ରଥଯାତ୍ରାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନୀତି ହେଉଛି ‘ଅଧରପଣା’ । ଏଥିରେ ରଥରେ ବିଜେ କରିଥିବା ତିନି ମୁଖ୍ୟ ବିଗ୍ରହଙ୍କୁ, ସେମାନଙ୍କର ଅଧର ସ୍ପର୍ଶ କରୁଥିବା ତିନିଟି ଲେଖାଏଁ ଡେଙ୍ଗା ପଣା ହାଣ୍ଡି ଭୋଗ ଲାଗେ । ପୂର୍ବେ ଶ୍ରୀଜଗନ୍ନାଥଙ୍କ ରଥର ବିଜେ ପ୍ରତିମା ଶ୍ରୀମଦନମୋହନ ଓ ଶ୍ରୀବଳଭଦ୍ରଙ୍କ ରଥର ବିଜେପ୍ରତିମା ରାମ ଓ କୃଷ୍ଣଙ୍କୁ ମଧ୍ୟ ଆଉ ତିନିଟି ଛୋଟ ପଣାହାଣ୍ଡି ଭୋଗ ଲାଗୁଥିଲା । କିନ୍ତୁ ଏବେ ତିନିଟି ଲେଖାଏଁ ମୋଟ ନଅଟି ପଣାହାଣ୍ଡି ଭୋଗ ଲାଗୁଛି । କିନ୍ତୁ ଏହି ପଣାଭୋଗର ବିଶେଷତ୍ୱ ହେଉଛି, ଭୋଗ ପରେ ଏହି ପଣାହାଣ୍ଡିଗୁଡ଼ିକୁ ପଣା ଥିବା ଅବସ୍ଥାରେ ଭାଙ୍ଗିଦିଆଯାଏ ।
ପ୍ରଥମେ ବଡ଼ ପିତଳ ହଣ୍ଡାରେ ପଣା ପ୍ରସ୍ତୁତ କରାଯାଇ, ପରେ ତାହାକୁ ଅଧର ହାଣ୍ଡିରେ ଢଳାଯାଏ । ପଣା ପ୍ରସ୍ତୁତିି ସମୟରେ ଶ୍ରୀଜଗନ୍ନାଥଙ୍କ ରଥରେ ଭିତରଛ ମହାପାତ୍ର, ଶ୍ରୀ ବଳଭଦ୍ରଙ୍କ ରଥରେ ତଳୁଛ ମହାପାତ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥରେ ପାଳିଆ ପୁଷ୍ପାଳକ କନାର ଘେର ଦେଇଥାଆନ୍ତି । ତାହା ପରେ ରଥ ଶୋଧ ହୋଇ ‘ଟେରା’ ବନ୍ଧାଯାଏ ଏବଂ ଭୋଗ ଅର୍ପଣ କରାଯାଏ । ପୂଜାପଣ୍ଡା ସେବକ ଏହି ଭୋଗ କରିଥାଆନ୍ତି । କିନ୍ତୁ ଏହାର ସବୁଠୁ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ହେଉଛି- ଭୋଗ ହେବା ପରେ, ରଥ ଉପରେ ଏହି ହାଣ୍ଡିଗୁଡ଼ିକ ଭାଙ୍ଗି ଦିଆଯାଏ । କାହିଁକି ପ୍ରଭୁଙ୍କୁ ଅନ୍ୟ ପ୍ରସାଦ ପରି ଭକ୍ତମାନଙ୍କୁ ବିତରଣ ନ କରି ଏହି ପଣାହାଣ୍ଡିକୁ ଭାଙ୍ଗି ଦିଆଯାଏ, ସେ ସଂପର୍କରେ ଭିନ୍ନ ଭିନ୍ନ ମତ ମିଳେ । ଗୋଟିଏ ମତ ଅନୁସାରେ, ଏହା ପଛରେ ବୈଷ୍ଣବ ଧର୍ମର ପ୍ରଚ୍ଛନ୍ନ ପ୍ରଭାବ ରହିଛି । ଶ୍ରୀକୃଷ୍ଣଙ୍କ ‘ଦହିହାଣ୍ଡି ଭଙ୍ଗା’ ସହିତ ଏହାର ସଂପର୍କ ରହିଛି ।
କିନ୍ତୁ ଅନ୍ୟ ମତ ଅନୁସାରେ, ତାନ୍ତ୍ରିକ ଧାରାର ବ୍ରତପାଳନକାରୀମାନେ ସୂର୍ଯ୍ୟାସ୍ତ ପୂର୍ବରୁ ରାତ୍ରିଭୋଜନ କରିଥାଆନ୍ତି ଏବଂ ଅବଶିଷ୍ଟ ଖାଦ୍ୟ ପରଦିନ ପାଇଁ ସାଇତି ନରଖି ହାଣ୍ଡିକୁ ଭାଙ୍ଗି ଦେଇଥାଆନ୍ତି। ତୁମ୍ବ ଆକୃତିର ଅଧରହାଣ୍ଡି ପୋଡ଼ା ମାଟିର । ତା’ ତଳ ବଇଠିରେ କଞ୍ଚା ମାଟି ଦେଇ ହାଣ୍ଡିଗୁଡ଼ିକ ବସାଯାଇଥାଏ । ଭିତରେ ଥାଏ ନଅଟି ସାମଗ୍ରୀରେ ପ୍ରସ୍ତୁତ ପଣା । ତେଣୁ ‘ଶାରଦାତିଳକ’ ଗ୍ରନ୍ଥର ସୂଚନା ଆଧାରରେ କେତେକ ଏହାର ତାନ୍ତ୍ରିକ ଭିତ୍ତି ଅଛି ବୋଲି ଦର୍ଶାଇଥାଆନ୍ତି । ପୁଣି ଏହି ପଣା ପ୍ରସ୍ତୁତିରେ ୪୨ଟି କଦଳୀ ଲାଗୁଥିବାରୁ, ଏହାକୁ ତିନି ରଥର ୪୨ ଚକ ସହିତ ମଧ୍ୟ କେତେକ ଯୋଡ଼ିଥାଆନ୍ତି ।
କିନ୍ତୁ ଭୋଗ ପରେ, ଏହି ଅଧରହାଣ୍ଡି ଭଙ୍ଗାର ଅନ୍ୟ ବିଶେଷତ୍ୱ ରହିଥିବା ଜଣାଯାଏ । ଏ ସଂପର୍କରେ କୁହାଯାଏ ଯେ ରଥଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ଓ ତିନି ବିଜେ ପ୍ରତିମାଙ୍କ ସହିତ, ତିନି ରଥଧ୍ୱଜଙ୍କୁ ପ୍ରତିଦିନ ଭୋଗନୈବେଦ୍ୟ ଅର୍ପଣ କରାଯାଇଥାଏ । କିନ୍ତୁ ରଥର ପାଶ୍ୱର୍ ଦେବଦେବୀଙ୍କୁ କୌଣସି ଭୋଗ ଅର୍ପଣ କରାଯାଇ ନଥାଏ । ପୁଣି ରଥ ସହିତ ଗୁଣ୍ଡିଚାଯାତ୍ରା ଓ ବାହୁଡ଼ାଯାତ୍ରାରେ ବହୁ ଅଶରୀରୀ ଗମନାଗମନ କରିଥାଆନ୍ତି । ଠାକୁରମାନଙ୍କ ଲାଗି ପ୍ରସାଦ ପାଇ ମୋକ୍ଷଲାଭ କରିବା ନିମନ୍ତେ ସେମାନଙ୍କର ଲାଳସା ରହିଥାଏ । ତେଣୁ ସେମାନଙ୍କର ସନ୍ତୋଷ ବିଧାନ ପାଇଁ ଏହି ପଣାହାଣ୍ଡିଗୁଡ଼ିକୁ ଭୋଗ ପରେ ଭାଙ୍ଗିଦିଆଯାଏ । ସେମାନେ ରଥର ଚାରିପଟୁ ଝରିପଡ଼ୁଥିବା ସେହି ଅମୃତ ପଣା ପାଇ ତୁଷ୍ଟ ହୁଅନ୍ତି ଓ ମୁକ୍ତିଲାଭ କରନ୍ତି । ଏଇଥିପାଇଁ ରଥରେ ଭୋଗ ହେବା ପରେ ଅଧରହାଣ୍ଡିଗୁଡ଼ିକୁ ଭାଙ୍ଗିଦିଆଯାଏ ।