ଭୁବନେଶ୍ୱର : ରାଜ୍ୟରେ ମାଛଚାଷକୁ ପ୍ରୋତ୍ସାହନ ସହିତ ଜନସାଧାରଣଙ୍କୁ ସୁଲଭ ଦରରେ ଗୁଣାତ୍ମକ ମାଛ ଯୋଗାଇବାପାଇଁ ଗଠନ ହୋଇଥିବା ଫିସ୍ଫେଡ୍ର ଏବେ ଦେଖାଦର୍ଶନ ନାହିଁ । ବର୍ଷ ସାରା ସଭାସମିତିରେ ମାତିଥିବା ଫିସ୍ଫେଡ୍ ଅଧିକାରୀମାନେ କଟକଣା ସମୟରେ ମାଛ ଟିକେ ଯୋଗାଇ ନପାରିବା ଏବେ ଏହି ସରକାରୀ ସଂସ୍ଥା ଉପରେ ପ୍ରଶ୍ନବାଚୀ ଲଗାଇ ଦେଲାଣି । ୧୯୯୧ ମସିହାରୁ କାର୍ଯ୍ୟରତ ଏହି ସଂସ୍ଥା ସହିତ ୮୦ହଜାର ମତ୍ସ୍ୟଜୀବୀ ରହିଥିବା ଫିସ୍ଫେଡ୍ ଦାବି କରୁଛି । ତେବେ ଏହି ମତ୍ସ୍ୟଜୀବୀଙ୍କ ମାଛ କୁଆଡେ ଯାଉଛି ବୋଲି ଲକ୍ ଡାଉନ୍ରେ ମାଛ ଟିକେ ପାଇଁ ପୁଲିସ୍ ପାହାର ଖାଉଥିବା ରାଜଧାନୀବାସୀ ପ୍ରଶ୍ନ କରୁଛନ୍ତି । ଫିସ୍ଫେଡ୍ ଦର୍ଶାଉଛି ଯେ ଚିଲିକାଫ୍ରେସ୍ ମାଧ୍ୟମରେ ଲୋକଙ୍କୁ ମାଛ ଯୋଗାଉଛି । ହେଲେ ରାଜଧାନୀରେ ହାତ ଗଣତି କେତୋଟି ଚିଲିକାଫ୍ରେସ୍ ରହିଥିବାବେଳେ ଏହାର ସଂଖ୍ୟା ବଢୁନାହିଁ । ୨୦୧୭ ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଫିସ୍ଫେଡ୍ ପକ୍ଷରୁ ଆରମ୍ଭ ହୋଇଥିବା ବହୁ ପ୍ରଚାରିତ ଫିସ୍ ଅନ୍ ହ୍ୱିଲର ବି ଦେଖା ଦର୍ଶନ ନାହିଁ ।
ଏହିଗାଡି ଜରିଆରେ ଭଜା ମାଛ ବିକିବାପାଇଁ ଯୋଜନା ହୋଇଥିଲା । ତେବେ ଭଜା ମାଛ ତ ଦୂରରକଥା ରାଜଧାନୀରେ ଏବେ କଞ୍ଚାମାଛ ଟିକେ ପାଇବାପାଇଁ ଏକ ପ୍ରକାର ପ୍ରତିଦ୍ୱନ୍ଦିତା ଚାଲୁଛି । ସହରରେ ଏବେ ସବୁଠାରୁ ଅଧିକ ଭିଡ ହେଉଛି ମାଛ ବଜାରରେ । ଲୋକେ ଏଭଳି ଠେଲାପେଲା ହେଉଛନ୍ତି ଯେ କରୋନା ଏହିଠାରୁ ହିଁ କରାଳ ରୂପ ଧାରଣ କରିବ ବୋଲି କୁହାଯାଉଛି । ଅବଶ୍ୟ କିଛିଦିନ ହେଲା ମାଛ ବଜାରକୁ ପୁଲିସ୍ ବାଡି ପକାଇ ଜଗିଛି । ଏଭଳି ସମୟରେ ଫିସ୍ଫେଡ୍ କିନ୍ତୁ କ୍ୱାରେଣ୍ଟାଇନ୍ରେ ଥିବା ଆଲୋଚନା ହେଉଛି । ଲୋକଙ୍କ ଘର ପାଖରେ ଯଦି ଫିସ୍ଫେଡ୍ ମାଛ ପହଁଚାଇ ଦିଅନ୍ତା ତେବେ ଲୋକେ ଗାଡି ମୋଟର ଧରି ମାଛ କିଣିବାକୁ ଯାଆନ୍ତେ ନାହିଁ କି ୧୦୦ ଟଙ୍କାର ମାଛ କିଣି ଗାଡି ପାଇଁ ୫୦୦ ଟଙ୍କା ଜୋରିମାନା ସହିତ ପୁଲିସ୍ ଠାରୁ ଦୁଇ ପାହାର ଖାଇ ଫେରନ୍ତେ ନାହିଁ ।
ତେବେ ମତ୍ସ୍ୟ ବିଭାଗର ଏହି ଅଗ୍ରଣୀ ଅନୁଷ୍ଠାନର କିନ୍ତୁ ଦେଖାଦର୍ଶନ ନାହିଁ । ରାଜଧାନୀର କିଛି ମାଛ ପ୍ରେମୀ ଅଭିଯୋଗ କରିଛନ୍ତି ଯେ ଫିସ୍ଫେଡ୍ ବର୍ଷସାରା ଯେତିକି ସଭା ସମିତି ଓ ପ୍ରଚାର ଚଳାଇଛି ମାଛ ତଳେ… ସେଥିରୁ ଯଦି କାଣିଚାଏ ଶକ୍ତି ମାଛ ଯୋଗାଣରେ ଖଟାନ୍ତା ତେବେ ରାଜଧାନୀବାସୀ ବରଫଦିଆ ଆନ୍ଧ୍ର ମାଛ ଖାଆନ୍ତେ ନାହିଁ କି ହାଟରେ ଦଣ୍ଡିରେ ଠକି ହୁଅନ୍ତେ ନାହିଁ । ତେବେ ରାଜଧାନୀର ଗଳି କନ୍ଦିରେ ଏବେ ଲୋକଙ୍କ ପାଇଁ ଗାଡିରେ ପରିବା ଓ ଗ୍ରୋସୋରୀ ବିକ୍ରି ହେଉଥିବାବେଳେ ଅନୁରୂପ ଭାବେ ସରକାରୀ ସଂସ୍ଥା ଫିସ୍ଫେଡ୍ ମାଛ ବିକିବାପାଇଁ ଦାବି ହେଉଛି । ଏଭଳି ହେଲେ ବାଜରରେ ଅଧା ଗହଳି ହ୍ରାସ ପାଆନ୍ତା । ହେଲେ ଲୋକଙ୍କ ଦାବିପ୍ରତି ମତ୍ସ୍ୟ ବିଭାଗ କର୍ତ୍ତୃପକ୍ଷ କିମ୍ବା ଫିସ୍ଫେଡ୍ର ପ୍ରତିନିଧିମାନେ ଏକ ପ୍ରକାର ଆଖିବୁଜି ଦେଇଛନ୍ତି ।