Odia News Portal

ସୁନ୍ଦରୀ ‘ଆନି’ ଏବେ କ’ଣ କରୁଛନ୍ତି ଆସନ୍ତୁ ଜାଣିବା

ଜୟପୁର : ଗୋଟିଏ ପରେ ଗୋଟିଏ ସଫଳତାର ସିଡ଼ି ଚଢି ଚାଲିଛନ୍ତି ଜୟପୁର ଝିଅ ଆନି ପ୍ରିନ୍‌ସ । ପ୍ରଯୋଜନାରେ ପାଦ ଥାପିଛନ୍ତି ଏହି ମିସ୍‌ ଇଣ୍ଡିଆ ଏଲିଗେଣ୍ଟ ୨୦୧୭ ଟାଇଟଲ ବିଜୟିନୀ । ନିଜର ଏକ ପ୍ରଡକ୍ସନ ହାଉସ ଖୋଲିଛନ୍ତି । ସେ ଓ ତାଙ୍କ ଟିମ୍‌ ଆଲବମ୍‌ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବିଭିନ୍ନ କମ୍ପାନୀ ପାଇଁ ବିଜ୍ଞାପନ ମଧ୍ୟ ସୁଟିଂ ଆରମ୍ଭ କରିଛନ୍ତି । ନିକଟରେ କୋକାକୋଲା ମୃଦୁପାନୀୟ ପାଇଁ ଫଟୋ ସୁଟ୍‌ କରି ନଜରକୁ ଆସିଛନ୍ତି ।

ଆନି ପ୍ରିନ୍‌ସ କହିଛନ୍ତି, ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀ ହିସାବରେ କାମ କରୁଛି । ଦୀର୍ଘ ଦିନ ଧରି ଫ୍ୟାସନ, ଗ୍ଲାମର ଦୁନିଆ ସହ ଯୋଡ଼ି ହୋଇ ରହିଛି । ଇଣ୍ଡଷ୍ଟ୍ରିରେ କିଛି ବଡ଼ କରିବା, ଫ୍ୟାସନକୁ ସାରା ଦେଶରେ ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରଡକ୍ସନ ହାଉସ ଆରମ୍ଭ କରିଛି । ଏକ ଆଲବମ୍‌ର ଲିରିକ୍ସ ଓ କମ୍ପୋଜ କାମ ଚାଲିଛି । ପ୍ରଡକ୍ସନ ହାଉସ ଏବେ ଆରମ୍ଭ ମାତ୍ର । ଆଗକୁ ଆହୁରି ଅନେକ କାମ ବାକି ରହିଛି । ବିଭିନ୍ନ ବ୍ରାଣ୍ଡର ବିଜ୍ଞାପନ କରିବାକୁ ଲକ୍ଷ୍ୟ ରଖାଯାଇଛି । କେବଳ କୋକାକୋଲା ନୁହେଁ, ଅନ୍ୟ କସମେଟିକ୍ସ, ଫେସ୍‌ ମାକ୍ସ, ବ୍ୟୁଟି ପ୍ରଡକ୍ଟ, ପରଫ୍ୟୁମର ପ୍ରମୋସନ କରାଯିବ । ଭବିଷ୍ୟତରେ କମର୍ସିଆଲ ଫିଲ୍ମ ମଧ୍ୟ କରିବାକୁ ଇଚ୍ଛା ରହିଛି ।

ସୂଚନାଯୋଗ୍ୟ, ପୁଲସ ଏସ୍‌ଆଇ ବିଚିତ୍ର ରଞ୍ଜନ ନାଗଙ୍କ ଝିଅ ଆନି ପ୍ରିନ୍‌ସ ସ୍ଥାନୀୟ ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଯୁକ୍ତ ୨ ପାସ କରିବା ପରେ ବେଙ୍ଗାଲୁରୁ ଯାଇଥିଲେ । ସେଠାରେ ଉଚ୍ଚଶିକ୍ଷା ଗ୍ରହଣ ସହ ମଡେଲିଂରେ ନିଜ ଦକ୍ଷତା ଦେଖାଇ ଥିଲେ । ୨୦୧୨ ରେ ମିସ୍‌ ବେଙ୍ଗାଲୁରୁ ମୁକୁଟ ପିନ୍ଧିଥିଲେ । ୨୦୧୭ ରେ ଜିତିଥିଲେ ମିସ୍‌ ଇଣ୍ଡିଆ ଏଲିଗେଣ୍ଟ ସମ୍ମାନ । ମିସ୍‌ ନର୍ଥ ଇଷ୍ଟ-୨୦୧୭ ଟାଇଟଲ ମଧ୍ୟ ହାସଲ କରିଥିଲେ । ଏହାବ୍ୟତୀତ ସେ ତାମିଲ, କନ୍ନଡ ଓ ତେଲୁଗୁ ଫିଲ୍ମରେ ଅଭିନୟ କରିଛନ୍ତି ।