Odia News Portal

ସିଲ୍‌ ହେଲା ଷ୍ଟାର ଧର୍ମେନ୍ଦ୍ରଙ୍କ ନୂଆ ଢାବା ‘ହି ମ୍ୟାନ’

ଧର୍ମେନ୍ଦ୍ର ଗତ କିଛି ଦିନ ପୂର୍ବରୁ କରନାଲରେ ନିଜର ଏକ ନୂଆ ଢାବା ‘ହି ମ୍ୟାନ’ (He Man) ଉଦ୍‌ଘାଟନ କରିଥିଲେ। ସୂଚନା ମୁତାବକ ବର୍ତ୍ତମାନ ଏହି ଢାବାକୁ ସିଲ୍‌ କରିଦିଆଯାଇଛି। ଅବୈଧ ନିର୍ମାଣ କରାଯାଇଥିବାରୁ ନଗର ନିଗମ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ରିପୋର୍ଟ ଅନୁଯାୟୀ ନଗର ନିଗମ ପକ୍ଷରୁ ‘ହି ମ୍ୟାନ’ ଢାବାର ଗେଟ୍‌ରେ ନୋଟିସ୍‌ ମରାଯିବା ସହ ସେଠାରେ ଉପସ୍ଥିତ ଥିବା ଷ୍ଟାଫ୍‌ ଏବଂ ଗ୍ରାହକଙ୍କୁ ବାହାରକୁ ବାହାର କରାଯାଇଥିଲା।

ଏହି ଘଟଣାରେ ନଗର ନିଗମ ଉପଯୁକ୍ତ ନିଶାନ୍ତ କୁମାର ଯାଦବ କହିଛନ୍ତି ଅବୈଧ ନିର୍ମାଣ କରାଯାଉଥିବାରୁ ଆମେ ଗତବର୍ଷ ଅନେକ ଘର ମାଲିକଙ୍କୁ ନୋଟିସ୍‌ କରିିଥିଲୁ କିନ୍ତୁ କୌଣସି ଉତ୍ତର ଆସିନଥିଲା। ସୂଚନା ଅନୁଯାୟୀ ଧର୍ମେନ୍ଦ୍ରଙ୍କ ଢାବା ବ୍ୟତୀତ ଅନେକ ନିର୍ମାଣଧୀନ ଭବନ ଗୁଡିକୁ ମଧ୍ୟ ସିଲ୍‌ କରାଯାଇଛି।

ଧର୍ମେନ୍ଦ୍ର ଗତ ୧୪ ଫେବୃଆରୀରେ ‘ହି ମ୍ୟାନ’ ଢାବା ଉଦ୍‌ଘାଟନ କରିଥିଲେ। ବର୍ତ୍ତମାନ ୨୨ ଦିନ ପରେ ଏହି ଢାବା ସିଲ୍‌ କରାଯିବାର ଖବର ସାମ୍ନାକୁ ଆସିଛି। ଯାହା ଧର୍ମେନ୍ଦ୍ର ଏବଂ ତାଙ୍କ ଫ୍ୟାନ୍ସଙ୍କୁ ବଡ ଝଟକା ଦେଇଛି। ଏହି ଢାବା ଉଦ୍‌ଘାଟନ ସମୟରେ ଧମେନ୍ଦ୍ର ଏକ ଟ୍ଵିଟ୍‌ ମଧ୍ୟ କରିଥିଲେ। ଏହି ଟ୍ଵିଟ୍‌ ରେ ଧର୍ମେନ୍ଦ୍ର ଲେଖିଥିଲେ, ମୁଁ ବହୁତ ଖୁସି ଅଛି ଆପଣଙ୍କ ଶୁଭକାମନାରେ। ସମସ୍ତଙ୍କ ଭଲପାଇବା ଏଭଳି ଲାଗି ରହୁ। ଧର୍ମେନ୍ଦ୍ର ‘ଗରମ ଧରମ’ ଢାବାର ସଫଳତା ପାଇବା ପରେ ଏକ ନୂଆ ଢାବା ଖୋଲିବା ପାଇଁ ଘୋଷଣା କରିଥିଲେ।