ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ(ଇସ୍ରୋ)ର ମଙ୍ଗଳଯାନ (ମାର୍ସ ଅର୍ବିଟର ମିଶନ ବା ଏମ୍ଓଏମ୍)ରେ ଲାଗିଥିବା ‘ମାର୍ସ କଲର କ୍ୟାମେରା’(ଏମ୍ସିସି) ମଙ୍ଗଳର ସବୁଠୁ ବଡ଼ ଚନ୍ଦ୍ର ‘ଫୋବୋସ’ର ଫଟୋ ଉତ୍ତୋଳନ କରିଛି। ଜୁଲାଇ ୧ ତାରିଖରେ ଏହି ଫଟୋ ନିଆଯାଇଥିଲା। ଏହି ସମୟରେ ମଙ୍ଗଳଯାନ ମଙ୍ଗଳ ଠାରୁ ପ୍ରାୟ ୭୨୦୦ କିମି ଓ ଫୋବୋର୍ସଠାରୁ ପ୍ରାୟ ୪୨୦୦ କିମି ଦୂରରେ ଥିଲା।
ଏହା ଇସ୍ରୋ ପାଇଁ ଏକ ବଡ଼ ସଫଳତା। ଏହି ଫଟୋ ସାହାଯ୍ୟରେ ସେଠାକାର ବାୟୁମଣ୍ଡଳ ବିଷୟରେ ତଥ୍ୟ ମିଳିଛି। ଇସ୍ରୋ କହିଛି ଏହି ଫଟୋ ୬ ଏମ୍ସିସି ଫ୍ରେମ୍ରେ ନିଆଯାଇଛି। ଫଟୋଟି ପୂରା ପରିଷ୍କାର ଆସିଛି। ଉଲ୍କାପିଣ୍ଡ ସହ ମାଡ଼ ହେବା ଦ୍ୱାରା ସୃଷ୍ଟି ହୋଇଥିବା ବଡ଼ ଗର୍ତ୍ତ(କ୍ରେଟର) ଫୋବୋସ୍ରେ ଦେଖାଯାଇଛି। ଏହାର ନାମ ସ୍ଲୋବାସ୍କି, ରୋଶ ଓ ଗ୍ରିଲଡ୍ରିଗ୍ ରଖାଯାଇଛି।
ଇସ୍ରୋ ଲଗାତାର ମଙ୍ଗଳ ଉପରେ ଗବେଷଣା ଜାରି ରଖିଛି। ରିସର୍ଚ୍ଚ ମୁତାବକ ମଙ୍ଗଳରେ ଜୀବଜଗତ ତିଷ୍ଠି ରହିବାର ସଙ୍କେତ ମିଳିଛି।ଏଠାରେ ପର୍ଯ୍ୟାପ୍ତ ପରିମାଣରେ ମିଥେନ୍ ରହିଛି। ୨୦୧୩ ନଭେମ୍ବର ୫ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀ ହରିକୋଟାରୁ ପିଏସ୍ଏଲ୍ବି ରକେଟ୍ ମାଧ୍ୟମରେ ଏହାକୁ ଉତ୍କ୍ଷେପଣ କରାଯାଇଥିଲା। ମିଶନର ଲକ୍ଷ୍ୟ ଏଠାରେ ଥିବା ଖଣିଜ ପଦାର୍ଥର ସନ୍ଧାନ କରିବା ଥିଲା। ଏଥିସହ ମଙ୍ଗଳ ସୃଷ୍ଟିର ରହସ୍ୟ ଜାଣିବା ଥିଲା। ପରେ ୨୪ ସେପ୍ଟେମ୍ବର ୨୦୧୪ରେ ପ୍ରଥମ ପ୍ରୟାସରେ ଇସ୍ରୋ ମାର୍ସ ଅର୍ବିଟର ମିଶନକୁ ସଫଳତାର ମଙ୍ଗଳର କକ୍ଷରେ ସ୍ଥାପିତ କରିଥିଲା। ଏବେ ଏହି ଯାନ ପୃଥିବୀକୁ ମଙ୍ଗଳର ବିଭିନ୍ନ ଫଟୋ ପଠାଉଛି।