ଭୁବନେଶ୍ବର : ଏ କରୋନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଘଣ୍ଟ ଘୋଡେଇ ରଖିଛନ୍ତି । ଆଉ ତା’ର କି ପୁରସ୍କାର ଏଠିକାର ବିରୋଧୀ କେମିତି ଦେଉଛନ୍ତି ଜାଣିଛନ୍ତି ? ମିଛ ଦୁର୍ନୀତିକୁ ନେଇ ଘଣ୍ଟ ମାଡ଼ । ଗୋଟିଏ ଭୟ : କାଳେ ନବୀନ ସବୁ କ୍ରେଡିଟ୍ ନେଇ ଯିବେ କି ? ଓଡ଼ିଶା ଆଗୁଆ ସତର୍କ ହୋଇଗଲା । ସେତେବେଳେ ବିଜେପି କହିଥିଲା ଯେ ସରକାର ବିଧାନସଭାକୁ ଡରି କରୋନା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଲେ!!! ସାରା ଭାରତ କରୋନାର ଭୟାବହତା ବୁଝିବା ପୂର୍ବରୁ ଓଡ଼ିଶା ଓ ଓଡ଼ିଶା ପୂର୍ବରୁ କେରଳ କେବଳ ଏହି ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ପ୍ରାଇଭେଟ୍ ହସପିଟାଲମାନେ ଏବେ ଦିଲ୍ଲୀ ସରକାରଙ୍କ କଥା ଶୁଣୁ ନଥିବା ବେଳେ ପ୍ରାଇଭେଟ୍ ହସପିଟାଲକୁ ଅତ୍ୟନ୍ତ ଚତୁରତାର ସହ ହ୍ୟାଣ୍ଡେଲ କରି କୋଭିଡ୍ ହସପିଟାଲରେ ପରିଣତ କରି ଦେଲେ ମୁଖ୍ୟମନ୍ତ୍ରୀ । ଏହା ପରେ ଚାହୁଁ ଚାହୁଁ ୩୬ଟି କୋଭିଡ୍ ହସପିଟାଲ ତିଆରି କରିବାରେ ସକ୍ଷମ ହେଲେ ରାଜ୍ୟ ସରକାର । ଏତେ ସଂଖ୍ୟକ ହସପିଟାଲ କାହିଁକି ବୋଲି ପ୍ରଥମେ ପ୍ରଶ୍ନ କରୁଥିବା ବ୍ୟକ୍ତି ଏବେ ବୁଝି ପାରୁଛନ୍ତି ଏତେ ହସପିଟାଲ କାହିଁକି ତିଆରି କରାଯାଇଥିଲା!!! ଦିଲ୍ଲୀ, ବମ୍ବେ ଓ ଅହମ୍ମଦାବାଦରେ ଏବେ ରୋଗୀ ହସପିଟାଲରେ ବେଡ ପାଉ ନାହାନ୍ତି ।
ଘରେ ପ୍ରାଣ ଯାଉଛି । ଶବ ଉଠେଇବାକୁ କେହି ନାର୍ହିଁ । ଗୁଜୁରାଟ ସରକାର ତ ହାଇକୋର୍ଟରେ ସିଧା କହିଦେଲେ ଯେ ଛବି ଖରାପ ହେବା ଆଶଙ୍କାରେ ଆଉ ଅଧିକ ଟେଷ୍ଟିଂ କରିବୁ ନାହିଁ । ଗୋଷ୍ଠୀ ସଂକ୍ରମଣ ପରି ଘାତକ ଆଶଙ୍କା ପାଇଁ ତିଆରି ହୋଇଥିଲା ଏ କୋଭିଡ୍ ହସପିଟାଲ, ତାହା କ୍ରମେ ଲୋକ ବୁଝିବାକୁ ଲାଗିଲେ । ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ଓଡ଼ିଶା ପରି ପ୍ରବାସୀ ଶ୍ରମିକପ୍ରବଣ ରାଜ୍ୟରେ ଶ୍ରମିକ ଯାହା ହେଲେ ଭିଟାମାଟିକୁ ଫେରିବେ । ଭିଟାମାଟିକୁ ଫେରାଇବା ପାଇଁ ଓଡ଼ିଶା ସରକାର ଯେତେବେଳେ ପ୍ରସ୍ତୁତି ଆରମ୍ଭ କଲେ ଏବଂ ପ୍ରାୟ ୪ ଲକ୍ଷ ପ୍ରବାସୀଙ୍କୁ ଘରକୁ ଫେରାଇ ଆଣିଲେ, ସେତେବେଳେ ବି ଆଖି ପତା ଟେକିଲେ । ଘଣ୍ଟ ବାଡେଇଲେ । କାହିଁକି ବାହାରୁ ଲୋକଙ୍କୁ ଆଣୁଛ ବୋଲି ପ୍ରଶ୍ନ କଲେ । ଏବେ ସୁପ୍ରିମକୋର୍ଟ କହିଲେ ଯେ ସବୁ ଶ୍ରମିକଙ୍କୁ ସସମ୍ମାନ ଘରକୁ ଆଣ । ଆମର ଶ୍ରମିକ ଆସି କ୍ୱାରାଂଟାଇନ ସେଂଟରରେ ରହିଲେ । ଗାଁ, ଗାଁରେ ହୋଇଥିବା କ୍ୱାରାଂଟାଇନ୍ ସେଂଟରକୁ ସମ୍ଭାଳିବାକୁ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରାଗଲା । ସେତେବେଳେ ବି ଏ ନିଷ୍ପତ୍ତିକୁ ହସରେ ଉଡାଗଲା, ଘଂଟ ବାଡେଇଲେ । ଏବେ ବୁଝିଲେ ଯେ ସରପଞ୍ଚଙ୍କୁ କ୍ଷମତା ଦିଆ ଯାଇ ନଥିଲେ ଗାଁ, ଗାଁରେ ରକ୍ତପାତ ହୋଇଥା’ନ୍ତା । କରୋନା ବାହାରିଲା ଆବଦ୍ଧ ସ୍କୁଲ ଘରେ ବା କ୍ୱାରାଣ୍ଟାଇନ୍ ସେଣ୍ଟରରେ ଓ ସେଠାରୁ ସେମାନଙ୍କୁ କୋଭିଡ ହସପିଟାଲ ନିଆଗଲା । ଏବେ ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ନାହିଁ । କରୋନା କବଳରୁ ଘଣ୍ଟ ଘୋଡେଇ ରଖି ଦେଲେ ମୁଖ୍ୟମନ୍ତ୍ରୀ ।
ଏସବୁର ସଫଳତା ଆଉ ଦେହରେ ଗଲାନି । ଏବେ ଆରମ୍ଭ ହୋଇ ଯାଇଛି ମୁଖରୋଚକ ମାସ୍କ ସ୍କାମ । କର୍ଣାଟକରେ ୧୮ଟଙ୍କା ୭୪ ପଇସାରରେ ମାସ୍କ କିଣିଲେ ଭଲ । ଗୁଜୁରାଟରେ ୨୦ ଟଙ୍କାରେ ମାସ୍କ କିଣିଲେ ଭଲ । ପଶ୍ଚମବଂଗରେ ୧୭ଟଙ୍କା ୭୦ ପଇସାରେ ମାସ୍କ କିଣିଲେ ଭଲ । କିନ୍ତୁ ଓଡ଼ିଶାରେ ୧୬ ଟଙ୍କାରେ ମାସ୍କ କିଣିଲେ ଘଣ୍ଟମାଡ଼ । ଏପ୍ରିଲ୧ରେ ରାଜ୍ୟ ସରକାର ନିଷ୍ପତ୍ତି ନେଲେ ମାସ୍କ କିଣିବେ ବୋଲି । କିନ୍ତୁ ଏପ୍ରିଲ ୨ ତାରିଖ ଦିନ କେନ୍ଦ୍ରସରକାର ଘୋଷଣା କଲେ ଯେ କାଳେ ମାସ୍କର ହୋର୍ଡିଂ ହୋଇଯିବ ସେଥିପାଇଁ ଅନ୍ୟୁନ ୧୬ ଟଙ୍କା ଦରରେ ସବୁ ରାଜ୍ୟ ମାସ୍କ କିଣିବେ । ସ୍ୱୀକୃତ କଂପାନୀ ନାଁ ବି ଉଲ୍ଲେଖ କଲେ ।
ଏ ସମୟରେ ନିଷ୍ପତି ତୁରନ୍ତ ନିଆଯାଏ କାରଣ ହାତରେ ସମୟ କମ୍ । ଏପ୍ରିଲ ୬ରେ କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍ ଘୋଷଣା କଲେ ଯେ ମାସ୍କ କିଣିବା କିମ୍ବା ନକିଣିବା ରାଜ୍ୟ ସରକାରଙ୍କ ଇଚ୍ଛାଧୀନ ବ୍ୟାପାର । ସେତେବେଳକୁ ମାସ୍କର ଅର୍ଡର ଦିଆ ସରିଛି । ଏଥିରେ ଭୁଲ୍ ରହିଲା କେଉଁଠି? କେଉଁଠି ସ୍କାମ୍ ହେଲା? ସରକାରଙ୍କ ଛବିକୁ ମଳିନ କରିବା ପାଇଁ ଘଣ୍ଟ ବାଡେଇବା ପାଇଁ କିଛି ଲୋକ ବଇନା ପାଇଥିବା ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି । ଏବେ ପ୍ରଶ୍ନ ଉଠିଛି କିଏ ବଡ଼: ଘଣ୍ଟ ଘୋଡୋଉଥିବା ଲୋକ ନା ଘଣ୍ଟ ବାଡେଉଥିବା ଲୋକ? ବଲ୍ ଏବେ ଲୋକଙ୍କ କୋର୍ଟରେ ।