Odia News Portal

ବିସିସିଆଇ ନୁହଁ, କେନ୍ଦ୍ର ସରକାର ନେବେ ଆଇପିଏଲ୍ ନିଷ୍ପତ୍ତି

ନୂଆଦିଲ୍ଲୀ : ଆସନ୍ତା ୨୮ ତାରିଖରେ ଆଇସିସିର ବୋର୍ଡ ବୈଠକ ବସିବ । ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ରହିଛି । ତନ୍ମଧ୍ୟରୁ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ସଂପର୍କରେ ଆଲୋଚନା ହେବ । ଯାହା ଅନୁମାନ କରାଯାଉଛି ବିଶ୍ୱକପ୍‌କୁ ଘୁଞ୍ଚାଇ ଦିଆଯିବ । ଯଦି ବିଶ୍ୱକପ୍‌ ଘୁଞ୍ଚାଇ ଦିଆଯାଏ, ତେବେ ଅକ୍ଟୋବର-ନଭେମ୍ବର ମାସରେ ବିସିସିଆଇ ଆଇପିଏଲ୍‌-୧୩ ଆୟୋଜନ ନେଇ ଯୋଜନା କରୁଛି । କିନ୍ତୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେଜ ରିଜିଜୁ ଦେଇଥିବା ମନ୍ତବ୍ୟକୁ ନେଇ ପୁଣି ଚଳିତ ବର୍ଷ ଆଇପିଏଲ୍‌ ଆୟୋଜନକୁ ନେଇ ଅନିଶ୍ଚିତତା ଦେଖା ଦେଇଛି ।

କ୍ରୀଡ଼ାମନ୍ତ୍ରୀ ରିଜିଜୁ କହିଛନ୍ତି, ଚଳିତ ବର୍ଷ ଆଇପିଏଲ୍‌ ଆୟୋଜିତ ହେବ କି ନ ହେବ ତାହା ବିସିସିଆଇର ନିଷ୍ପତ୍ତି ନୁହଁ । ଏ ବିଷୟରେ କେନ୍ଦ୍ର ସରକାର ହିଁ ବିଚାର କରିବେ । ଦେଶରେ କରୋନା ସଂକ୍ରମଣର ସ୍ଥିତି ବିଚାରକୁ ନେଇ ସରକାର ଯାହା କିଛି ନିଷ୍ପତ୍ତି ନେବେ । ହଁ, ଆଇପିଏଲ୍‌ ଆୟୋଜନ ହୋଇପାରିବ ଯଦି ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ନଥିବ। ଦେଶରେ ବର୍ତ୍ତମାନ ଯେଉଁଭଳି ସ୍ଥିତି, ଜନସାଧାରଣଙ୍କ ହିତ ପାଇଁ କେନ୍ଦ୍ର ସରକାର ଯାହା କିଛି ପଦକ୍ଷେପ ଗ୍ରହଣ କରୁଛନ୍ତି। ଅନ୍ୟ କିଛି ପାଇଁ ଆମେ ଦେଶବାସୀଙ୍କ ସ୍ୱାସ୍ଥ୍ୟକୁ ବିପଦକୁ ଠେଲି ଦେଇ ପାରିବୁ ନାହିଁ ।”

କ୍ରୀଡ଼ାମନ୍ତ୍ରୀଙ୍କ କଥାରୁ ଯାହା ଅନୁମାନ ହେଉଛି, ବିସିସିଆଇ ଏକ ସ୍ୱୟଂଶାସିତ କ୍ରୀଡ଼ା ଅନୁଷ୍ଠାନ ହୋଇ ଥିଲେବି ନିଜ ଇଚ୍ଛା ଅନୁସାରେ କିଛି ବି କରି ପାରିବ ନାହିଁ । ସବୁ କିଛି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପରିଚାଳିତ ହେବ । ସରକାର ଚାହିଁଲେ ଓ ଅନୁମତି ଦେଲେ ହିଁ ଆଇପିଏଲ୍‌ ହେବ। ନଚେତ ବାତିଲ ହେବ । ତେଣିକି ବିସିସିଆଇର ଯେତେ ଯାହା କ୍ଷତି ହେଲେ ହେଉ । ବର୍ତ୍ତମାନ ସମୟରେ ଦେଶର ବହୁ ସଂସ୍ଥା କ୍ଷତି ସହୁଛନ୍ତି ।

କରୋନା ସଂକ୍ରମଣ ଯୋଗୁ ଅନ୍ତର୍ଜାତୀୟ କ୍ରିକେଟ୍‌ସୂଚୀ ସ୍ଥଗିତ ରହିଛି । ପୁଣି କେବେ ଏହା ସ୍ୱାଭାବିକ ହେବ ତାହା କୁହାଯିବା ମୁସ୍କିଲ । ଯଦିଓ ଆଇସିସି କରୋନାରେ କିଭଳି କ୍ରିକେଟ୍‌ ପ୍ରତ୍ୟାବର୍ତ୍ତନ କରିବ ସେ ନେଇ ନୂଆ ଗାଇଡ୍‌ ଲାଇନ ପ୍ରସ୍ତୁତ କରିଛି । ତଥାପି କ୍ରିକେଟ୍‌ ବୋର୍ଡ କିମ୍ବା ଆଇସିସି ଚାହିଁଲେ ନୁହଁ, ବରଂ ଦେଶ ଗୁଡ଼ିକ ସରକାରଙ୍କ ନିଷ୍ପତ୍ତି ଉପରେ ସବୁ କିଛି ନିର୍ଭର କରୁଛି । “ଆମର ଏବେ ମୂଳ ଲକ୍ଷ୍ୟ ହେଉଛି କରୋନା ନିରାକରଣ । ତେଣୁ କାହାର ସ୍ୱାସ୍ଥ୍ୟ ପ୍ରତି ଯେମିତି ବିପଦ ନ ଉପୁଜେ ସେଥିପ୍ରତି ପ୍ରାଥମିକତା ସରକାର ଦେଉଛନ୍ତି । ଆମେ ଚାହୁଁଛୁ କ୍ରୀଡ଼ା ଇଭେଣ୍ଟ୍‌ ଆରମ୍ଭ ହେଉ ମାତ୍ର ଦେଶବାସୀଙ୍କୁ ବିପଦକୁ ଠେଲି ଦେଇ ନୁହଁ ବୋଲି କ୍ରୀଡ଼ାମନ୍ତ୍ରୀ ରିଜିଜୁ କହିଛନ୍ତି ।

ସୂଚନା ଅନୁସାରେ ବିସିସିଆଇ ଆଇପିଏଲ୍‌-୧୩ ଆୟୋଜନର ସୂଚୀ ପ୍ରସ୍ତୁତ କରି ସାରିଲାଣି । ମାତ୍ର ତାହା କେତେ ସତ୍ୟ ତାହା ବି ଜଣା ନାହିଁ । ସେପ୍ଟେମ୍ବର ୨୫ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ନଭେମ୍ବର ୧ ତାରିଖରେ ଶେଷ ହେବ । ତେବେ ଏ ସଂପର୍କରେ ବିସିସିଆଇ ପକ୍ଷରୁ କିଛି କୁହାଯାଇ ନାହିଁ । ପାକିସ୍ତାନ କ୍ରିକେଟ୍‌ ବୋର୍ଡ ଏବଂ କିଛି ଅନ୍ତର୍ଜାତୀୟ କ୍ରୀଡ଼ାବିତଙ୍କ ଅଭିଯୋଗ ଅନୁସାରେ, ଆଇପିଏଲ୍‌ ଆୟୋଜନ ପାଇଁ ବିସିସିଆଇ ଟି-ଟ୍ୱେଣ୍ଟି ବିଶ୍ୱକପ୍‌କୁ ଘୁଞ୍ଚାଇ ଦେବାର ଚାପ ସୃଷ୍ଟି କରୁଛି । ଆଇପିଏଲ୍‌ ପାଇଁ ବିଶ୍ୱକପ୍‌କୁ ବଳି ଦିଆ ନଯିବା ଉଚିତ ।

ଗତ ମାର୍ଚ୍ଚ ମାସ ୨୯ ତାରିଖରୁ ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣ ଆରମ୍ଭ ହେବାର ଥିଲା । ମାର୍ଚ୍ଚ ୨୪ ତାରିଖ ମଧ୍ୟ ରାତ୍ରିରୁ ସାରା ଦେଶ ଲକ୍‌ ଡାଉନ ହେବା ପୂର୍ବରୁ ବିସିସିଆଇ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସଂସ୍ଥରଣକୁ ସ୍ଥଗିତ ଘୋଷଣା କରିଥିଲା । ମାତ୍ର ପୁଣି ଏପ୍ରିଲ ୧୫ ପୂର୍ବରୁ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ ଡାଉନ ଘୋଷଣା ହେବା ପରେ ଆଇପିଏଲ୍‌କୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ଘୋଷଣା କରିଥିଲା ବିସିସିଆଇ ।

ଯଦି ଚଳିତ ବର୍ଷ ଆଇପିଏଲ୍‌ ଆୟୋଜିତ ହୋଇ ନପାରେ ତେବେ ବୋର୍ଡ ୪୦୦୦ କୋଟିରୁ ଊଦ୍ଧ୍ୱର୍ କ୍ଷତି ସହିବ । ତେବେ ପ୍ରଧାରଣ ଅଧିକାର ବାବଦକୁ ୩୨୦୦ କୋଟି ହରାଇବ । ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ଅର୍ଥାତ ୫ ବର୍ଷ ପାଇଁ ଷ୍ଟାର ଇଣ୍ଡିଆ ଆଇପିଏଲ୍‌ର ଗ୍ଲୋବାଲ ମିଡିଆ ରାଇଟ୍‌ ( ବିଶ୍ୱ ପ୍ରସାରଣ ଅଧିକାର) ଜିତିଛି । ଏଥିପାଇଁ ୧୬,୩୪୭.୫ କୋଟି ଟଙ୍କା ଦେବ ବୋଲି ଚୁକ୍ତି କରିଛି । ଅର୍ଥାତ ବର୍ଷକୁ ୩୨୬୯.୫୦ କୋଟି । ଯଦି ଚଳିତ ବର୍ଷ ଆଇପିଏଲ୍‌ ବାତିଲ ହୁଏ ତେବେ ଏତିକି ଅର୍ଥ ବିସିସିଆଇକୁ ହରାଇବାକୁ ପଡ଼ିବ । ଏହା କେବଳ ପ୍ରସାରଣ ଅଧିକାର ବାବଦକୁ, ଅନ୍ୟାନ୍ୟ ଦିଗ ମଧ୍ୟ ରହିଛି । ତେଣୁ ବିସିସିଆଇ ସଂସ୍କରଣକୁ ବାତିଲ ନକରି ଚଳିତ ବର୍ଷ ଆୟୋଜନ କରିବାର ଯୋଜନା କରୁଛି ।