Odia News Portal

ଯୁବନେତାଙ୍କ ରାଜନୈତିକ ଭବିଷ୍ୟତକୁ ଅନ୍ଧାର କରିଦେଲାଣି କରୋନା

ଭୁବନେଶ୍ୱର : ରାଜ୍ୟର ଅନେକ ଯୁବନେତାଙ୍କ ରାଜନୈତିକ ଭବିଷ୍ୟତକୁ ଏବେ କରୋନା ଅନ୍ଧକାର ଭିତରକୁ ଠେଲିବାରେ ଲାଗିଛିା  ଏମାନଙ୍କ ଉପରେ ଜନସାଧାରଣ ଅଧିକରୁ ଅଧିକ ଭରସା କରୁଥିବାବେଳେ ଯୁବନେତାମାନେ କିନ୍ତୁ କରୋନା ଭୟରେ ଘରୁ ଗୋଡ କାଢୁ ନାହାନ୍ତି । ରାଜ୍ୟର ପ୍ରାୟ ସମସ୍ତ ରାଜନୈତିକଦଳରେ ଏହି ସ୍ଥିତି ପରିଲକ୍ଷିତ ହୋଇଛି । ରାଜ୍ୟରେ କରୋନା ପ୍ରବେଶ କରିବାକୁ ଇତି ମଧ୍ୟରେ ଚାରିମାସ ପୂରିଯାଇଛି । ମାର୍ଚ୍ଚମାସରେ ପ୍ରଥମେ କରୋନା ପ୍ରବେଶ ଓ କଟକଣା ଜାରି ପରେ ଯୁବତେମାନେ ଅତି ଆଗ୍ରହୀ ହୋଇ ମଇଦାନକୁ ଆସିଥିଲେ । ପ୍ରତିଯୋଗିତା ଭିତ୍ତିରେ ଲୋକଙ୍କୁ ରିଲିଫ ବାଣ୍ଟିଥିଲେ । ନିଜସ୍ୱ ଉଦ୍ୟମରେ ଗାଡିରେ ରନ୍ଧାଖାଦ୍ୟ ଆଣି ବାଣ୍ଟିଥିଲେ । ସେତେବେଳେ ଏମାନଙ୍କ କାର୍ଯ୍ୟକୁ ଅନେକ ପ୍ରଶଂସା କରିଥିଲେ । ଅବସ୍ଥା ଏଭଳି ହୋଇଥିଲା ଯେ ବିଜେଡି, ବିଜେପି ଓ କଂଗ୍ରେସର ଯୁବନେତାମାନେ ଏଥିପାଇଁ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ କରିଦେଇଥିଲେ ।
ଏମାନଙ୍କ ପ୍ରତିଯୋଗିତା ବେଳେ କାଳେ କିଛି ଅଘଟଣ ଘଟିବ ସେଥିପାଇଁ ପୁଲିସ୍‍ ବି ମୁତୟନ କରିବାକୁ ପଡିଥିଲା । ତେବେ କରୋନାର ସଂକ୍ରମଣ ବଢିବା ସହିତ ଏହି ଯୁବନେତାମାନେ ଏକ ପ୍ରକାର ଉଭାନ ହୋଇଯାଇଛନ୍ତି । କେବଳ ଦଳୀୟ କାର୍ଯ୍ୟାଳୟ ଓ ଅନ୍‍ଲାଇନ୍‍ରେ ନିଜକୁ ସୀମିତ ରଖିଛନ୍ତି । କୌଣସି କ୍ଷେତ୍ରରେ ଏମାନେ ପଦାକୁ ବାହାରୁନଥିବା କୁହାଯାଉଛି । ଏପରିକି ଗତ ନିର୍ବାଚନରେ ହାରିଥିବା ଓ ଜିଣିଥିବା ଯୁବନେତାମାନେ ବି କରୋନା ଆଳରେ ଘରେ ରହିଛନ୍ତି । ରାସନ ବଣ୍ଟନରେ ଅନିୟମିତତା ହେଉ କିମ୍ବା ରୋଜଗାର ହରାଇବା ନେଇ ଲୋକେ ଦୋଛକିରେ ଥିବାବେଳେ ଏହି ଯୁବନେତାମାନଙ୍କର ଆଉ ଦେଖାଦର୍ଶନ ନାହିଁ । ଅନ୍ୟ ପକ୍ଷରେ ରାଜ୍ୟର ତିନି ପ୍ରମୁଖ ଦଳରେ ଏବେ କରୋନା କଟକଣା ଆଢୁଆଳରେ ଦଳ ସଜଡା ଚାଲିଥିବାରୁ କିଭଳି ପଦ ପଦବୀ ହାତେଇବେ ସେଥିପାଇଁ ପ୍ରତିଯୋଗିତା ଚାଲିଛି । ଅତି ସତର୍କତାର ସହିତ ଏମାନେ ଦଳୀୟ ଦପ୍ତର ଓ ବରିଷ୍ଠ ନେତାଙ୍କ ଘରକୁ ଆସି ଫେରୁଛନ୍ତି । କଂଗ୍ରେସ ଭବନ ଆଗରେ ଯୁବକଂଗ୍ରେସ ସଭାପତି ପଦକୁ ନେଇ ଚାଲିଥିବା ଖଣ୍ଡାବୁଲା ଏହାର ବଡ ଉଦାହରଣ । ଏହି କାଣ୍ଡ ପରେ ଯୁବ କଂଗ୍ରେସର ଆଉ କାହାକୁ ଦେଖିବାକୁ ମିଳୁନାହିଁ । ଯଦିଓ ଏଭଳି ଅଘଟଣା ବିଜେଡି ଓ ବିଜେପିରେ ଦେଖାଯାଉନାହିଁ କିନ୍ତୁ ଅନ୍ୟ କୌଣସି ପ୍ରସଙ୍ଗରେ ବି ଏହି ଦୁଇ ଦଳର ଯୁବନେତାମାନେ ପଦାକୁ ଆସୁ ନାହାନ୍ତି । ମିଳିଥିବା ସୂଚନା ଅନୁଯାୟୀ କରୋନା ଯୋଗୁଁ କଲେଜ ନିର୍ବାଚନ ସହିତ ପୌର ନିର୍ବାଚନ ଉପରେ ପ୍ରଶ୍ନବାଚୀ ଲାଗି ଯାଇଥିବାରୁ ଅନେକ ଯୁବନେତାଙ୍କ ରାଜନୀତି ଉପରେ ଏକ ପ୍ରକାର କଳାବାଦଲ ଦେଖା ଦେଇଛି ।
ଏମାନେ ଏବେ କାହାକୁ ନେଇ ରାଜନୀତି କରିବେ ବୋଲି ଚିନ୍ତା କରୁଛନ୍ତି । ଗାଁ ଗହଳରେ ବି ଅନୁରୂପ ଅବସ୍ଥା । ପଞ୍ଚାୟତ କିମ୍ବା ଅନ୍ୟ କୌଣସି ନିର୍ବାଚନ ଏବେ ନଥିବାରୁ ଯୁବନେତାମାନେ କରୋନା ଭୟରେ ଘରୁ ବାହାରୁ ନାହାନ୍ତି । ମୋଟାମୋଟି ଭାବେ ଅନେକ ଯୁବନେତାଙ୍କ ଭବିଷ୍ୟତକୁ କରୋନା ଏକ ପ୍ରକାର ଗ୍ରାସ କରିଗଲାଣି । କାରଣ ଘରେ ରହିବା କାରଣରୁ ଲୋକେ ଏମାନଙ୍କୁ ଏକ ପ୍ରକାର ଭୁଲିବା ଆରମ୍ଭ କଲେଣି । ମାର୍ଚ୍ଚମାସରେ ଏମାନଙ୍କର ଯେଉଁ କ୍ରେଜ ଥିଲା ତାହା ଜୁଲାଇରେ ନାହିଁ । ଆଉ ଯଦି ଅବସ୍ଥା ଏଭଳି ଜାରି ରୁହେ ତେବେ ଡିସେମ୍ବର ବେଳକୁ ଅନେକ ଯୁବନେତା ରାଜନୀତି ପୋଷାକ କାଢି ପେଟ ପୋଷିବାକୁ ଅନ୍ୟ ଧନ୍ଦାରେ ଲାଗିବେ ବୋଲି ମତପ୍ରକାଶ ପାଉଛି ।