ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନର ନଦୀ, ନାଳ ମାନଙ୍କରେ ବାସ କରୁଥିବା ବିରଳ ବଉଳା କୁମ୍ଭୀର ୧୦୩ଟି ବସାରେ ଅଣ୍ଡା ଦେଇଥିବା ରାଜନଗର ଡିଏଫ୍ଓ ବିକାଶ ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଭିତରକନିକାର କନିକା ରେଞ୍ଜରେ ୯୦ଟି, ରାଜନଗର ରେଞ୍ଜରେ ୯ଟି, ଗହୀରମଥା ରେଞ୍ଜରେ ୨ଟି ଓ ମହାକାଳପଡା ରେଞ୍ଜରେ ୪ଟି କୁମ୍ଭୀର ବସା ଚିହ୍ନଟ ହୋଇଛି ।
ଗତବର୍ଷ ୧୦୩ଟି କୁମ୍ଭୀର ବସା ଚିହ୍ନଟ ହୋଇଥିବା ବେଳେ ଚଳିତବର୍ଷ ମଧ୍ୟ ଏହି ସଂଖ୍ୟା ୧୦୩ରେ ସୀମିତ ରହିଛି । ଗତବର୍ଷ କନିକା ରେଞ୍ଜରେ ୯୧ଟି କୁମ୍ଭୀର ବସା ଚିହ୍ନଟ ହୋଇଥିବା ବେଳେ ଏ ବର୍ଷ ୯୦ଟି ଓ ଗହୀରମଥା ରେଞ୍ଜରେ ଗତବର୍ଷ ଗୋଟିଏ କୁମ୍ଭୀର ବସା ଚିହ୍ନଟ ହୋଇଥିବା ବେଳେ ଏଥର ଦୁଇଟି ଚିହ୍ନଟ ହୋଇଛି । ୨୦୧୮ରେ ୧୦୧ଟି, ୨୦୧୭ରେ ୮୦ଟି ଓ ୨୦୧୬ ରେ ୭୫ଟି କୁମ୍ଭୀର ବସା ଚିହ୍ନଟ ହୋଇଥିଲା ବୋଲି ଡିଏଫ୍ଓ ଶ୍ରୀ ଦାଶ ସୂଚନା ଦେଇଛନ୍ତି । ପ୍ରତିବର୍ଷ ନଷ୍ଟ ହୋଇଥିବା କୁମ୍ଭୀର ବସାରୁ ଅଣ୍ଡା ସଂଗ୍ରହ କରାଯାଇ ପ୍ରଜନନ କେନ୍ଦ୍ରରେ ରଖାଯାଇ କୃତ୍ରିମ ଉପାୟରେ ଛୁଆ ଫୁଟା ଯାଇଥାଏ । ଚଳିତ ବର୍ଷ ଅଣ୍ଡା ସଂଗ୍ରହ ହୋଇନଥିବା ଜଣାପଡ଼ିଛି ।
ପ୍ରତିବର୍ଷ ମଇରୁ ଜୁଲାଇ ୩ ମାସ ମଧ୍ୟରେ ବଉଳା କୁମ୍ଭୀରମାନେ ବସା କରି ଅଣ୍ଡାଦେବା ସହ ଅଣ୍ଡାରୁ ଛୁଆ ଫୁଟାଇଥାନ୍ତି । ମା’ କୁମ୍ଭୀର ଅଣ୍ଡା ଦେବା ପାଇଁ ନିରାପଦ ସ୍ଥାନ ଖୋଜିଥାନ୍ତି । ନାଳଠୁ ଟିକେ ଉଚ୍ଚା ସ୍ଥାନରେ, ଯେପରି ଜୁଆର ସମୟରେ ବସା ଭାସିନଯାଏ, ସେହି ସ୍ଥାନରେ ବସା କରିଥାନ୍ତି । ଖରଖରି ପତ୍ର ଓ କାଠି କୁଟାକୁ ସଂଗ୍ରହ କରି ଗଦା କରି ଏହା ଉପରେ ଅଣ୍ଡାଦେବା ପରେ ତା’ ଉପରେ ପୁଣି ଖରଖରିପତ୍ର ଓ କାଠି କୁଟା ଘୋଡ଼ାଇ ରଖିଥାନ୍ତି । ପ୍ରତ୍ୟେକ ମା’ କୁମ୍ଭୀର ୪୦ରୁ ୫୦ଟି ଅଣ୍ଡା ଦେଇଥାନ୍ତି । ଅଣ୍ଡା ଦେବାର ୭୫ ଦିନ ମଧ୍ୟରେ ଛୁଆ ବାହାରିଥାଏ । ୧୯୭୦ ମସିହାରେ ଏକ ଅନୁଧ୍ୟାନରେ ଭାରତରେ କୁମ୍ଭୀରଙ୍କ ସଂଖ୍ୟା ନଗଣ୍ୟ ବୋଲି ଜଣାପଡ଼ିବା ପରେ କେନ୍ଦ୍ର ସରକାର ମିଳିତ ଜାତିସଂଘର କୃଷି ଓ ଖାଦ୍ୟ ସଂସ୍ଥାର ସହାୟତାରେ କୁମ୍ଭୀର ବଂଶ ବୃଦ୍ଧି ପାଇଁ ଯୋଜନା ଆରମ୍ଭ କରିଥିଲେ ।