Odia News Portal

କରୋନା ଯୋଗୁଁ ହତାଶ ହୋଇପଡିଲେଣି ବହୁ ଯୁବ ନେତା

ଭୁବନେଶ୍ୱର : କରୋନା ମହାମାରୀ ଯୋଗୁଁ ରାଜ୍ୟର ଯୁବନେତାମାନେ ଏବେ ହତାଶ । ନିଜ ନିଜର ଭବିଷ୍ୟତକୁ ନେଇ ଏକ ପ୍ରକାର ସନ୍ଦିହାନ ହୋଇପଡିଲେଣି । ଶାସକଦଳ ଠାରୁ ଆରମ୍ଭ କରି ପ୍ରାୟ ସବୁ ଦଳରେ ସୁନେଲି ଭବିଷ୍ୟତ ଦେଖୁଥିବା ଯୁବନେତାମାନଙ୍କର ଏଭଳି ଅବସ୍ଥା । ଏପରିକି କେତେକ ରାଜନୀତି ମଇଦାନରୁ ଓହରିବାପାଇଁ ବି ଚିନ୍ତା କଲେଣି । କରୋନା ଯୋଗୁଁ ଚଳିତବର୍ଷ ରାଜ୍ୟର କଲେଜ ନିର୍ବାଚନ ବନ୍ଦ ହେବା ଏକ ପ୍ରକାର ନିଶ୍ଚିତ । ତେଣୁ ଛାତ୍ର ରାଜନୀତିରୁ କ୍ୟାରିଅର ଆରମ୍ଭ କରିବାକୁ ଥିବା ଅନେକ ଯୁବ ପ୍ରତିଭା ହତାଶ ହୋଇଥିବାବେଳେ ସେମାନଙ୍କ ପୃଷ୍ଠପୋଷକ ସାଜି ଉପରକୁ ଉଠିବାକୁ ଚେଷ୍ଟା କରୁଥିବା ନେତାମାନେ ବି ମନମାରି ବସିଛନ୍ତି । କରୋନା ନଥିଲେ ବର୍ତ୍ତମାନ କଲେଜ ଗୁଡିକରେ ନୂଆ ଛାତ୍ରଛାତ୍ରୀଙ୍କ ନାମଲେଖା ସରି ଛାତ୍ର ରାଜନୀତି ଜୋର ଧରିଥାନ୍ତା । ଚଳିତବର୍ଷ କେବେ ମାଟ୍ରିକ ପରୀକ୍ଷାଫଳ ବାହାରିବ ଓ ନାମଲେଖା ହେବ ତାହା କେହି କହିପାରୁ ନାହାନ୍ତି । କଲେଜ ନିର୍ବାଚନ କଥା ତ ଚିନ୍ତାର ବାହାରେ ହୋଇଛି ।

ସେହିଭଳି ଆଉ କିଛି ଯୁବ ନେତା ପୌର ନିର୍ବାଚନକୁ ଆଖିରେ ରଖିଥିଲେ । ପୌର ର୍ନିବାଚନ ହୋଇଥିଲେ ସେମାନଙ୍କ ମଧ୍ୟରୁ ଅନେକ କର୍ପୋରେଟର ପ୍ରାର୍ଥୀ ହୋଇଥାନ୍ତେ । ଏଥିପାଇଁ ଲବି ବି ଆରମ୍ଭ କରିଦେଇଥିଲେ । ହେଲେ କରୋନା ସବୁକିଛି ଧୋଇ ନେଇଛି । ନିକଟ ଭବିଷ୍ୟତରେ ପୌର ନିର୍ବାଚନ ହେବାର ନାହିଁ । ଯୁବନେତାଙ୍କ କ୍ୟାରିଅର ଉପରେ ଏହା ଏକ ପ୍ରକାର କଳାବାଦଲ ଭଳି ଢାଙ୍କିହୋଇ ଯାଇଛି । ଛାତ୍ର ରାଜନୀତିକୁ ଆସିଥିବା ଅନେକ ଯୁବ ଯୁବତୀ ପୌର ନିର୍ବାଚନକୁ ଆଶ୍ରା କରିଥିଲେ ।  ଅନ୍ୟପକ୍ଷରେ ପଞ୍ଚାୟତ ନିର୍ବାଚନ ଏବେ ଢେର ଦୂର ରହିଛି । ସେତେବଳେକୁ ଯଦି କରୋନାର କରାଳ ରୂପ ଶାନ୍ତ ହୋଇଥିବ ତେବେ ନିର୍ବାଚନ କରିବା ସମ୍ଭବ ହେବ । ହେଲେ କରୋନା ମାଡରେ ରାଜ୍ୟର ଅର୍ଥନୀତି ଯେଭଳି ଘାଇଲା ହୋଇଛି ସେଥିରେ ଗାଁ ଗହଳରେ ନିର୍ବାଚନ ଲଢିବା ଅନେକଙ୍କ ପାଇଁ ଅସମ୍ଭବ ବ୍ୟାପାର ହୋଇଯିବ । ସେହିଭଳି ଏବେ ଠାରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କୌଣସି ଯୁବନେତା ପଦାକୁ ଗୋଡ କାଢିବାକୁ ସାହସ କରୁନାହାନ୍ତି । କାରଣ ଗୋଟିଏ ପଟେ ଅର୍ଥ ସଙ୍କଟ ଓ ଅନ୍ୟପଟେ ଅନିଶ୍ଚିତତାର ବାତାବରଣ ସୃଷ୍ଟି ହୋଇଛି ।

ନିର୍ବାଚନକୁ ବାଦ୍‍ ଦେଲେ ବହୁ ଯୁବନେତା ବିଭିନ୍ନ ରାଜନୈତିକ, ସାମାଜିକ ପ୍ରସଙ୍ଗକୁ ଅସ୍ତ୍ରକରି ନିଜର ପରିଚୟ ସୃଷ୍ଟି କରିଥାନ୍ତା । ଧାରଣା, ଧର୍ମଘଟ, ଆନ୍ଦୋଳନ ଜରିଆରେ ଗଣମାଧ୍ୟମର ଦୃଷ୍ଟି ଆକର୍ଶଣ କରିଥାନ୍ତି । ହେଲେ କରୋନା କଟକଣା ସେଥିରେ ଏକ ପ୍ରକାର ପୂର୍ଣ୍ଣଛେଦ ପକାଇଛି । କୌଣସି ସ୍ଥାନରେ ଧାରଣା ଧର୍ମଘଟ ଉପରେ ଖୋଦ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । କରେନା ସଂକ୍ରମଣ ଭୟରେ କେହି ଏଭଳି କରିବାକୁ ସାହସ ବି କୁଳାଇ ପାରୁନାହାନ୍ତି । ଯଦି କରୋନା ସଂକ୍ରମଣ ହୋଇଯିବ ତାହେଲେ ରାଜନୀତି ତ ହେବନାହିଁ ଓଲଟା ଜୀବନ ଚାଲିଯିବ ।
କରୋନା ତେଣୁ ଯୁବନେତାମାନେ ଏବେ ଏକ ପ୍ରକାର ଚିନ୍ତାରେ ପଡିଗଲେଣି । ଯଦି କରୋନାର କରାଳ ରୂପ ଏଭଳି ଆଉ କିଛିମାସ ଲାଗିରୁହେ ତେବେ ସେମାନେ ରାଜନୀତି କରିବା ଅପେକ୍ଷା ଅନ୍ୟ ପେଶାକୁ ଆପଣେଇବା ନେବେ । ଏହା କେବଳ ବହୁ ଯୁବନେତାଙ୍କ ସ୍ୱପ୍ନକୁ ଧୂଳିସାତ କରିବ ତାହା ନୁହେଁ ରାଜ୍ୟ ରାଜନୀତିରେ ଅନେକ ଶୂନ୍ୟସ୍ଥାନ ସୃଷ୍ଟି କରିବ ଯାହାକୁ ଭବିଷ୍ୟତରେ ପୂରଣ କରିବା ସହଜ ହେବାନହିଁ ।