ମୁମ୍ବାଇ : କରୋନା ଭାଇରସ୍ ଭୟ ସାରା ବିଶ୍ୱକୁ ଆତଙ୍କିତ କରିଛି । ତେଣୁ ଅନେକ ସ୍ଥାନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଠକ ଓ ସମ୍ମିଳନୀ ଆଦି ବାତିଲ ହୋଇଯାଉଛି । ଏହି ପରିପ୍ରେକ୍ଷୀରେ ଭାରତରେ ହେବାକୁ ଥିବା ଫଟାଫଟ୍ କ୍ରିକେଟ୍ ଟି-୨୦ ମହାସମର ଆଇପିଏଲ୍କୁ ବି ବାତିଲ କରିବା ପାଇଁ ଦାବି ଜୋର୍ ଧରିଛି । ଆଇପିଏଲ୍ରେ ଅନେକ ଦେଶୀ ଓ ବିଦେଶୀ ଖେଳାଳି ଭାଗ ନେବେ । ପୁଣି ଷ୍ଟାଡିୟମ୍ରେ ହଜାର ହଜାର ଲୋକ ଏକାଠି ବସି ଖେଳ ଦେଖିବେ । ତେଣୁ ଏହି ରୋଗ ବଢ଼ିବାର ଆଶଙ୍କା ରହିଛି । ଏପଟେ ଦେଶର କିଛି ଅଞ୍ଚଳରେ କରୋନା ଭାଇରସ୍ରେ ପୀଡ଼ିତ କିଛି ରୋଗୀଙ୍କ ଚିକିତ୍ସା ଚାଲିଛି । ତେଣୁ ଆଇପିଏଲ୍କୁ ବନ୍ଦ କରାଯାଉ ବୋଲଇ ଦାବି କରାଯାଉଛି । ଏମିତିକି ଏହାକୁ ବିରୋଧ କରି ଲୋକେ କୋର୍ଟରେ ମଧ୍ୟ ମାମଲା ରୁଜୁ କଲେଣି ।
ମାଡ୍ରାସ୍ ହାଇକୋର୍ଟରେ ଏ ନେଇ ଏକ ମାମଲା ରୁଜୁ ହୋଇଛି । ଆବେଦନକାରୀ ଉଲ୍ଲେଖ କରିଛନ୍ତି ଯେ କରୋନା ବ୍ୟାପିଥିବାରୁ କେନ୍ଦ୍ର ସରକାର ବିସିସିଆଇକୁ ଆଇପିଏଲ୍ ବାତିଲ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ । ଏହା ପୂର୍ବରୁ ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ଆଇପିଏଲ୍ ଉପରେ ରୋକ୍ ଲଗାଇବାକୁ ଦାବି କରିଥିଲେ । ଏହା ପରେ ଆଇପିଏଲ୍ର କିଛି ଟିମ୍ ପକ୍ଷରୁ ବିନା ଦର୍ଶକରେ ଖାଲି ଷ୍ଟାଡିୟମ୍ରେ ମ୍ୟାଚ୍ କରାଇବାକୁ ପ୍ରସ୍ତାବ ଦିଆଯାଇଥିଲା । ଲୋକେ ଘରେ ବସି ଟେଲିଭିଜନ୍ରେ ଖେଳ ଦେଖି ପାରିବେ । ଅବଶ୍ୟ ଏହା ପରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଥିଲେ ଯେ ଆଇପିଏଲ୍ ନିର୍ଦ୍ଦିଷ୍ଟ ସମୟରେ ଆୟୋଜିତ ହେବ । ଏହା ଉପରେ ଥିବା କୌଣସି ବିପଦ କିମ୍ବା ସମସ୍ୟାର ସମାଧାନ ପାଇଁ ଆମେ ସବୁ ପ୍ରକାର ପଦକ୍ଷେପ ନେବୁ । ବର୍ତ୍ତମାନର ସ୍ଥିତି ଉପରେ ଆମେ ନଜର ରଖିଛୁ । ଆସନ୍ତା ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବ ଆଇପିଏଲ୍ ସିଜିନ୍-୧୩ । ଏହା ମେ ମାସ ୨୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫୦ ଦିନ ଧରି ଖେଳା ଯିବ ।