ଭୁବନେଶ୍ୱର : କରୋନା ମହାମାରୀ ଯୋଗୁଁ ଲୋକଙ୍କ ସାମ୍ନାକୁ ଯିବାକୁ ଡରୁଥିବା କିଛି ବିଜେପି ନେତା ଏବେ ବିଜେଡିର ଆଗଧାଡିର ନେତାଙ୍କ ଜିଲ୍ଲା ଗସ୍ତକୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଏମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ଅଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା । ଏହି ଦୁଇଜଣ ଯୁଆଡେ ଯାଉଛନ୍ତି ସେମାନଙ୍କ ନାଁରେ ବିଜେପି କିଛି ନା କିଛି ଅପପ୍ରଚାର ଚଳାଇବାରେ ଲାଗିଛି । ତେବେ ଏଥିରୁ ଦଳକୁ ସୁଫଳ ମିଳିବା ପରିବର୍ତ୍ତେ ଅଧିକ କ୍ଷତିଗ୍ରସ୍ତ ହେଉଥିବା ବିଜେପିର କିଛି କର୍ମୀ ଖୋଲାଖୋଲି କହୁଛନ୍ତି । ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦୁଇ ଦିନ ତଳେ ନବରଙ୍ଗପୁର ଗସ୍ତରେ ଯାଇଥିଲେ । ସେଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିବର୍ଦ୍ଧିତ କୋଠା ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ବର୍ତ୍ତମାନ କୋଭିଡ ପରିପ୍ରେକ୍ଷୀରେ ଡାକ୍ତରଖାନା ଜରୁରୀ ଥିବାରୁ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ କହିଥିଲେ । ସେହିଭଳି ଜିଲ୍ଲାବାସୀଙ୍କ ହାତକୁ କିଭଳି କାମ ମିଳିବ ସେଥିପାଇଁ ମିଶନ ଶକ୍ତି ଓ ପର୍ଯ୍ୟଟନ ଆଦି କାର୍ଯ୍ୟର ସମୀକ୍ଷା କରିଥିଲେ । ଗସ୍ତ କାଳରେ କେତେକ ସ୍ଥାନରେ ବୃକ୍ଷରୋପଣ ବି ଶ୍ରୀ ଦାସବର୍ମା କରିଥିଲେ । ସାଙ୍ଗରେ ଜିଲ୍ଲା ପ୍ରଶାସନ ଥିଲେ ।

