚଳାଇଛନ୍ତି ଗତବର୍ଷ ହୋଇଥିବା ରାଜ୍ୟ ସଭା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ବିଜେଡି ଭୋଟ ଦେଇ ରାଜ୍ୟସଭା ପଠାଇବାପରେ କେନ୍ଦ୍ରୀୟ ବିଜେପି ନେତାମାନେ ବିଜେଡି ସପକ୍ଷରେ ଅଛନ୍ତି ।
ଏହାପରେ ବିଜେଡି ମଧ୍ୟ ଲୋକସଭା ଓ ରାଜ୍ୟ ସଭାରେ ଧାରା ୩୭୦ସମେତ ଏନ୍ଏଏ ଭଳି ବିଲ୍ ପାଶ୍ ପାଇଁ ବିଜେପିକୁ ନିଃସର୍ତ୍ତ ସମର୍ଥନ ଦେଇଛି । ଏହାପରେ ବିଜେପିର ବଡନେତାମାନେ ବିଜେଡି ପ୍ରତି ଅଧିକ ନରମ ହୋଇପଡିଛନ୍ତି । କିନ୍ତୁ ରାଜ୍ୟ ବିଜେପି ନେତାମାନେ ଏଥିରୁ କିଛି ଶିଖିଲା ଭଳି ଲକ୍ଷ୍ୟ କରାଯାଉ ନାହିଁ । ଯେଉଁ ପ୍ରସଙ୍ଗକୁ ବିଧାନସଭାରେ ଆଲୋଚନା କରିବାକଥା ତାହା ନକରି କକ୍ଷତ୍ୟାଗ କରିବା ଓ ଦଳୀୟ ଦପ୍ତରରେ ସାମ୍ବାଦିକ ସମ୍ମିଳନୀରେ ତାହାକୁ ଉଠାଇ ପ୍ରସଙ୍ଗ କରିବା ଏବେ ଦଳୀୟ ନେତାଙ୍କ ଏକ ପ୍ରକାର ନିତିଦିନିଆ ଘଟଣା ହେଲାଣି । ଏହାକୁ ନେଇ କେନ୍ଦ୍ରୀୟ ବିଜେପି ନେତାମାନେ ଅସୁଖୀ ଥିବାବେଳେ କେତେବେଳେ ଯେ କେଉଁ ବିଜେପି ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନହେବ ତାହା କହିହେଉ ନାହିଁ ବୋଲି ଖୋଦ୍ ଦଳୀୟ ନେତାମାନେ କହି ବୁଲିଲେଣି ।