ଭୁବନେଶ୍ବର : ଓମ୍ଫେଡ୍ ଗଠନ ହୋଇଥିଲା ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ସହିତ ଦୁଗ୍ଧ ଚାଷୀଙ୍କ ଉନ୍ନତି ଏବଂ ଲୋକଙ୍କୁ ଉନ୍ନତମାନର ଦୁଗ୍ଧ ଯୋଗାଣ ପାଇଁ । ହେଲେ କରୋନା ମହାମାରୀ ସମୟରେ ଏହି ଅର୍ଦ୍ଧ ସରକାରୀ ସଂସ୍ଥାଟି ଯେଭଳି ଆଚରଣ କରୁଛି ତାହାକୁ ଦେଖିଲେ ଚାଷୀ ଓ ଗ୍ରାହକଙ୍କ ସ୍ୱାର୍ଥ ବଦଳରେ ଏହା କିଛି ବ୍ୟବସାୟୀ ଓ ଘରୋଇ ଦୁଗ୍ଧ କମ୍ପାନୀ ଗୁଡିକର ସ୍ୱାର୍ଥ ରକ୍ଷା ଦିଗରେ ଅଧିକ ତତ୍ପର ରହିଥିବା ଜଣାପଡୁଛି । କରୋନା ମହାମାରୀ ଯୋଗୁଁ ମାର୍ଚ୍ଚ ମାସରୁ ଜନତାକର୍ଫ୍ୟୁ, ଲକ୍ ଡାଉନ୍ ଓ ସଟ୍ଡାଉନ ଜାରି ହେବା ପରଠାରୁ ଓମ୍ଫେଡ୍ ଆଉ ନିୟମିତ ଭାବେ ଗାଁ ଗହଳର ଚାଷୀଙ୍କ ଠାରୁ ଦୁଗ୍ଧ ସଂଗ୍ରହ କରୁନାହିଁ । ସଂଗ୍ରହ କରିବା ତ ଦୂରରକଥା ଆଣିବ କି ନଆଣିବ ତାହା ବି ଚାଷୀଙ୍କୁ ଜଣାଉନାହିଁ । ଗୋଟିଏ ପଟେ ଦୋକାନ ବଜାର ବନ୍ଦ ଓ ଅନ୍ୟପଟେ ଓମ୍ଫେଡ୍ର ଏଭଳି ନୀତି ଯୋଗୁଁ ଦୈନିକ ହଜାର ହଜାର କ୍ଷୀର ନଷ୍ଟ ହେଉଛି । ଚାଷୀମାନେ ରାସ୍ତାଘାଟରେ କ୍ଷୀର ଢାଳୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଗାଁ ଗହଳର ଅନେକ ଦୁଗ୍ଧଚାଷୀ ଏଥିପାଇଁ ଗାଈ ବିକିବାକୁ ବାଧ୍ୟ ହେଉଛନ୍ତି । ଏଭଳି ବିପତ୍ତି ସମୟରେ ଚାଷୀଙ୍କ ସହିତ ରହିବା ବଦଳରେ ସେମାନଙ୍କ ଅଣ୍ଟା ଭାଙ୍ଗିଦେଉଥିବାରୁ ଅନେକ ଦୁଗ୍ଧଚାଷୀ ବାଧ୍ୟହୋଇ ଘରୋଇ ଦୁଗ୍ଧ କମ୍ପାନୀଙ୍କ ଶରଣରେ ପଶୁଛନ୍ତି ।
ବର୍ତ୍ତମାନ ରାଜ୍ୟରେ ପଞ୍ଚମ ପର୍ଯ୍ୟାୟ ଲକ୍ଡାଉନ୍ ଜାରି ହୋଇଥିବାବେଳେ ରାଜ୍ୟ ସରକାର ମଧ୍ୟ ସପ୍ତାହକୁ ଦୁଇଦିନ ସଟ୍ଡାଉନ୍ ଜାରି କରିଛନ୍ତି । ସଟ୍ଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ କରୁଥିବା ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ଖୋଲିବାପାଇଁ ନିର୍ଦ୍ଦେଶ ଥିବାବେଳେ ଓମ୍ଫେଡ୍ କାଉଣ୍ଟର କିନ୍ତୁ ଖୋଲିନାହିଁ । ଲୋକେ ରୋଗୀ ଓ ଶିଶୁଙ୍କ ପାଇଁ ଏହି ସମୟରେ କ୍ଷୀର ଟିକେ ପାଇବାକୁ ଡହଳ ବିକଳ ହେଉଛନ୍ତି । ତେବେ ଲୋକଙ୍କ ବିକଳିଆ ଅବସ୍ଥାରୁ ଫାଇଦା ଉଠାଇବାପାଇଁ ଓମ୍ଫେଡ କିଛି ବ୍ୟକ୍ତିଙ୍କୁ ଦୁଗ୍ଧ ବିକ୍ରି ଅନୁମତି ଦେଇଛି । ହେଲେ ସେମାନଙ୍କ ଠାରୁ ଅତିକମ୍ରେ ୧୫୦ଟଙ୍କାର ଓମ୍ଫେଡ୍ ସାମଗ୍ରୀ କିଣିବାକୁ ପଡିବ ଓ ଘରେ ପହଞ୍ଚାଇବାପାଇଁ ଆଉ ୩୦ଟଙ୍କା ଦେବାକୁ ପଡିବ । ଏହାଦ୍ୱାରା ଗୋଟିଏ ଦୁଇଟି କ୍ଷୀର ପ୍ୟାକେଟ ଆବଶ୍ୟକ କରୁଥିବା ଲୋକେ ଚାହିଁଲେ ବି ପିଲାଙ୍କ ପାଇଁ କ୍ଷୀର ଟିକେ କିଣିପାରୁ ନାହାନ୍ତି । ସେହିଭଳି ଓମ୍ଫେଡ୍ ଲୋକଙ୍କ ଘରେ କ୍ଷୀର ପହଞ୍ଚାଇବାପାଇଁ ଓମ୍ଫେଡ୍ ସ୍ୱିଗି ଭଳି ସଂସ୍ଥା ସହିତ ରାଜିନାମା କରି ତାହାକୁ ନିଜ ୱେବସାଇଟ୍ରେ ଉଲ୍ଲେଖ କରିଛନ୍ତି । ହେଲେ ସ୍ୱିଗି ଜରିଆରେ ଓମ୍ଫେଡ୍ ସାମଗ୍ରୀ ମଗାଇଲେ ତାହା ଘୋଡା ଛଅ କୁ ଦାନା ନଅ ଭଳି ଅବସ୍ଥା । ୯୦ ଟଙ୍କାର ସାମଗ୍ରୀ ମଗାଇଲେ ଭଡା ଓ ଟିକସ ମିଶି ୧୮୦ ଟଙ୍କା ହୋଇଯାଉଛି । ତେଣୁ ଲୋକେ ବରଂ ଓମ୍ଫେଡ୍ ସାମଗ୍ରୀ ନମଗାଇବାକୁ ଉଚିତ୍ ମଣୁଛନ୍ତି । ଖୋଦ୍ ରାଜଧାନୀରେ ଓମ୍ଫେଡର ଏଭଳି ଶୋଷଣ ନୀତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କିଛିଦିନ ତଳେ ଓମ୍ଫେଡ୍ ପକ୍ଷରୁ ଲୋକଙ୍କ ଘର ପାଖରେ କ୍ଷୀର ଓ ଅନ୍ୟାନ୍ୟ ଓମ୍ଫେଡ୍ ଉତ୍ପାଦିତ ସାମଗ୍ରୀ ପହଞ୍ଚାଇବାପାଇଁ ଚକ ଚକିଆ ଗାଡି କିଣି ତାହାର ଜୋରଦାର ପ୍ରଚାର କରିଥିଲା ।
ଏବେ ଗାଡି ଗୁଡିକ କୁଆଡେ ଗଲାବୋଲି ଲୋକେ ପ୍ରଶ୍ନ କରୁଛନ୍ତି । ସବୁଠାରୁ ବଡ କଥା ହେଲା ଓମ୍ଫେଡ୍ ଏକ ସମବାୟ ସଂସ୍ଥା । ଚାଷୀ ଓ ଗ୍ରାହକଙ୍କ ସ୍ୱାର୍ଥରକ୍ଷା ଏହାର ପ୍ରଥମ କାମ । ହେଲେ କିଛି ଅସାଧୁ ବ୍ୟକ୍ତିଙ୍କ କବଳରେ ପଡିଥିବା ଏହି ସଂସ୍ଥା ଏବେ ଅନ୍ୟ କମ୍ପାନୀ ଓ ବେପାରୀଙ୍କ ସ୍ୱାର୍ଥକୁ ଯେଭଳି ଗୁରୁତ୍ୱ ଦେଉଛି ତାହା ଆଗାମୀ ଦିନରେ ଓମ୍ଫେଡ ପତନର କାରଣ ହେବବୋଲି କୁହାଯାଉଛି । ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ଏଥି ସହିତ ଦୁଗ୍ଧ ଯୋଗାଣକୁ କିଏ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍ ଦେଲା ତାହା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ମତପ୍ରକାଶ ପାଉଛି ।