Odia News Portal

ସୁଶାନ୍ତଙ୍କୁ ବିହାରବାସୀଙ୍କ ନିଆରା ଶ୍ରଦ୍ଧାଞ୍ଜଳି

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବରକୁ ଏବେ ବି ତାଙ୍କ ଫ୍ୟାନ୍‌ମାନେ ବିଶ୍ୱାସ କରିପାରୁନାହାନ୍ତି। ଲୋକମାନେ ଭିନ୍ନ ଭିନ୍ନ ଉପାୟରେ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ଦେଖାଯାଇଛି। ନିକଟରେ ଦିବଂଗତ ଅଭିନେତାଙ୍କ ହୋମ୍‌ ଟାଉନ୍‌ ପୂର୍ଣ୍ଣିୟାରେ ଏକ ରାସ୍ତାର ନାମ ସୁଶାନ୍ତଙ୍କ ନାମରେ ରଖାଯାଇଛି।

ରିପୋର୍ଟ ମୁତାବକ ମେୟର ସରିତା ଦେବୀ କହିଛନ୍ତି ସୁଶାନ୍ତ ଜଣେ ମହାନ୍‌ କଳାକାର ଥିଲେ। ଏଣୁ ତାଙ୍କ ନାଁରେ ରାସ୍ତାର ନାମକରଣ କରାଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସେ କହିଛନ୍ତି ମଧୁବନୀରୁ ମାତା ଚୌକକୁ ଯାଉଥିବା ରାସ୍ତାର ନାମକୁ ଏବେ ସୁଶାନ୍ତ ସିଂହ ରାଜପୁତ ରୋଡ ଭାବେ ନାମିତ କରାଯାଇଛି। କେବଳ ଏତିକି ନୁହେଁ ଲୋକପ୍ରିୟ କମ୍ପାନୀର ଗୋଲ ଚକ୍କର ନାମକୁ ମଧ୍ୟ ବଦଳାଇ ସୁଶାନ୍ତ ସିଂହ ରାଜପୁତ ଚୌକ କରିଦିଆଯାଇଛି।

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ସୁଶାନ୍ତଙ୍କ ପରିବାର ସୁଶାନ୍ତଙ୍କ ନାଁରେ ଏକ ଫାଉଣ୍ଡେସନ୍‌ ‘ସୁଶାନ୍ତ ସିଂହ ରାଜପୁତ ଫାଉଣ୍ଡେସନ୍‌’ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ମାଧ୍ୟମରେ ସୁଶାନ୍ତଙ୍କ ପ୍ରିୟ ଜିନିଷ ଯଥା: ସିନେମା, ବିଜ୍ଞାନ ଓ କ୍ରୀଡ଼ା ସହ ଜଡ଼ିତ ଯୁବପିଢ଼ିଙ୍କୁ ସହଯୋଗ କରାଯିବ। ଏଥିସହ ପାଟନାର ରାଜୀବ ନଗର ସ୍ଥିତ ସୁଶାନ୍ତଙ୍କ ପିଲା ଦିନର ଘରକୁ ମେମୋରିଆଲ ଭାବେ ଗଢ଼ିବାକୁ ନିଷ୍ପତ୍ତି ହୋଇଛି। ଏଠାରେ ସୁଶାନ୍ତଙ୍କର ପର୍ସନାଲ ଜିନିଷ ରଖାଯିବ। ଏଥିରେ ତାଙ୍କ ହଜାରେରୁ ଊର୍ଦ୍ଧ୍ୱ ପୁସ୍ତକ, ଟେଲିସ୍ପୋପ୍‌, ଫ୍ଲାଇଟ୍‌ ସିମୁଲେଟର ଆଦି ରହିବ।