ଭୁବନେଶ୍ୱର : ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପରିସରରେ ଥିବା କୁକୁଡା ଗବେଷଣା କେନ୍ଦ୍ରରେ ବାର୍ଡ ର୍ଫ୍ଲୁ ଚିହ୍ନଟ ହେବାପରେ ଏବେ ରାଜ୍ୟର କୁକୁଡା ଚାଷୀ ଆତଙ୍କିତ । ଏମାନଙ୍କ ମୁଣ୍ଡରେ ଅଦିନିଆ ବଜ୍ର ପଡିବା ଭଳି ଅବସ୍ଥା । ବିବାହ ଋତୁରେ ବେପାର ବୁଡିବା ଆଶଙ୍କାରେ ରାଜ୍ୟ ସରକାର ତୁରନ୍ତ ଏହାର ବାସ୍ତବ ସ୍ଥିତି ଓ କ୍ଷତିକାରକ ସଂକ୍ରାନ୍ତରେ ଲୋକଙ୍କୁ ସୂଚନା ଦେବାକୁ କୁହାଯାଇଛି । ରାଜ୍ୟ ସରକାର କୁକୁଡା ଚାଷକୁ ଶିଳ୍ପ ଘୋଷଣା କରିବାପରେ ରାଜ୍ୟର ଗାଁ ଗହଳ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଲୋକେ କୁକୁଡାଚାଷ କରୁଛନ୍ତି । ଏହାଦ୍ୱାରା ସେମାନଙ୍କୁ ପରିବାର ଚଳୁଛି । ଫନି ପରେ ପରେ କୁକୁଡା ଚାଷକୁ ରାଜ୍ୟ ସରକାର ଅଧିକ ପ୍ରୋତ୍ସାହନ ଦେଉଛନ୍ତି । ତେଣୁ ଏବେ ରାଜ୍ୟର ଅନ୍ୟ ଅଞ୍ଚଳ ତୁଳନାରେ ଉପକୂଳରେ କୁକୁଡାଚାଷୀଙ୍କ ସଂଖ୍ୟା ସର୍ବାଧିକ ଓ ଅଧିକରୁ ଅଧିକ ଯୁବକ ଏ କ୍ଷେତ୍ରରେ ଆତ୍ମନିଯୁକ୍ତି ପାଇଛନ୍ତି । ତେଣୁ ରାଜ୍ୟ ସରକାର ହଠାତ୍ ଯେଭଳି ବାର୍ଡ ର୍ଫ୍ଲୁ ଚିହ୍ନଟ ଘୋଷଣା କରିଛନ୍ତି ତାହା କୁକୁଡାଚାଷୀଙ୍କ ଆଖିରୁ ନିଦ ହଜାଇ ଦେଇଛି ।
କୁକୁଡାଚାଷୀଙ୍କ କହିବାକଥା ଯେ ଓୟୁଏଟିରେ ବାର୍ଡ ଫ୍ଲୁ ଏକ ସାଧାରଣ ଘଟଣା ହେଲାଟି । ଏଠାରେ ଥିବା କୁକୁଡା
ଗବେଷଣା କେନ୍ଦ୍ରର ଠିକଣା ରକ୍ଷଣା ବେକ୍ଷଣ ହେଉନଥିବାରୁ ବାହାର ପକ୍ଷୀଙ୍କ ମଳତ୍ୟାଗ ଯୋଗୁଁ ଏଭଳି ସଂକ୍ରମଣ ହେବାରେ
ଲାଗିଛି । ଉପକୂଳ ଅଞ୍ଚଳରେ ମଧ୍ୟ ବାର୍ଡ ଫ୍ଲୁ ଏକ ସାଧାରଣ ଘଟଣା ହେଲାଣି । ଏହା ଦ୍ୱାରା କୌଣସି ବ୍ୟକ୍ତି ମୃତ୍ୟୁ ତ ଦୂରର
କଥା ସଂକ୍ରମଣର ଶିକାର ହେଉନଥିବାବେଳେ ସରକାରୀକଳ କିନ୍ତୁ କୁକୁଡା ବଧ ପାଇଁ ବୀରଦର୍ପରେ ବାହାରନ୍ତି । ଏହାଦ୍ୱାରା
କୁକୁଡା ଚାଷୀଟି ବର୍ଷ ବର୍ଷ ପାଇଁ ଉଠିପାରେ ନାହିଁ ।
ତେଣୁ ଓୟୁଏଟିରେ ବ୍ୟାପିଥିବା ବାର୍ଡଫ୍ଲୁ ର ସଂକ୍ରମଣ ମାତ୍ରା କେତେ ଓ ଏହା ରାଜ୍ୟର ଅନ୍ୟ ଅଞ୍ଚଳକୁ ବ୍ୟାପିଛି କି ନାହିଁ
ସେ ସଂକ୍ରାନ୍ତରେ ରାଜ୍ୟ ସରକାର ତୁରନ୍ତ ସୂଚନା ଦେବା ସହିତ କୁକୁଡା ମାଂସ ଖାଇଲେ ସମସ୍ୟା ହେବ କି ନାହିଁ ତାହା
ଜଣାଇବାକୁ ଚାଷୀମାନେ ନିବେଦନ କରିଛନ୍ତି । କିଛି ଚାଷୀଙ୍କ କହିବାକଥା ଯେ ବିଦେଶାଗତ ପକ୍ଷୀ ଓ ଅନ୍ୟ ବଣୁଆ ପକ୍ଷୀଙ୍କ ଠାରୁ ବାର୍ଡ ଫ୍ଲୁ ସଂକ୍ରମଣର ସମ୍ଭାବନା ଅଧିକ ରହିଛି । ସରକାର ଯଦି କୁକୁଡା ମାରି ଏହା ସଂକ୍ରମଣକୁ ଦୂରେଇବାକୁ ଚାହିଁବେ ତେବେ ତାହା କାମ ଦେବାନାହିଁ । ସରକାର ସିନା କୁକୁଡା ମାରିବେ ହେଲେ କାଉ, ବଗ ଭଳି ପକ୍ଷୀଙ୍କୁ ମାରିବା ସମ୍ଭବ ନୁହେଁ । ଏହାଛଡା ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଦେଶାଗତ ପକ୍ଷୀ ବି ରହିଛନ୍ତି ।
ତେଣୁ ସାଧାରଣ ଲୋକେ କିଭଳି ଆତଙ୍କିତ ନହେବେ ଓ ରାଜ୍ୟର କୁକୁଡା ଶିଳ୍ପ ଉଜୁଡି ନଯିବ ତାହା ଉପରେ ଧ୍ୟାନ ଦେବାକୁ ଦାବି ହେଲାଣି । ନହେଲେ ରାଜ୍ୟର ଉପକୂଳକୁ ବାତ୍ୟା ବନ୍ୟା ଭଳି ପ୍ରାକୃତି ବିପର୍ଯ୍ୟୟ ଯେତିକି କ୍ଷତି ନକରୁଛି ବାର୍ଡ ଫ୍ଲୁ ପ୍ରଚାର କ୍ଷତି ତାହାଠାରୁ ବଳିଯିବ ବୋଲି ଆଶଙ୍କା ପ୍ରକାଶ କରାଗଲାଣି । ରାଜ୍ୟରେ ଶୀତର ପ୍ରକୋପ ହ୍ରାସ ପାଉଥିବା ଓ ତାପମାତ୍ରା ବଢୁଥିବାରୁ ବାର୍ଡଫ୍ଲୁ ସଂକ୍ରମଣର ସେଭଳି ଆଶଙ୍କା ନଥିବା ବହୁ ବିଶେଷଜ୍ଞ ବି ମତ ଦେଉଛନ୍ତି ।